ମାଘ ଅମାବାସ୍ୟା ‘ତ୍ରିବେଣୀ ଅମାବାସ୍ୟା’ ନାମରେ ପ୍ରସିଦ୍ଧ। କାରଣ, ଏହିଦିନ ତ୍ରିବେଣୀ ତୀର୍ଥରେ ସ୍ନାନ କରାଯାଏ। ପ୍ରୟାଗଠାରେ ଗଙ୍ଗା ଓ ଯମୁନା ନଦୀ ସହିତ ଗୁପ୍ତ ସରସ୍ବତୀ ମିଳିତ ହୋଇଥିବାରୁ ଏହା ସୁପ୍ରସିଦ୍ଧ ତ୍ରିବେଣୀ ତୀର୍ଥ। ଏଣୁ ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ ବା ମହାକୁମ୍ଭରେ ଏଠାରେ ସ୍ନାନ ମହା ପୁଣ୍ୟପ୍ରଦ ବୋଲି ବିଶ୍ବାସ ରହିଛି। କିନ୍ତୁ ମାଘ ଅମାବାସ୍ୟାର ଅନ୍ୟ ନାମ ‘ମୌନୀ ଅମାବାସ୍ୟା’। ଏହି ନାମକରଣ ପଛରେ ଅନେକ କାରଣ ରହିଛି। ଅନେକଙ୍କ ମତରେ, ‘ମୌନ’ରୁ ଏହି ନାମ ହୋଇଛି। ଭାରତୀୟ ପରମ୍ପରାରେ ‘ମୌନତା’ର ରହିଛି ବିଶେଷ ମହତ୍ତ୍ବ। ପ୍ରତି ମାସର କୃଷ୍ଣ ଓ ଶୁକ୍ଳ ଏକାଦଶୀରେ ମୌନବ୍ରତ ଈଶ୍ବରପ୍ରାପ୍ତିର ଏକ ଅାଧାର। ଏହା ଫଳରେ ଆତ୍ମ ଉପଲବ୍ଧି ହୋଇଥାଏ। ମୌନତା ଅବଲମ୍ବନ ସହିତ ଈଶ୍ବରଙ୍କୁ ଧ୍ୟାନ କଲେ ଚିତ୍ତ ପ୍ରଶାନ୍ତ ଓ ଉତ୍ତରିତ ହୋଇଥାଏ। ଏଣୁ ଏହି ଅମାବାସ୍ୟାରେ ମୌନବ୍ରତ ଅବଲମ୍ବନ କରି ତ୍ରିବେଣୀ ତୀର୍ଥରେ ତିନିବାର ବୁଡ଼ ପକାଇଲେ ଅଶେଷ ପୁଣ୍ୟଫଳ ମିଳେ।
‘ମୌନ’ରୁ ଏହି ନାମ ହୋଇଛି। ଭାରତୀୟ ପରମ୍ପରାରେ ‘ମୌନତା’ର ରହିଛି ବିଶେଷ ମହତ୍ତ୍ବ। ପ୍ରତି ମାସର କୃଷ୍ଣ ଓ ଶୁକ୍ଳ ଏକାଦଶୀରେ ମୌନବ୍ରତ ଈଶ୍ବରପ୍ରାପ୍ତିର ଏକ ଅାଧାର। ଏହା ଫଳରେ ଆତ୍ମ ଉପଲବ୍ଧି ହୋଇଥାଏ।
‘ମୌନ’ ହେଉଛି ମୁନିଙ୍କର ଭାବ। ‘ମୁନି’ ସହିତ ଭାବାର୍ଥେ ‘ଅ’ ପ୍ରଯୁକ୍ତ ହୋଇ ସୃଷ୍ଟି ହୋଇଛି ‘ମୌନ’ ଶବ୍ଦ। ‘ମୁନି ହେଉଛନ୍ତି ସେ- ଯେ ‘ମନ୍’ ଅର୍ଥାତ୍ ଜ୍ଞାତା। ସେ ଧର୍ମାର୍ଥର ଜ୍ଞାତା ବା ଧର୍ମାର୍ଥ ଜାଣିବା ହେତୁ ମୁନି। ସେ ମନନ ଯୁକ୍ତ, ତେଣୁ ମୁନି। ତେବେ ‘ମୌନୀ ଅମାବାସ୍ୟା’ର ଅନ୍ୟାନ୍ୟ ମହତ୍ତ୍ବ ମଧ୍ୟ ରହିଛି। କଥିତ ଅଛି ଯେ ଏହିଦିନ ଦେବତା ଓ ଅସୁରଙ୍କ ସାଗର ମନ୍ଥନରୁ ଅମୃତର ଆବିର୍ଭାବ ଘଟିଥିଲା। ଅନ୍ୟ ମହତ୍ତ୍ବ ହେଉଛି- ଏହା ବୈବସ୍ବତ ମନୁଙ୍କର ଜନ୍ମଦିନ ବୋଲି କଥିତ। ଏ ହେଉଛନ୍ତି ଚତୁର୍ଦ୍ଦଶ ମନୁଙ୍କ ମଧ୍ୟରେ ସପ୍ତମ। ତାଙ୍କର ପିତା ବିବସ୍ବାନ ଓ ମାତା ଶରଣ୍ୟୁ। ତାହାଙ୍କର ପୂର୍ବ ଛଅ ମନୁ ହେଉଛନ୍ତି- ସ୍ବାୟଂଭୁବ, ସ୍ବାରୋଚିଷ, ଉତ୍ତମ, ତାମସ, ରୈବତ ଓ ଚାକ୍ଷୁସ। ସତ୍ୟବ୍ରତ ରୂପେ ସେ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟଅବତାର ସହ ସଂପୃକ୍ତ।