ପୁଷ୍ୟାଭିଷେକ ଶ୍ରୀମନ୍ଦିରର ଓ ଶ୍ରୀନଅରର ଏକ ଗୁରୁତ୍ବପୂର୍ଣ୍ଣ ନୀତି। ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣମୀ ଦିନ ଶ୍ରୀଜଗନ୍ନାଥଙ୍କର ଯେଉଁ ଅଭିଷେକ ହୁଏ, ତାହା ପୁଷ୍ୟାଭିଷେକ। ଦେବତାଙ୍କର ସେହି ଅଭିଷେକର ପରଦିନ ଶ୍ରୀନଅରରେ ମଧ୍ୟ ଗଜପତି ମହାରାଜାଙ୍କର ଅଭିଷେକ ହୁଏ। ତାହାକୁ ମଧ୍ୟ ପୁଷ୍ୟାଭିଷେକ କୁହାଯାଏ। ଗଜପତି ମହାରାଜା ଶ୍ରୀମନ୍ଦିରର ଆଦ୍ୟ ସେବକ। ଲୋକେ ତାଙ୍କୁ ‘ଠାକୁରରାଜା’ ବା ‘ଚଳନ୍ତିବିଷ୍ଣୁ’ ରୂପେ ଗ୍ରହଣ କରୁଥିଲେ ମଧ୍ୟ, ଶ୍ରୀମନ୍ଦିରର ମହାନ ସେବା ଓ ସେବକ ପରମ୍ପରା ଅନୁସାରେ, ଶ୍ରୀଜଗନ୍ନାଥ ହିଁ ରାଜା। ଅନ୍ୟ ସମସ୍ତେ ତାଙ୍କର ସେବକ। ସେହି ଦୃଷ୍ଟିରୁ ଗଜପତି ମହାରାଜା ତାଙ୍କର ଆଦ୍ୟସେବକ। କିନ୍ତୁ ଶ୍ରୀନଅରର ପୁଷ୍ୟାଭିଷେକ ପରମ୍ପରାରେ ଆଉ ଗୋଟିଏ ମହାନ୍ ନିଦର୍ଶନ ଅଛି।
ତାହା ହେଉଛି- ବିଧି ବ୍ୟବସ୍ଥାମତେ ପୁଷ୍ୟାଭିଷେକ ନୀତି ସଂପନ୍ନ ହେବା ପରେ, ଗଜପତି ମହାରାଜା ରାଜକୀୟ ବେଶରେ ଥାଇ ଦେବାର୍ଚ୍ଚନ ଗୃହ ବା ଗାଦିକୁ ଆସନ୍ତି। ଷୋଳଶାସନର ବ୍ରାହ୍ମଣମାନେ ତାଙ୍କ ନିମନ୍ତେ ଆଣିଥିବା ସୁନା ବା ରୁପା ପଇତା ଓ ଶ୍ରୀଫଳକୁ ତାଙ୍କର ମସ୍ତକ ସ୍ପର୍ଶ କରାଯାଏ। ତାହା ପରେ ଅନୁଷ୍ଠିତ ହୁଏ ସେହି ଗୁରୁତ୍ବପୂର୍ଣ୍ଣ ନୀତି। ଅଗଣାରେ ଧଳା ପତନିକୁ ‘ପାହାଡ଼ା’ ରୂପେ ବିଛା ଯାଇଥାଏ। ଷୋଳଶାସନର ବ୍ରାହ୍ମଣମାନେ ତାହା ଉପରେ ନିଜର ପାଦ ରଖନ୍ତି; ଅର୍ଥାତ୍ ସେମାନଙ୍କର ପଦରଜ ଦିଅନ୍ତି। ତାହା ପରେ ପୁଷ୍ପାଳକ ସେବକ ତାହାକୁ ଏକାଠି କରି ନେଇ ଗଜପତିଙ୍କର ମସ୍ତକରେ ସ୍ପର୍ଶ କରାନ୍ତି। ଗଜପତି ମହାରାଜା ‘ଠାକୁର ରାଜା’ ବା ଚଳନ୍ତି ବିଷ୍ଣୁ ହେଲେ ମଧ୍ୟ, ଏହିପରି ଭାବରେ ପୁଷ୍ୟାଭିଷେକ ଦିନ ଷୋଳଶାସନର ବ୍ରାହ୍ମଣମାନଙ୍କର ପଦରଜକୁ ନିଜର ମସ୍ତକରେ ଆଶିର୍ବାଦ ରୂପେ ଗ୍ରହଣ କରିଥାନ୍ତି।