ଏକାଦଶୀ ଭଗବାନ ବିଷ୍ଣୁଙ୍କ ପୂଜନର ପୁଣ୍ୟ ତିଥି। ବର୍ଷକ ବାରମାସ ଏବଂ ପ୍ରତି ମାସରେ ଦୁଇଟି ପକ୍ଷ- କୃଷ୍ଣ ଓ ଶୁକ୍ଳ। ଏହି ଅନୁସାରେ ପ୍ରତିବର୍ଷ ୧୨ଟି କୃଷ୍ଣ ଏକାଦଶୀ ଓ ୧୨ଟି ଶୁକ୍ଳ ଏକାଦଶୀ- ଏହିପରି ମୋଟ ୨୪ଟି ଏକାଦଶୀ ପାଳିତ ହୋଇଥାଏ। ଜଗନ୍ନାଥ ଦାସଙ୍କ ନାମରେ ପ୍ରଚଳିତ ‘ଏକାଦଶୀ ମାହାତ୍ମ୍ୟ’ରେ ଏହି ୨୪ ଏକାଦଶୀ ପ୍ରସଙ୍ଗ ବର୍ଣ୍ଣିତ ଅଛି।

Advertisment

ମଳମାସ ବା ଅଧିମାସ ଏହି ୧୨ ମାସର ଅନ୍ତର୍ଭୁକ୍ତ ନୁହେଁ। ଏହା ଅଧିକମାସ ବା ତ୍ରୟୋଦଶ ମାସ। ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥ ଏହି ମାସକୁ ନିଜର ନାମ ଦେଇଥିବାରୁ, ଏହାର ନାମ ‘ପୁରୁଷୋତ୍ତମ ମାସ’। ତେଣୁ, ନାମାନୁସାରେ ଏହି ମାସର ଏକାଦଶୀର ନାମ ମଧ୍ୟ ‘ପୁରୁଷୋତ୍ତମ ଏକାଦଶୀ’ ହୋଇଛି।
ମଳମାସ ବା ଅଧିମାସ ପୁରୁଷୋତ୍ତମ ମାସ ହୋଇଥିବାରୁ, ‘ପଦ୍ମପୁରାଣ’ ଅନୁସାରେ ଏହାର ନାମ ମଧ୍ୟ ‘ପରଂବ୍ରହ୍ମାତ୍ମକ ମାସ’। ଏ ମାସର ମାହାତ୍ମ୍ୟ ସଂପର୍କରେ ସଂସ୍କୃତ ‘ବୃହନ୍ନାରଦୀୟ ପୁରାଣ’ ଓ ‘ପଦ୍ମପୁରାଣ’ରେ ବର୍ଣ୍ଣିତ ଅଛି। ବୃହନ୍ନାରଦୀୟ ପୁରାଣ ଅନ୍ତର୍ଗତ ‘ପୁରୁଷୋତ୍ତମ ମାସ ମାହାତ୍ମ୍ୟ’ରେ ଏହି ମାସ ସଂପର୍କରେ ବର୍ଣ୍ଣନା କରି କୁହାଯାଇଛି- ଯେପରି ହଳ କରି କ୍ଷେତରେ ବୁଣାଯାଉଥିବା ବୀଜ ବହୁଗୁଣରେ ବଢ଼େ, ସେହିପରି ପୁରୁଷୋତ୍ତମ ମାସରେ କରାଯାଉଥିବା ପୁଣ୍ୟ ବହୁ ଗୁଣରେ ଅଧିକ ହୋଇଥାଏ। ଏପରିକି, ଚାରି ପୁଣ୍ୟମାସ, ଯଥା ‘ଆ-କା-ମା-ବୈ’ ବା ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ମାସ ଅପେକ୍ଷା ଏହିମାସ ଅଧିକ ପୁଣ୍ୟପ୍ରଦ। ଏହି ମାସରେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଅଲୌକିକ ଲୀଳା ଶ୍ରବଣ ପରମ ମୋକ୍ଷପ୍ରଦ ବୋଲି କୁହାଯାଇଛି। ଏହା ମଧ୍ୟ କୁହାଯାଇଛି, ଯେ ଅନ୍ୟ ମାସମାନଙ୍କରେ କାମନା କରାଯାଉଥିବା ଫଳ ମିଳୁଥିବା ବେଳେ, ଏହି ମାସରେ କାମନା ନକରି ମଧ୍ୟ ଫଳ ମିଳିଥାଏ।
ଏଣୁ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ- ଏହି ଚାରି ପୁଣ୍ୟମାସ ଅପେକ୍ଷା ପୁରୁେଷୋତ୍ତମ ମାସ ଅଧିକ ପୁଣ୍ୟପ୍ରଦ ହୋଇଥିବାରୁ, ଏହି ମାସର ଏକାଦଶୀ ବା ପୁରୁଷୋତ୍ତମ ଏକାଦଶୀ ମଧ୍ୟ ଅତ୍ୟନ୍ତ ପୁଣ୍ୟପ୍ରଦ। ଏଣୁ ଏହି ମାସରେ ଭକ୍ତମାନେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ, କଳ୍ପବଟ ନିକଟରେ ଥିବା ‘ମଳମାସ ନାରାୟଣ’ ବା ‘ବରାହ ନାରାୟଣ’ଙ୍କୁ ଉପାସନା କରିଥାଆନ୍ତି। ଏହି ମାସର ଏକାଦଶୀ ବା ‘ପୁରୁଷୋତ୍ତମ ଏକାଦଶୀ’ ମଧ୍ୟ ସେମାନେ ନିଷ୍ଠାର ସହ ପାଳନ କରନ୍ତି।

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]