ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ, ତିନି ରଥରେ ସାତଦେବତା ଯାତ୍ରା କରନ୍ତି। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ତାଙ୍କ ସହିତ ମଦନମୋହନ; ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ତାଙ୍କ ସହିତ ରାମ ଓ କୃଷ୍ଣ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ତାଙ୍କ ସହିତ ଶ୍ରୀସୁଦର୍ଶନ। ଏ ସାତ ଦେବତାଙ୍କ ସହିତ ତିନିରଥକୁ ମିଶାଇ ଏହା ଦଶଦେବତାଙ୍କ ଯାତ୍ରା ବା ଦଶାବତାର ଯାତ୍ରା। ଏଥିରେ ତିନିରଥ- ତିନି ଆସନ ଦେବତା। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ ତିନି ରଥକୁ ତିନି ଆସନ ଦେବତା ବୋଲି କୁହାଯାଇଛି।
ବୈଦିକ ସାହିତ୍ୟରେ, ବିଭିନ୍ନ ପ୍ରକାରର ରଥର ବର୍ଣ୍ଣନା ମିଳେ। ସେଥିରେ ରଥକୁ କେବଳ ଏକ ଯାନ ରୂପେ ଗ୍ରହଣ କରାଯାଇ ନାହିଁ। ସେଥିରେ ମଧ୍ୟ, ରଥ କିପରି ଏକ ପ୍ରତୀକ ବା ଏକ ଦେବତା- ସେ କଥା କୁହାଯାଇଛି।
ପୁରୀ ରଥଯାତ୍ରାର ତିନି ରଥ ପରି, ବୈଦିକ ସାହିତ୍ୟରେ ବର୍ଣ୍ଣିତ ସବୁ ରଥ କାଠରେ ନିର୍ମିତ। ଏ ଦୃଷ୍ଟିରୁ ଋକ୍‌ବେଦ ସଂହିତାର ଗୋଟିଏ ମନ୍ତ୍ରରେ ରଥକୁ ‘ବନସ୍ପତି’ ବୋଲି ସମ୍ବୋଧନ କରାଯାଇଛି। ଏହି ମନ୍ତ୍ର ସେହି ସଂହିତାର ଚାରି ରଥମନ୍ତ୍ର ମଧ୍ୟରୁ ଗୋଟିଏ। ସେଥିରେ କୁହାଯାଇଛି- “ହେ ଯଜ୍ଞର ପୁରୋହିତଗଣ! ଆପଣମାନେ ପୃଥ୍ୱୀ ଓ ସୂର୍ଯ୍ୟାଲୋକରୁ ଗ୍ରହଣ କରାଯାଇଥିବା ତେଜକୁ, ବନସ୍ପତିଠାରୁ ନେଇଥିବା ବଳକୁ, ଜଳରୁ ପ୍ରାପ୍ତ ପରାକ୍ରମଯୁକ୍ତ ରସକୁ ସବୁଦିଗରୁ ନିୟୋଜିତ କରାନ୍ତୁ। ସୂର୍ଯ୍ୟକିରଣ ଦ୍ୱାରା ଆଲୋକିତ, ବଜ୍ର ସମାନ ସୁଦୃଢ଼ ରଥକୁ ଯଜନ କାର୍ଯ୍ୟରେ ସମର୍ପିତ କରନ୍ତୁ।”
ଏହି ମନ୍ତ୍ରର ବିଶେଷତ୍ୱ ହେଉଛି- ଏଥିରେ ରଥକୁ ପୃଥିବୀ ଓ ସ୍ୱର୍ଗର ସାର ବୋଲି କୁହାଯାଇଛି। କାରଣ, ବନସ୍ପତି ବା ବୃକ୍ଷ, ସ୍ୱର୍ଗର ସାର ଜଳ ଏବଂ ପୃଥିବୀର ସାର ମୃତ୍ତିକାଦ୍ୱାରା ପରିବର୍ଦ୍ଧିତ ହୋଇଥାଏ। ରଥ ସେହି ବନସ୍ପତି (କାଷ୍ଠ) ଦ୍ୱାରା ନିର୍ମିତ ହୁଏ। ଶ୍ରୀକ୍ଷେତ୍ର ପୁରୀରେ ହେଉଥିବା ତିନି ରଥର ନିର୍ମାଣ ପାଇଁ ଯେଉଁ ବନସ୍ପତି ବା କାଷ୍ଠ ସଂଗ୍ରହ କରାଯାଏ- ସେଥିରେ ବନଯାଗ ବିଧି ଅନୁସୃତ ହୁଏ। ଋକ୍‌ବେଦ ସଂହିତାର ମନ୍ତ୍ର ସହିତ ଏହାର ସଂପର୍କ ଅଛି। ସେଥିରେ ରଥ ଉଦ୍ଦେଶ୍ୟରେ ହବି ବା ଆହୁତି ପ୍ରଦାନ କରି ବିନିଯୋଗ କରିବା କଥା କୁହାଯାଇଛି। ଏଣୁ, ରଥ କେବଳ ସ୍ତୁତି କରାଯାଉଥିବା ଦେବତା ନୁହେଁ, ରଥ ମଧ୍ୟ ହବି ଗ୍ରହଣ କରୁଥିବା ଦେବତା।

Advertisment

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]