ନୂଆବର୍ଷ ଆରମ୍ଭରେ ଆମେ ସାଧାରଣତଃ ନୂଆ ସଂକଳ୍ପ ନେଇଥାଉ। ବିଶେଷକରି ଇଂରେଜୀ ନୂଆବର୍ଷ ବେଳେ, ଏହା ଅଧିକ ଚର୍ଚ୍ଚିତ ‌ହୋଇଥାଏ। କିନ୍ତୁ ବର୍ଷ ସରିବା ବେଳକୁ ଅନେକ ସମୟରେ ଦେଖାଯାଏ, ଯେ ବର୍ଷ ଆରମ୍ଭରେ ନେଇଥିବା ସଂକଳ୍ପ ସାର୍ଥକ ହୋଇନାହିଁ।
ଏପରି କାହିଁକି ହୁଏ? ଏହା ଜାଣିବାପାଇଁ ଏହି ଉପାଖ୍ୟାନଟି ଆମର ପଥପ୍ରଦର୍ଶକ ହେବ।
ଜଣେ ଗୁରୁ ଥିଲେ। ତାଙ୍କର ନାଆଁ ଚନ୍ଦ୍ରପ୍ରଭ। ଦିନେ ତାଙ୍କୁ ତାଙ୍କର ଜଣେ ଶିଷ୍ୟ ପ୍ରଶ୍ନ କଲେ- ଏ ସଂସାରରେ ସବୁଠୁ କଠିନ କାମ କ’ଣ?
ସେତେବେଳକୁ ଗୁରୁ ଗୋଟିଏ ପାହାଡ଼ର ଚଟାଣରେ ବସିଥିଲେ। ସେ କହିଲେ- ଏଇ ପାହାଡ଼କୁ ଓଲଟାଇ ଫୋପାଡ଼ି ଦେବା ସବୁଠୁ କଠିନ କାମ।
ଶିଷ୍ୟ ପଚାରିଲେ- ପଥରଠୁ କଠିନ କ’ଣ ଆଉ କିଛି ନାହିଁ? 
ଗୁରୁ କହିଲେ- ପଥରଠାରୁ କଠିନ ହେଉଛି ଲୁହା। ବିରାଟ ଲୁହାଖଣ୍ଡକୁ ଯଦି ଉଚ୍ଚରୁ ପାହାଡ଼ ଉପରେ ପକାଯାଏ, ତେବେ ତା’ର ପଥରମାନ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବ।
ଶିଷ୍ୟ ପୁଣି ପଚାରିଲେ- ଲୁହାଠୁ କଠିନ କ’ଣ ଆଉ କିଛି ଥାଇପାରେ?
ଗୁରୁ କହିଲେ- ହଁ, ନିଆଁ ଲୁହାକୁ ବି ତରଳାଇ ଦେଇ ପାରେ।
ଏଥର ଶିଷ୍ୟ ପଚାରିଲେ- ନିଆଁଠୁ ଶକ୍ତ ଆଉ କିଛି ଅଛି?
ଗୁରୁ କହିଲେ- ହଁ, ପାଣି ନିଆଁକୁ ଲିଭାଇ ଦେଇପାରେ।
ଶିଷ୍ୟ ଆହୁରି କୌତୂହଳୀ ହୋଇ ପଚାରିଲେ- ପାଣିଠୁ କଠିନ ଆଉ କ’ଣ ଅଛି?
ଏଥର ଗୁରୁ ହସି ହସି କହିଲେ- ହଁ, ସବୁଠୁ କଠିନ ହେଉଛି ମଣିଷର ମନ। ମନରେ ଯଦି ଥରେ ଦୃଢ଼ ସଂକଳ୍ପ କରାଯାଏ, ତେବେ ତାହା ଜଳଧାରାର ଦିଗ ପରିବର୍ତ୍ତନ କରିଦେଇପାରେ; ଶକ୍ତ ଲୁହାଖଣ୍ଡକୁ ବି ତରଳାଇଦେଇପାରେ; ଶକ୍ତ ପଥରକୁ ମଧ୍ୟ ଭାଙ୍ଗି ଖଣ୍ଡଖଣ୍ଡ କରିଦେଇପାରେ।
ଏଣୁ ନୂଆବର୍ଷରେ ହେଉ ବା ‌ଅନ୍ୟ ଯେକୌଣସି ସମୟରେ- ଆମେ କିଛି ଭଲକାମ ପାଇଁ ସଂକଳ୍ପ କରିବା ବେଳେ, ତାହା ଦୃଢ଼ ମନରେ କରିବା ଉଚିତ।