‘ଅର୍କକ୍ଷେତ୍ର କୋଣାର୍କ’ଠାରେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ସୂର୍ଯ୍ୟଦେବଙ୍କ ମନ୍ଦିର କଳିଙ୍ଗ ମନ୍ଦିର ସ୍ଥାପତ୍ୟର ଅନୁପମ ନିଦର୍ଶନ। ଏକାଦଶ ଶତାବ୍ଦୀରେ ଏକାମ୍ରକ୍ଷେତ୍ର ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜଙ୍କର ଭବ୍ୟ ମନ୍ଦିର ନିର୍ମାଣ କରିବା ପରେ, ଏ ମହାଜାତି ଦ୍ୱାଦଶ ଶତାବ୍ଦୀରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପୁରୀରେ, ଶ୍ରୀଜଗନ୍ନାଥଙ୍କର ସୁନ୍ଦର ମନ୍ଦିର ନିର୍ମାଣ କରିଥିଲା। କିନ୍ତୁ ତାହାର ପରବର୍ତ୍ତୀ କାଳରେ, ତ୍ରୟୋଦଶ ଶତାବ୍ଦୀରେ ଏପରି ଏକ ମନ୍ଦିରର ନିର୍ମାଣ କରାଗଲା- ଯାହା ଶୈବ ବା ବୈଷ୍ଣବ ପରି ନିର୍ଦ୍ଦିଷ୍ଟ ଧର୍ମଧାରାର ଦେବତାଙ୍କର ମନ୍ଦିର ନୁହେଁ; ତାହା ବିଶ୍ୱର ସବୁ ଧର୍ମ ଓ ସବୁ ସଭ୍ୟତାର ଉପାସ୍ୟ, ସୂର୍ଯ୍ୟଦେବଙ୍କର ମନ୍ଦିର।
ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରି, ଅର୍କକ୍ଷେତ୍ର କୋଣାର୍କରେ ମଧ୍ୟ, ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ‘କର୍ମାଙ୍ଗୀ’ର ବର୍ଣ୍ଣନା ଅନୁସାରେ, ସେହି ରଥଯାତ୍ରା ମାଘ ପଞ୍ଚମୀରୁ ମାଘ ସପ୍ତମୀ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେଉଥିଲା।
ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟଦେବଙ୍କର ସେହି ବିଶାଳ ରଥାକୃତି ମନ୍ଦିର ଆଉ ନାହିଁ। ଏବେ ତାହାର ମୁଖଶାଳାଟି ମାତ୍ର ରହିଛି। କିନ୍ତୁ ପ୍ରାପ୍ତ ତଥ୍ୟ ପ୍ରମାଣ ଅନୁସାରେ, ଏକଦା ସେହି ମୁଖ୍ୟ ମନ୍ଦିରରେ ପୂଜିତ ହେଉଥିଲେ ସୂର୍ଯ୍ୟଦେବଙ୍କର ବିଶାଳ ବିଗ୍ରହ- ମହାଭାସ୍କର। ସେ ସର୍ବଦା ସେହି ମନ୍ଦିରର ଗର୍ଭଗୃହରେ ଅବସ୍ଥାନ କରୁଥିବାବେଳେ, ଉତ୍ସବ-ପ୍ରତିମା ବା ତାଙ୍କର ବିଜେ-ପ୍ରତିମା ଭାବରେ ସମସ୍ତ ନୀତି ସଂପାଦନ କରୁଥିଲେ ଦୁଇ ଦଣ୍ଡାୟମାନ ବ୍ରୋଞ୍ଜ ମୂର୍ତ୍ତି। ଏହି ଦୁଇ ମୂର୍ତ୍ତି ନଭମଣ୍ଡଳରେ ବିଭାସିତ ଏବଂ ଗର୍ଭଗୃହରେ ବିରାଜିତ ମହାଭାସ୍କର ବା ସୂର୍ଯ୍ୟଦେବଙ୍କ ବିଗ୍ରହଙ୍କର ପ୍ରତିନିଧିତ୍ୱ କରୁଥିଲେ। କୋଣାର୍କ ମନ୍ଦିରର ରୀତିନୀତି ସଂପର୍କିତ ଯେଉଁ ‘କର୍ମାଙ୍ଗୀ’ ମିଳିଛି, ତାହା ଅନୁସାରେ, ଏହି ଦୁଇ ବିଜେ ପ୍ରତିମାଙ୍କ ମଧ୍ୟରୁ ସାନ ମୂର୍ତ୍ତିଙ୍କ ଦ୍ୱାରା ଦୈନନ୍ଦିନ ନୀତି ସଂପାଦିତ ହେଉଥିବା ବେଳେ, ବଡ଼ ମୂର୍ତ୍ତି ସାମ୍ବତ୍ସରିକ ରଥଯାତ୍ରାରେ ଯାଉଥିଲେ। ଏଥିରୁ ସାବ୍ୟସ୍ତ ହୁଏ, ଯେ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରି, ଅର୍କକ୍ଷେତ୍ର କୋଣାର୍କରେ ମଧ୍ୟ, ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ‘କର୍ମାଙ୍ଗୀ’ର ବର୍ଣ୍ଣନା ଅନୁସାରେ, ସେହି ରଥଯାତ୍ରା ମାଘ ପଞ୍ଚମୀରୁ ମାଘ ସପ୍ତମୀ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେଉଥିଲା।
କୋଣାର୍କ ମନ୍ଦିରର ପତନ ପରେ, ଏକଦା ପାଳିତ ରୀତିନୀତି ଓ ଯାନିଯାତ୍ରା ସଂପୂର୍ଣ୍ଣ ବନ୍ଦ ହୋଇଯିବା ଥିଲା ସ୍ୱାଭାବିକ। କିନ୍ତୁ ତାହାର ଦୀର୍ଘବର୍ଷ ପରେ, ବିଗତ କିଛିବର୍ଷ ହେଲା, କୋଣାର୍କରେ ଥିବା ଅବଧୂତ ମଠର ମହନ୍ତ ଆଦିତ୍ୟ ଅନନ୍ତ ଅବଧୂତ ସେହି ରଥଯାତ୍ରାର ପୁନରାରମ୍ଭ କରିଛନ୍ତି। ଏହି ରଥଯାତ୍ରା ଶାମ୍ବଦଶମୀରୁ ଆରମ୍ଭ ହେଉଛି। ସୂର୍ଯ୍ୟଦେବଙ୍କର ଦୁଇ ବିଜେପ୍ରତିମା ଏକ ସ୍ୱତନ୍ତ୍ର ରଥରେ ଅବଧୂତ ମଠରୁ ଯାତ୍ରା କରି ଚନ୍ଦ୍ରଭାଗା ତଟସ୍ଥିତ ସେହି ମଠର ଏକ ଶାଖା ଛୋଟାରାମ ମଠକୁ ଯାଇ, ସେଠାରେ ୨୭ ଦିନ ଅବସ୍ଥାନ କରୁଛନ୍ତି। ତାଙ୍କର ବାହୁଡ଼ାଯାତ୍ରା ଅନୁଷ୍ଠିତ ହେଉଛି ମାଘ ସପ୍ତମୀରେ। ବିଶେଷ ଉଲ୍ଲେଖନୀୟ, ଯେ ଏହି ପ୍ରତିମା ହେଉଛନ୍ତି ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ମୂର୍ତ୍ତି। ଏହା କୋଣାର୍କର ଅତୀତ ଐତିହ୍ୟକୁ ପୁନର୍ଜୀବିତ କରିଛି।