ଶିବଙ୍କର ଅନ୍ୟ ଏକ ନାମ ‘ତ୍ରିପୁରାରି’। ତୀରମୁନରେ ତ୍ରିପୁରକୁ ଧ୍ବଂସ କରିଥିବାରୁ ତାଙ୍କର ଏହି ନାମ ହୋଇଛି। ଏହାର କାହାଣୀ ଅତ୍ୟନ୍ତ ରୋଚକ।
ପୌରାଣିକ ଉପାଖ୍ୟାନ ଅନୁସାରେ, ତାରକାସୁରର ତିନି ପୁତ୍ର ହେଉଛନ୍ତି, ତାରକାକ୍ଷ, କମଳାକ୍ଷ ଓ ବିଦ୍ୟୁତ୍ମାଳୀ। ସେମାନେ କଠୋର ତପସ୍ୟା କରି ବ୍ରହ୍ମାଙ୍କଠାରୁ ବର ପାଇଥିଲେ ଯେ ସେମାନେ ତିନିଟି ଭିନ୍ନ ଭିନ୍ନ ପୁରରେ ନିବାସ କରିବେ। ସେହି ତିନିପୁରରେ ସମସ୍ତ ଅଭୀଷ୍ଟ ବସ୍ତୁ ରହିଥିବ। ସେହି ପୁରକୁ ଦାନବ, ଯକ୍ଷ, ରାକ୍ଷସ କେହି ବି ଧ୍ବଂସ କରି ପାରିବେ ନାହିଁ। ବ୍ରହ୍ମଶାପରେ ମଧ୍ୟ ତାହା ଧ୍ବଂସପ୍ରାପ୍ତ ହେବ ନାହିଁ। କେବଳ ସହସ୍ର ବର୍ଷ ପରେ ସେମାନେ ଯେତେବେଳେ ଏକତ୍ର ହେବେ, ସେତେବେଳେ ଯେ ଶ୍ରେଷ୍ଠ ଦେବତା, ସେ ତୀର ନିକ୍ଷେପ କରି ତ୍ରିପୁରକୁ ଭେଦ କରିପାରିବେ।
ସେହି ଅନୁସାରେ ମୟଦାନବ ତିନି ଭାଇଙ୍କ ପାଇଁ ତିନିଟି ପୁରର ନିର୍ମାଣ କଲେ। ତାରକାକ୍ଷ ପାଇଁ ସ୍ବର୍ଗରେ ସୁବର୍ଣ୍ଣମୟପୁର, କମଳାକ୍ଷ ପାଇଁ ଅନ୍ତରୀକ୍ଷରେ ରୌପ୍ୟମୟ ପୁର ଓ ବିଦ୍ୟୁତ୍ମାଳୀ ପାଇଁ ମର୍ତ୍ତ୍ୟରେ ଲୌହମୟପୁର ନିର୍ମିତ ହେଲା। ବ୍ରହ୍ମାଙ୍କ ବର ପାଇଥିବାରୁ ସେମାନେ ତିନିପୁରରେ ବହୁ ଉତ୍ପାତ କଲେ।
ସେହି ଉତ୍ପାତରେ ଅତିଷ୍ଠ ହୋଇ ତ୍ରିପୁରକୁ ନିପାତ କରିବା ପାଇଁ ଦେବତାମାନେ ଯାଇ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ ଏବଂ ବ୍ରହ୍ମା ଶିବଙ୍କୁ ନିବେଦନ କଲେ। ଶିବ ସେଥିରେ ସମ୍ମତ ହେଲେ। ସବୁ ଦେବତାଙ୍କର ଅର୍ଦ୍ଧତେଜ ଧାରଣ କରି ସେ ହେଲେ ଦେବଦେବ, ମହାଦେବ। ତାଙ୍କ ପାଇଁ ଏକ ଦିବ୍ୟ ରଥ ପ୍ରସ୍ତୁତ ହେଲା। ବ୍ରହ୍ମା ହେଲେ ତାହାର ସାରଥି। ବିଷ୍ଣୁ, ଅଗ୍ନି ଓ ଚନ୍ଦ୍ର ହେଲେ ତାଙ୍କର ଧନୁର୍ବାଣ। ସେହି ତିନି ଦାନବଙ୍କର ତ୍ରିପୁର ଯେତେବେଳେ ଏକତ୍ର ହୋଇ ଏକ ସରଳରେଖାରେ ଅବସ୍ଥାନ କଲେ, ମହାଦେବଙ୍କର ଗୋଟିଏ ବାଣରେ ସେହି ତ୍ରିପୁର ଧ୍ବଂସ ହେଲା। ମହାଦେବ ହେଲେ ତ୍ରିପୁରାରି।
ତେବେ, ଏହି ପୌରାଣିକ ଉପାଖ୍ୟାନର ଏକ ତାତ୍ତ୍ବିକ ଦିଗ ରହିଛି। ତାହା ହେଉଛି- ମନୁଷ୍ୟର କଣ୍ଠଠାରୁ ଶୀର୍ଷ ପର୍ଯ୍ୟନ୍ତ, କଣ୍ଠ ଠାରୁ କଟି ପର୍ଯ୍ୟନ୍ତ ଓ କଟିଠାରୁ ପାଦ ପର୍ଯ୍ୟନ୍ତ ହେଉଛି ତିନିଟି ପୁର। ଏହି ତ୍ରିପୁର ବିଶିଷ୍ଟ ଶରୀର ଭୋଗମୁଖୀ ଓ ତମଃଗୁଣ ସଂପନ୍ନ ହେଲେ ତ୍ରିପୁରାସୁର ପାଲଟିଯାଏ। ଫଳରେ ଶିବ ସେହି ଆସୁରୀ ଶକ୍ତିକୁ ବିନାଶ କରନ୍ତି ଏବଂ ପୁନର୍ବାର ଦୈବୀଶକ୍ତି ପ୍ରତିଷ୍ଠିତ ହୁଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/21/HM6pWUa1FeCkGsaYnjbY.jpg)