ସୋମନାଥ ବ୍ରତ ଓଡ଼ିଶାର ଗୋଟିଏ ପ୍ରସିଦ୍ଧ ବ୍ରତ। ଏହା ଶିବଙ୍କର ବ୍ରତ। କିନ୍ତୁ ପଶ୍ଚିମ ଭାରତର ଗୁଜୁରାଟରେ ଥିବା ସୋମନାଥ ଜ୍ୟୋତିର୍ଲିଙ୍ଗ ଏହି ବ୍ରତର ଉପାସ୍ୟ ଦେବତା। ଏହା ମୁଖ୍ୟତଃ ତାଙ୍କର ବ୍ରତ।
ଓଡ଼ିଆରେ ଅନ୍ୟୂନ ଚାରିଟି ‘ସୋମନାଥ ବ୍ରତକଥା’ ଅଛି। ତାହାର ବର୍ଣ୍ଣନା ଓ ଉପସ୍ଥାପନାରେ କିଂଚିତ୍ ଭିନ୍ନତା ଥିଲେ ମଧ୍ୟ, ମୁଖ୍ୟ କାହାଣୀଭାଗ ପ୍ରାୟ ସମାନ। କେଉଁ ବ୍ରତ କଲେ ସେ ସହଜରେ ସନ୍ତୁଷ୍ଟ ହୁଅନ୍ତି ବୋଲି ଏକଦା ପାର୍ବତୀ ପଚାରିବାରେ ଶିବ ତାଙ୍କୁ ଏହି ବ୍ରତକଥା କହିଥିଲେ।
କାପୁଡ଼ିଆମାନେ ସୋମନାଥଙ୍କର ଭକ୍ତ ଓ ପ୍ରଚାରକ। ସେମାନେ କନ୍ଥାଧାରୀ ଯତି। ପୂର୍ବେ ସେମାନେ ବିଭିନ୍ନ ଦେଶ (ରାଜ୍ୟ) ବୁଲି ସୋମନାଥଙ୍କର ମହିମା ପ୍ରଚାର କରିବା ସହିତ ସୋମନାଥ ବ୍ରତର ପ୍ରସାର କରୁଥିଲେ। ଓଡ଼ିଆ ସୋମନାଥ ବ୍ରତକଥାଗୁଡ଼ିକ ତାଙ୍କୁ ଆଧାର କରି କଥିତ ହୋଇଛି। ବ୍ରତ କଥା ଅନୁସାରେ–ବୀରବିକ୍ରମ କେଶରୀ ନାମରେ ଜଣେ ଭାଗ୍ୟବନ୍ତ ରାଜା ଥିଲେ। ଭିନ୍ନ ଭିନ୍ନ ବ୍ରତକଥାରେ ତାଙ୍କର ଦେଶ ମାଳବ, କର୍ଣ୍ଣାଟ ଓ ବିକ୍ରମ ପାଟେଳି ବୋଲି ଉଲ୍ଲେଖ ଅଛି।
କଷାୟ ବସ୍ତ୍ର ପରିଧାନ କରିଥିବା, ଶରୀରରେ ବିଭୂତି ବିଲେପନ କରିଥିବା ଏବଂ ଗଳାରେ ରୁଦ୍ରାକ୍ଷମାଳା ଓ କର୍ଣ୍ଣରେ ତାମ୍ର କୁଣ୍ଡଳ ଧାରଣ କରିଥିବା ଏହି ପଶ୍ଚିମା କାପୁଡ଼ିଆ ଯତିମାନେ ଦିନେ ବୀରବିକ୍ରମଙ୍କ ରାଜ୍ୟରେ ପହଞ୍ଚିଲେ। ରାଜା ତାଙ୍କର ଆଦର ସତ୍କାର କରିବା ଫଳରେ ସେମାନେ ପ୍ରସନ୍ନ ହୋଇ ରାଜାଙ୍କୁ ସୋମନାଥ ବ୍ରତ କରିବାକୁ କହିଲେ। ମାତ୍ର ବ୍ରତବିଧି ଶୁଣି ରାଜାଙ୍କର ପସନ୍ଦ ହେଲା ନାହିଁ। ସେ କହିଲେ–ମୁଁ ଏ ବ୍ରତ କଲେ ମୋତେ ନିନ୍ଦା ହେବ। ଲୋକେ କହିବେ- ରାଜା ଚାଉଳ ମାଣକରେ ବ୍ରତ କରୁଛନ୍ତି। ତାହା ଶୁଣି କାପୁଡ଼ିଆମାନେ କୋପ କଲେ। କହିଲେ- ତୁମ୍ଭେ ବ୍ରତନିନ୍ଦା କଲ। ତାହାର ପ୍ରତିଫଳ ଅବଶ୍ୟ ପାଇବ।
ଫଳସ୍ବରୂପ ରାଜା କୁଷ୍ଠରୋଗରେ ଆକ୍ରାନ୍ତ ହେଲେ। ତେଣୁ ମନ୍ତ୍ରୀ ସମୀଗ୍ରହାଙ୍କୁ ରାଜ୍ୟର ଭାର ଓ ରାଣୀମାନଙ୍କର ରକ୍ଷାର ଦାୟିତ୍ବ ଦେଇ ସେ ଦେଶାନ୍ତର ଚାଲିଗଲେ। ସେହି ସୁଯୋଗରେ ମନ୍ତ୍ରୀ ରାଜା ହୋଇଗଲେ ଏବଂ ରାଣୀ ଓ ରାଜକୁମାରୀଙ୍କୁ ରାଜଉଆସରୁ ତଡ଼ିଦେଲେ। ପରବର୍ଷ କାପୁଡ଼ିଆମାନେ ପୁଣି ଯେତେବେଳେ ସେହି ରାଜ୍ୟକୁ ଆସିଲେ, ରାଜାଙ୍କର ଅବସ୍ଥା ଶୁଣି ଦୁଃଖ କଲେ। କହିଲେ– ସୋମନାଥ ବ୍ରତ ନିନ୍ଦା କରିବାରୁ ତାଙ୍କର ଏ ଦଶା ହେଲା। ସେମାନଙ୍କଠୁ ଶୁଣି ରାଣୀ ଓ ରାଜକୁମାରୀ ସୋମନାଥ ବ୍ରତ କରିବାରୁ ରାଜାଙ୍କର କୁଷ୍ଠରୋଗ ଭଲ ହୋଇଗଲା। ସେ ରାଜ୍ୟକୁ ଫେରି ସୋମନାଥଙ୍କ କୃପାରୁ ରାଣୀ ଓ ରାଜକୁମାରୀଙ୍କୁ ଓ ରାଜ୍ୟକୁ ଫେରିପାଇଲେ। ବ୍ରତକଥା ଅନୁସାରେ, ଭାଦ୍ରବ ଶୁକ୍ଳ ପଞ୍ଚମୀ ଦିନ ଏହି ବ୍ରତ ଆରମ୍ଭ ହୋଇ ଆଶ୍ବିନ ଶୁକ୍ଳ ଦଶମୀ ଦିନ ବ୍ରତ ଉଦ୍ଯାପନ ହୁଏ।
–ଅସିତ ମହାନ୍ତି