ଜ୍ୟେଷ୍ଠ ଶୁକ୍ଳ ଦଶମୀ ‘ଗଙ୍ଗା ଦଶହରା’ ଭାବରେ ଖ୍ୟାତ। କାରଣ, ଗଙ୍ଗା ନଦୀ ତ୍ରିପଥଗା। ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳ ଅର୍ଥାତ୍‌ ତ୍ରିଲୋକ ହେଉଛି ଏହି ନଦୀର ଗତିପଥ। କିନ୍ତୁ ଭଗବାନ ବିଷ୍ଣୁଙ୍କ ନଖକୋଣରେ ଅବସ୍ଥାନ କରିଥିବା ଏହି ନଦୀ ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ଧରାବତରଣ କରିଥିଲେ। ଗଙ୍ଗାଙ୍କର ଗୋଟିଏ ନାଆଁ ‘ସୁରଧୁନୀ’। ଏହା ‘ସ୍ବର୍ଗଗଙ୍ଗା’। ଏହାଙ୍କର ଆଉ ଗୋଟିଏ ନାଆଁ ‘ମନ୍ଦାକିନୀ’। ଏ ସଂପର୍କରେ ପୁରାଣମାନଙ୍କରେ ବର୍ଣ୍ଣନା ଅଛି, ଯେ ହିମାଳୟଙ୍କ ପତ୍ନୀ ମେନାଙ୍କର ଦୁଇ କନ୍ୟା ହେଉଛନ୍ତି ଗଙ୍ଗା ଓ ଉମା। ଗଙ୍ଗାଙ୍କର ଜନ୍ମ ପରେ ଦେବତାମାନେ ହିମାଳୟଙ୍କୁ ଅନୁରୋଧ କରି ତାଙ୍କୁ ସ୍ବର୍ଗକୁ ନେଇଯାଇଥିଲେ। ସେଠାରେ ସେ ଏକ ନଦୀ ର‌ୂପେ ଦେବତାମାନଙ୍କର ଆନନ୍ଦବର୍ଦ୍ଧନ କଲେ। ପରେ ସେ ଧରାବତରଣ କ‌ରିଥିଲେ।

Advertisment

ଗଙ୍ଗାଙ୍କର ଗୋଟିଏ ନାଆଁ ‘ସୁରଧୁନୀ’। ଏହା ‘ସ୍ବର୍ଗଗଙ୍ଗା’। ଏହାଙ୍କର ଆଉ ଗୋଟିଏ ନାଆଁ ‘ମନ୍ଦାକିନୀ’। ଏ ସଂପର୍କରେ ପୁରାଣମାନଙ୍କରେ ବର୍ଣ୍ଣନା ଅଛି, ଯେ ହିମାଳୟଙ୍କ ପତ୍ନୀ ମେନାଙ୍କର ଦୁଇ କନ୍ୟା ହେଉଛନ୍ତି ଗଙ୍ଗା ଓ ଉମା।

ଗଙ୍ଗାଙ୍କର ଧରାବତରଣର କାହାଣୀ ମଧ୍ୟ ଅତ୍ୟନ୍ତ ରୋଚକ। ଅଯୋଧ୍ୟାର ରାଜା ଥିଲେ ସଗର। ସେ ଥରେ ଗୋଟିଏ ଅଶ୍ବମେଧ ଯଜ୍ଞ କଲେ। କିନ୍ତୁ ଇନ୍ଦ୍ର ଛଦ୍ମବେଶରେ ଆସି ସେହି   ଯଜ୍ଞର ଅଶ୍ବକୁ ଚୋରାଇନେଲେ। ସେହି ଅଶ୍ବକୁ ନେଇ ସେ କପିଳ ମୁନିଙ୍କ ତପସ୍ୟା ଛଳରେ ଛାଡ଼ିଦେଲେ। ସଗରଙ୍କର ଥିଲେ ସୁମତି ନାମ୍ନୀ ଜଣେ ରାଣୀ। ତାଙ୍କର ଥିଲେ ଷା‌ଠିଏ ସହସ୍ର ପୁତ୍ର। ସେମାନେ ଯେପରି ବଳବାନ, ସେପରି   ଉଦ୍ଧତ। ପିତା ସଗରଙ୍କ ଆଦେଶରେ ସେମାନେ ଖୋଜି ଖୋଜି ଆସି କପିଳମୁନିଙ୍କ ଆଶ୍ରମରେ ପହଞ୍ଚିଲେ ଏବଂ ଯଜ୍ଞାଶ୍ବଟିକୁ ଦେଖିଲେ। କପିଳମୁନି ହିଁ ସେହି ଅଶ୍ବକୁ ଚୋରାଇ ଆଣିଛନ୍ତି ବୋଲି ସେମାନେ ମନେକଲେ। କ୍ରୋଧିତ ହୋଇ ସେମାନେ ତପସ୍ୟାରତ ସେହି ମୁନିଙ୍କୁ ବହୁ ଦୁର୍ବ୍ୟବହାର କଲେ। କପିଳ ଥିଲେ ଭଗବାନ ବିଷ୍ଣୁଙ୍କର ଅବତାର। ତାଙ୍କର ଧ୍ୟାନଭଙ୍ଗ ହେଲା। ସେ କୁପିତ ହୋଇ ଚାହିଁବାରୁ ସଗରଙ୍କର ଷାଠିଏ ସହସ୍ର ପୁତ୍ର ସେହି କ୍ରୋଧାଗ୍ନିରେ ଜଳିଗଲେ।

ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ ଥିଲେ ସେହି ସଗରପୁତ୍ରମାନଙ୍କର ମାତୁଳ। ସେ କହିଲେ, ସ୍ବର୍ଗନିବାସିନୀ ଗଙ୍ଗାଙ୍କୁ ଯଦି ତପବଳରେ ମର୍ତ୍ତ୍ୟକୁ ଅଣାଯାଇପାରିବ, ସେହି ଜଳରେ ତର୍ପଣ କଲେ ସେମାନେ ଉଦ୍ଧାର ପାଇବେ। ପରେ ସଗରରାଜ ଦିଲୀପଙ୍କ ପୁତ୍ର ଭଗୀରଥ କଠୋର ତପସ୍ୟା କରି ଗଙ୍ଗାଙ୍କୁ ସ୍ବର୍ଗରୁ ମର୍ତ୍ତ୍ୟକୁ ଆଣିଥିଲେ। ତେଣୁ ଗଙ୍ଗାଙ୍କର ଅନ୍ୟ ନାମ ଭାଗୀରଥି। ଜ୍ୟେଷ୍ଠ ଶୁକ୍ଳ ଦଶମୀ ବା ଗଙ୍ଗା ଦଶହରା ସ୍ବର୍ଗଗଙ୍ଗାଙ୍କର ସେହି ମର୍ତ୍ତ୍ୟାବତରଣର ତିଥି। ଏହି ତିଥିରେ ଗଙ୍ଗା ସ୍ନାନ କଲେ ବା ଯେ କୌଣସି ଜଳକୁ ଗଙ୍ଗାନାରାୟଣ ‌ମନେକରି ସେଥିରେ ସ୍ନାନ କଲେ, କାୟିକ, ବାଚିକ ବା ମାନସିକ ଦଶବିଧ ପାପ ନାଶ ହୁଏ ବୋଲି ବିଶ୍ବାସ କରାଯାଏ।
- ଅସିତ ମହାନ୍ତି