ଶାସ୍ତ୍ରରେ ବିହିତ ଶୟନ ନୀତି ଅନୁସାରେ, ଦେବଶୟନ କାଳ ହେଉଛି ଚାରିମାସ। ସେହି ଅନୁସାରେ, ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ହରିଶୟନ ନୀତି ପାଳିତ ହୋଇଥାଏ। ତେଣୁ ତାହାର ନାମ ହରିଶୟନ ଏକାଦଶୀ। ତାହାର ଦୁଇ ମାସ ପରେ, ଭାଦ୍ରବ ଶୁକ୍ଳ ଏକାଦଶୀରେ ପାଳିତ ହୁଏ ପାର୍ଶ୍ୱପରିବର୍ତ୍ତନ ନୀତି; ଅର୍ଥାତ୍ ସେହିଦିନ ହରି ବା ବିଷ୍ଣୁ କଡ଼ ଲେଉଟାନ୍ତି। ତାହାର ଆହୁରି ଦୁଇ ମାସ ପରେ, କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ପାଳିତ ହୁଏ ଦେବଉତ୍ଥାନ ନୀତି।
ଏକାଦଶୀ ବିଷ୍ଣୁଙ୍କର ପ୍ରିୟ ତିଥି। ତେଣୁ ଏହି ତିଥିରେ ହିଁ ବିଷ୍ଣୁ ଶୁଅନ୍ତି, କଡ଼ ଲେଉଟାନ୍ତି ଏବଂ ନିଦରୁ ଉଠନ୍ତି। ତାଙ୍କର ବାହନ ଗରୁଡ଼ ମଧ୍ୟ, ଏହିପରି ଭାବରେ ଆଷାଢ଼ ଶୁକ୍ଳଦ୍ୱାଦଶୀ ତିଥିରେ ଶୁଅନ୍ତି, ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ପାର୍ଶ୍ବପରିବର୍ତ୍ତନ କରନ୍ତି ଏବଂ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଉଠନ୍ତି। ଦେବଦେବ ମହାଦେବଙ୍କର ଶୟନ ନୀତି ଏହାର ବ୍ୟତିକ୍ରମ ନୁହେଁ। ତାଙ୍କର ପ୍ରିୟ ତିଥି ଚତୁର୍ଦ୍ଦଶୀ। ତେଣୁ ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀରେ ଅନୁଷ୍ଠିତ ହୁଏ ତାଙ୍କର ଶୟନ ନୀତି ଏବଂ ଯଥାକ୍ରମେ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଓ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ଅନୁଷ୍ଠିତ ହୁଏ ତାଙ୍କର ପାର୍ଶ୍ବପରିବର୍ତ୍ତନ ଓ ଉତ୍ଥାନ ନୀତି। ଏଣୁ ସେ ମଧ୍ୟ ତାଙ୍କର ପ୍ରିୟ ତିଥିରେ ଶୁଅନ୍ତି, ପ୍ରିୟ ତିଥିରେ କଡ଼ ଲେଉଟାନ୍ତି ଏବଂ ପ୍ରିୟ ତିଥିରେ ନିଦରୁ ଉଠନ୍ତି।
ସାଧାରଣତଃ, ଶ୍ରୀଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ବା ଆଷାଢ଼ ଶୁକ୍ଳ ଦଶମୀର ପରଦିନ, ଅନୁଷ୍ଠିତ ହୋଇଥାଏ ତାଙ୍କର ଶୟନ ଯାତ୍ରା। ସେହିପରି, ତାହାର ପରଦିନ, ଅର୍ଥାତ୍ ଦ୍ୱାଦଶୀ ତିଥିରେ ଗରୁଡ଼ଙ୍କର ଏବଂ ଚତୁର୍ଦ୍ଦଶୀ ତିଥିରେ ଶିବଙ୍କର ଶୟନନୀତି ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏବର୍ଷ ଶ୍ରାବଣ ମାସରେ ମଳମାସ ପଡ଼ୁଥିବାରୁ, ଏ ମାସରେ ଗୋଟିଏ ଅଧିକ ମାସ ହୋଇଛି। ସେଥିପାଇଁ ବାହୁଡ଼ା ଦଶମୀ ପରର ଏକାଦଶୀରେ ହରିଶୟନ ନୀତି, ଦ୍ୱାଦଶୀରେ ଗରୁଡ଼ ଶୟନ ନୀତି ଏବଂ ଚତୁର୍ଦ୍ଦଶୀରେ ଶିବଶୟନ ନୀତି ପାଳିତ ନହୋଇ, ତାହା ଯଥାକ୍ରମେ ଶ୍ରାବଣ ଶୁକ୍ଳ ଏକାଦଶୀ, ଦ୍ୱାଦଶୀ ଓ ଚତୁର୍ଦ୍ଦଶୀରେ ପାଳିତ ହେଉଛି। କାରଣ, ସେମାନେ ଦେବତା ହେଲେ ମଧ୍ୟ, ଶାସ୍ତ୍ର ଅନୁସାରେ, ନିର୍ଦ୍ଦିଷ୍ଟ ଅବଧିରୁ ଅଧିକ ଦିନ ବା ପାଞ୍ଚମାସ ଶୋଇବା ତାଙ୍କ ପାଇଁ ଅବିଧି। ଚାରି ମାସ ଶୋଇବା ହିଁ ବିଧି।
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]