ଜୀବନ-ମନ୍ତ୍ର: ଇନ୍ଦୁ ପୂର୍ଣ୍ଣମୀ

ଶ୍ରାବଣ ପୂର୍ଣ୍ଣମୀର ନାଆଁ ଯେପରି ‘ଗହ୍ମା ପୂର୍ଣ୍ଣମୀ’, ଭାଦ୍ରବ ପୂର୍ଣ୍ଣମୀର ନାଆଁ ସେପରି ‘ଇନ୍ଦୁ ପୂର୍ଣ୍ଣମୀ’। ‘ଗହ୍ମା’ ଓ ‘ଇନ୍ଦୁ’ ଏପରି ଗୋଟିଏ ଗୋଟିଏ ଶବ୍ଦ- ଯାହାର ବିଶେଷ ତାତ୍ପର୍ଯ୍ୟ ରହିଛି। ସେହି ତାତ୍ପର୍ଯ୍ୟ ଅନୁସାରେ ପୂର୍ଣ୍ଣମୀର ନାମକରଣ ହୋଇଛି। ‘ଇନ୍ଦୁ’ର ଅର୍ଥ- ଚନ୍ଦ୍ର। ଏହି ଶବ୍ଦଟି ଆସିଛି ‘ଇନ୍ଦ୍‌’ରୁ, ଯାହାର ଅର୍ଥ- ପ୍ରଭୁତ୍ୱ ବିସ୍ତାର କରିବା। ଚନ୍ଦ୍ର ହେଉଛନ୍ତି ୨୭ ନକ୍ଷତ୍ରଙ୍କର ସ୍ୱାମୀ ବା ପ୍ରଭୁ। ତେଣୁ ତାଙ୍କର ନାମ ‘ଇନ୍ଦୁ’।

‘ଇନ୍ଦୁ’ ବା ଚନ୍ଦ୍ର ଆଉ ଗୋଟିଏ ଶବ୍ଦ ସହ ମଧ୍ୟ ସଂପୃକ୍ତ। ସେହି ଶବ୍ଦଟି ହେଉଛି- ‘ଉନ୍ଦ୍‌’। ଏହାର ଅର୍ଥ- ଆର୍ଦ୍ର ବା ଓଦା ହେବା। ଆମ ପୁରାଣ ଉପାଖ୍ୟାନ ଅନୁସାରେ, ଚନ୍ଦ୍ର ସର୍ବଦା ସୁଧା ବା ଅମୃତରେ ଆର୍ଦ୍ର ହୋଇ ରହିଥାଆନ୍ତି। ସେଥିପାଇଁ ତାଙ୍କର ଆଉ ଗୋଟିଏ ନାମ ‘ସୁଧାକର’। ସଂସ୍କୃତ ଭାଷା ବା ବ୍ୟାକରଣର ଗୋଟିଏ ସୂତ୍ର ଅନୁସାରେ ଶବ୍ଦର ଆଦି ଅକ୍ଷର ‘ଉ’ ଥିଲେ ତାହା ‘ଇ’ ହୁଏ। ସେ ଦୃଷ୍ଟିରୁ ‘ଉନ୍ଦ୍‌’ ହୋଇଛି ‘ଇନ୍ଦ୍‌’, ଏବଂ ସେହି ଅନୁସାରେ ସେଥିରୁ ‘ଇନ୍ଦୁ’ ଶବ୍ଦ ସୃଷ୍ଟି ହୋଇଛି। ଏହା ‘ସୁଧାକର’କୁ ବୁଝାଏ।
କିନ୍ତୁ ଋତୁ ଦୃଷ୍ଟିରୁ ମଧ୍ୟ ‘ଇନ୍ଦୁ’ର ଅନ୍ୟ ତାତ୍ପର୍ଯ୍ୟ ଅଛି।

ପୂର୍ବରୁ କୁହାଯାଇଛି, ଯେ ‘ଇନ୍ଦ୍‌’ର ଅର୍ଥ ପ୍ରଭୁତ୍ୱ ବିସ୍ତାର କରିବା। ତେଣୁ ସେଥିରୁ ମଧ୍ୟ ‘ଇନ୍ଦ୍ର’ ନାମଟି ଆସିଛି। କାରଣ, ଇନ୍ଦ୍ର ଦେବତାମାନଙ୍କର ରାଜା। ଋତୁଚକ୍ର ଅନୁସାରେ, ଆଷାଢ଼ ଓ ଶ୍ରାବଣ ଦୁଇମାସ ବର୍ଷାଋତୁ ହୋଇଥିଲେ ମଧ୍ୟ, ସାଧାରଣତଃ ଭାଦ୍ରବ ମାସ ପର୍ଯ୍ୟନ୍ତ ବର୍ଷାଋତୁ ଲାଗି ରହିଥାଏ। ଏ ଦୃଷ୍ଟିରୁ ଭାଦ୍ରବ ପୂର୍ଣ୍ଣମୀକୁ ବର୍ଷା ଋତୁର ଶେଷ ଓ ଶରତ ଋତୁର ଆରମ୍ଭ ବୋଲି ଗ୍ରହଣ କରାଯାଏ। ବର୍ଷାଋତୁ ଶେଷ ହେବା ସହିତ ଇନ୍ଦ୍ରଙ୍କର ଆଧିପତ୍ୟ ଶେଷ ହୁଏ ଏବଂ ଚନ୍ଦ୍ରଙ୍କର ଆଧିପତ୍ୟ ଆରମ୍ଭ ହୁଏ। କାରଣ, ଏହିଠାରୁ ଆକାଶ ମେଘମୁକ୍ତ ଓ ନିର୍ମଳ ହେବା ସହିତ ଚନ୍ଦ୍ର ମଧ୍ୟ ନିର୍ମଳ ହୁଅନ୍ତି। ଏହା ସ୍ୱଚ୍ଛତା ବା ଶୁଭ୍ରତାର ଦ୍ୟୋତକ। ସେଥିପାଇଁ ଶ୍ୱେତପଦ୍ମର ଅନ୍ୟ ନାମ ‘ଇନ୍ଦୁକମଳ’।
ଏହି ସ୍ୱଚ୍ଛତା କାର୍ତ୍ତିକ ମାସ ପର୍ଯ୍ୟନ୍ତ ରହେ। ସେଥିପାଇଁ କାର୍ତ୍ତିକ ମାସର ସ୍ୱଚ୍ଛ ଜଳକୁ ‘କାର୍ତ୍ତିକେନ୍ଦୁ’ ବା କାର୍ତ୍ତିକ ମାସର ଚନ୍ଦ୍ରଙ୍କ ସହ ତୁଳନା କରାଯାଏ। ଲୋକପ୍ରଚଳିତ ଭାଷାରେ, ଏହା ‘କାଚକେନ୍ଦୁ’। ସେଥିପାଇଁ ସ୍ୱଚ୍ଛଜଳକୁ ଆମେ କାଚକେନ୍ଦୁ ପରି ଜଳ ବୋଲି କହୁ।

ସମ୍ବନ୍ଧିତ ଖବର