ଜୀବନ-ମନ୍ତ୍ର: ବିବାହ ପଞ୍ଚମୀ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ, ଚମ୍ପକ ଦ୍ୱାଦଶୀ ତିଥିରେ ଯେପରି ଶ୍ରୀକୃଷ୍ଣଙ୍କ ସହିତ ଋକ୍ମିଣୀଙ୍କର ବିବାହ ଅନୁଷ୍ଠିତ ହୁଏ, ସେହିପରି ମାର୍ଗଶିର ମାସ ପଞ୍ଚମୀ ତିଥିରେ ନେପାଳର ଜନକପୁରୀରେ ରାମଚନ୍ଦ୍ରଙ୍କ ସହିତ ଦେବୀ ସୀତାଙ୍କର ବିବାହ ଅନୁଷ୍ଠିତ ହୋଇଥାଏ। ସେଥିପାଇଁ ମାର୍ଗଶିର କୃଷ୍ଣ ପଞ୍ଚମୀ ‘ବିବାହ ପଞ୍ଚମୀ’ ଭାବରେ ନାମିତ। ସୀତାଙ୍କର ବିଭିନ୍ନ ନାମ ମଧ୍ୟରୁ ମୈଥିଳୀ, ଜାନକୀ ଓ ବୈଦେହୀ ଆଦି ଅତ୍ୟନ୍ତ ଲୋକପ୍ରିୟ। ମିଥିଳାର ରାଜକନ୍ୟା ହେତୁ ତାଙ୍କ ନାମ ମୈଥିଳୀ; ଜନକଙ୍କର କନ୍ୟା ହେତୁ ତାଙ୍କର ନାମ ଜାନକୀ ଏବଂ ପିତାଙ୍କ ସଦୃଶ ବିଦେହରୁ ଜନ୍ମ ହେତୁ ସେ ବୈଦେହୀ।

ପ୍ରାଚୀନ କାଳର କଥା। ମହର୍ଷି ବଶିଷ୍ଠଙ୍କ ଅଭିଶାପରେ ମହାରାଜ ନିମି ଦେହହୀନ ହୋଇଯିବାରୁ, ମୁନିମାନେ ପୁତ୍ରହୀନ ରାଜା ନିମିଙ୍କ ଶରୀରକୁ ଅରଣୀ ସାହାଯ୍ୟରେ ମନ୍ଥନ କରି ରାଜ୍ୟରକ୍ଷା ନିମିତ୍ତ ଏକ ପୁତ୍ର ଉତ୍ପନ୍ନ କରିଥିଲେ। ସେହି ପୁତ୍ରର ଏପରି ଜନ୍ମ ହେବାରୁ, ତାଙ୍କର ନାମ ହେଲା ଜନକ। ତାଙ୍କ ପିତାଙ୍କର ଦେହ ନ ଥିବାରୁ ତାଙ୍କର ନାମ ହେଲା ବୈଦେହ ଏବଂ ସେ ମନ୍ଥନରୁ ଉତ୍ପନ୍ନ ହୋଇଥିବାରୁ ତାଙ୍କ ନାମ ହେଲା ମିଥି। ଏହି ମିଥି, ମିଥିଳା ନଗରୀର ପ୍ରତିଷ୍ଠାତା। ତାଙ୍କର ନାମାନୁସାରେ ତାଙ୍କର ବଂଶଧର ହେଲେ ଜନକ। ବଂଶାନୁକ୍ରମେ ସୀରଧ୍ୱଜ ନାମକ ଜଣେ ରାଜା ହେଲେ। ଏକଦା ସେ ନିମିକୃତ ଯଜ୍ଞଭୂମିକୁ କର୍ଷଣ କରୁଥିବା ସମୟରେ, ସେଥିରୁ ସୀତା ପ୍ରକଟ ହେଲେ। ଏହି ସୀତା ହେଲେ ମିଥିଳାନନ୍ଦିନୀ ମୈଥିଳୀ।

ସାଂପ୍ରତିକ ସୂଚୀ ଅନୁସାରେ, ସଂପ୍ରତି ଭାରତର ବିହାର ରାଜ୍ୟର ଦରଭଙ୍ଗା, ମୁଙ୍ଗେର, କୋଶୀ, ପୂର୍ଣ୍ଣିୟା ଓ ଭାଗଲପୁର ଏବଂ ନେପାଳର ତରାଇ ଅଞ୍ଚଳର ମଧ୍ୟବର୍ତ୍ତୀ ସ୍ଥଳକୁ ମିଥିଳାଞ୍ଚଳ କୁହାଯାଏ। ଏହି ରାଜ୍ୟରେ ବହୁ ନଦୀ ପ୍ରବାହିତ ହେଉଥିବାରୁ ଏହାର ନାମ ତୀରଭୁକ୍ତି। କଥିତ ଅଛି, ରାଜା ସୀରଧ୍ୱଜ ଜନକଙ୍କର ରାଜଧାନୀ ଥିଲା ଜନକପୁରା ଏବଂ ସେହିଠାରେ ଦେବୀ ସୀତା ଜନ୍ମଗ୍ରହଣ କରିଥିଲେ। ଏହା ମଧ୍ୟ କଥିତ ଅଛି, ସନ୍ନ୍ୟାସୀ ସୁରକିଶୋର ଦାସ ଏହିଠାରୁ ସୀତାଙ୍କର ଏକ ସୁବର୍ଣ୍ଣ ପ୍ରତିମା ପାଇଥିଲେ। ୧୯୧୧ ମସିହାରେ ଟିକମଗଡ଼ର ରାଣୀ ବୃଷଭାନୁ କନୱାରୀ ତାହାକୁ ପ୍ରାମାଣିକ ସତ୍ୟ ଭାବରେ ଗ୍ରହଣ କରି ସେଠାରେ ଜାନକୀ ମନ୍ଦିର ନିର୍ମାଣ କରିଥିଲେ। ପରବର୍ତ୍ତୀ କାଳରେ ଏହି ମନ୍ଦିର ନିକଟରେ ସୀତାଙ୍କର ବିବାହ ସ୍ଥାନରେ ବିବାହମଣ୍ଡପ ନିର୍ମିତ ହେଲା।
ମାର୍ଗଶିର କୃଷ୍ଣ ପଞ୍ଚମୀ ତିଥିରେ ମହାସମାରୋହରେ ସେହି ବିବାହ ମଣ୍ଡପରେ ରାମ ଓ ସୀତାଙ୍କର ବିବାହ ଅନୁଷ୍ଠିତ ହୁଏ। ଏହା ବ୍ୟତୀତ, ସେଠାରେ ହୋଲି, ଦୀପାବଳି, ଛଟ୍ ଆଦି ପର୍ବ ମଧ୍ୟ ପାଳିତ ହୁଏ। ଏହି ସହରକୁ ପୁଷ୍କରିଣୀର ସହର ମଧ୍ୟ କୁହାଯାଏ। ଗଙ୍ଗାସାଗର, ଜାନକୀସାଗର ଆଦି ସହିତ ଏଠାରେ ଧନୁଷଧାମ ନାମକ ଏକ ପୁଷ୍କରିଣୀ ରହିଛି। ରାମ ଭାଙ୍ଗିଥିବା ଧନୁର ଶରରୁ ଏହି ପୁଷ୍କରିଣୀ ତିଆରି ବୋଲି ବିଶ୍ୱାସ କରାଯାଏ। ହିନ୍ଦୁମାନଙ୍କ ପାଇଁ ଅଯୋଧ୍ୟ ଯେପରି ଏକ ପବିତ୍ର ତୀର୍ଥ, ଠିକ୍ ସେହିପରି ମିଥିଳା ମଧ୍ୟ ଏକ ମହାନ୍ ତୀର୍ଥ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର