ଜୀବନ-ମନ୍ତ୍ର: ସ୍ନାନ ଓ ରଥଯାତ୍ରାର ଶେଷ ତିନି ନୀତି

ସାଧାରଣତଃ ଆମେ ଜାଣୁ, ଯେ ‘ନୀଳାଦ୍ରିବିଜେ’ ହେଉଛି ରଥଯାତ୍ରାର ଅନ୍ତିମ ପର୍ବ। ସେଦିନ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ, ଶ୍ରୀଜଗନ୍ନାଥ ଯାଇ ଶ୍ରୀମନ୍ଦିରର ରତ୍ନସିଂହାସନରେ ବିଜେ ହେବା ପରେ, ରଥଯାତ୍ରାର ସବୁ ନୀତି ଶେଷ ହୋଇଥାଏ। କିନ୍ତୁ ଏହା ଠିକ୍ ନୁହେଁ। ନୀଳାଦ୍ରିବିଜେ ପରେ ମଧ୍ୟ, ଆଉ ତିନିଟି ନୀତି ବାକି ଥାଏ। ତାହା ହେଉଛି- ଚିତାଲାଗି, ଖସା-ପଡ଼ା ଓ ରାହୁରେଖା ଲାଗି।

ଜ୍ୟେଷ୍ଠ ପୂର୍ଣ୍ଣମୀର ସ୍ନାନନୀତି ଓ ହାତୀବେଶ ‘ଉଲାଗି’ (ଓହ୍ଲାଯିବା) ପରେ, ଠାକୁରମାନେ ଗୋଟିପହଣ୍ଡିରେ ଯାଆନ୍ତି ଅଣସର ଘରକୁ। ସେଠାରେ ସେମାନଙ୍କର ମସ୍ତକରେ ଲାଗି ହୋଇଥିବା ଚିନି ରତ୍ନଚିତା ଖୋଲି ଦିଆଯାଏ। ସେଦିନ ରାତିରେ, ତିନି ଠାକୁରଙ୍କ ମସ୍ତକର ସୁନାର ରାହୁରେଖା ମଧ୍ୟ ଖୋଲି ଦିଆଯାଏ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥରେ ବିଜେ ହେବା ପରେ, ସେମାନଙ୍କୁ ସୋଲ ଚିତା ଲାଗି କରାଯାଏ। ଶ୍ରାବଣ ଅମାବାସ୍ୟା ଦିନ ରତ୍ନସିଂହାସନରେ ସେହି ସୋଲଚିତା ଖୋଲାଯାଇ, ତାହା ପରିବର୍ତ୍ତେ ରତ୍ନଚିତା ଲାଗି ହୁଏ। ତେଣୁ ଶ୍ରାବଣ ଅମାବାସ୍ୟା ‘ଚିତାଲାଗି ଅମାବାସ୍ୟା’ ଭାବରେ ପ୍ରସିଦ୍ଧ। ସେଦିନ ଠାକୁରମାନଙ୍କୁ ଚିତଉ ପିଠା ଭୋଗ କରାଯାଏ। ଘରେ ଘରେ ମଧ୍ୟ ସେହି ଅବସରରେ ଚିତଉପିଠା ହୋଇଥାଏ। ତେଣୁ ଲୋକ ପରମ୍ପରାରେ ତାହା ‘ଚିତଉ ଅମାବାସ୍ୟା’ ଭାବରେ ପ୍ରସିଦ୍ଧ। ଏହା ପରର ଆଉ ଗୋଟିଏ ନୀତି ହେଉଛି- ‘ଖସା-ପଡ଼ା’। ଅଣସର ବେଳେ ଦଇତା ଓ ପତି ସେବକମାନେ ଯେଉଁ ଗୁପ୍ତନୀତି କରିଥାଆନ୍ତି, ତାହାର ଶେଷ ନୀତି ‘ଶ୍ରୀପୟର ମୁଦା’। ସେଥିରେ ଶ୍ରୀବିଗ୍ରହମାନଙ୍କର ନିମ୍ନଭାଗ ବା ପାଦଦେଶକୁ କନାଦ୍ୱାରା ସଂପୂର୍ଣ୍ଣ ଭାବରେ ଆବୃତ କରାଯାଇଥାଏ। ତାହା ପରେ ଦତ୍ତ ମହାପାତ୍ର ସେବକ ବନକଲାଗି କରନ୍ତି ଏବଂ ଠାକୁରମାନେ ଭକ୍ତଙ୍କୁ ନବଯୌବନରେ ଦର୍ଶନ ଦିଅନ୍ତି।

ଶ୍ରୀଗୁଣ୍ଡିଚାଯାତ୍ରା, ବାହୁଡ଼ାଯାତ୍ରା ଓ ନୀଳାଦ୍ରିବିଜେର ପହଣ୍ଡି ସମୟରେ, ଏହି ଶ୍ରୀପୟର ମୁଦା ଭୂମିରେ ଖସି ଓ ପଡ଼ି କ୍ଷତିଗ୍ରସ୍ତ ହୋଇଥାଏ। ଏଣୁ ଚିତାଲାଗି ଅମାବାସ୍ୟା ପରର ‘ଖସା-ପଡ଼ା’ ନୀତିରେ ଶ୍ରୀପୟରମାନଙ୍କୁ ସଫାସୁତୁରା କରି, ପୁଣି ‘ଶ୍ରୀପୟରମୁଦା’ ପରି ବ୍ୟବସ୍ଥିତ କରି ଦିଆଯାଏ। ଏହା ପରେ, ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ସେମାନଙ୍କ ମସ୍ତକରେ ପୁନଶ୍ଚ ସୁନାର ରାହୁରେଖା ଲାଗି କରାଯାଏ। ଏଣୁ ଏହି ତିଥିର ନାମ ‘ରେଖାପଞ୍ଚମୀ’। ପ୍ରକୃତରେ ଏହା ହିଁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଓ ରଥଯାତ୍ରାର ସବାଶେଷ ନୀତି।

ସମ୍ବନ୍ଧିତ ଖବର