ହିରଣ୍ୟକଶିପୁର ମୃତ୍ୟୁଭେଦ ଶ୍ରୀମଦ୍ଭାଗବତର ଏକ ଲୋକପ୍ରିୟ ଉପାଖ୍ୟାନ। ଲୋକପ୍ରିୟ ଆଖ୍ୟାନ ବା ପାଠର ଗୋଟିଏ ବିପଦ ହେଉଛି- ଏହା ଲୋକମୁଖରେ ନୂଆ ନୂଆ ରୂପ ନେଉଥାଏ। ସମୟକ୍ରମେ ସେଥିରେ ନୂଆ ଉପାଦାନ ଯୋଡ଼ା ହେଉଥାଏ।
ସେହିପରି ଗୋଟିଏ କଥା ହିରଣ୍ୟକଶିପୁ ଉପାଖ୍ୟାନରେ ଯୋଡ଼ା ହୋଇଯାଇଛି। ଏବେ ଯୋଡ଼ା ଶ୍ରାବଣ ବା ପୁରୁଷୋତ୍ତମ ମାସ ପ୍ରସଙ୍ଗରେ ହେଉଥିବା ଚର୍ଚ୍ଚା, ଆଲୋଚନାରେ ଏହା ଲକ୍ଷ୍ୟ କରାଯାଇଛି।
ମୂଳ ସଂସ୍କୃତ ଭାଗବତର ସପ୍ତମ ସ୍କନ୍ଧ ଅନୁସାରେ, ହିରଣ୍ୟକଶିପୁ କଠୋର ତପସ୍ୟା କରି ବ୍ରହ୍ମାଙ୍କଠାରୁ ବର ପାଇଥିଲା। ବ୍ରହ୍ମାଙ୍କୁ ସେ କହିଥିଲା- ଯଦି ଆପଣ ମୋତେ ବର ଦେବାପାଇଁ ଚାହାନ୍ତି, ତେବେ ଏହି ବର ଦିଅନ୍ତୁ, ଯେ ଆପଣଙ୍କ ସୃଷ୍ଟ କୌଣସି ପ୍ରାଣୀ ମୋତେ ମାରିପାରିବେ ନାହିଁ। ଭିତରେ ବା ବାହାରେ, ଦିନରେ ବା ରାତିରେ, ଅସ୍ତ୍ର ବା ଶସ୍ତ୍ରରେ, ଭୂମିରେ ବା ଆକାଶରେ ମୁଁ ମରିବି ନାହିଁ। ଆପଣଙ୍କ ଦ୍ୱାରା ସୃଷ୍ଟ ବା ଅନ୍ୟ କୌଣସି ପ୍ରାଣୀ ମୋତେ ମାରି ପାରିବେ ନାହିଁ। ମନୁଷ୍ୟ ବା ପଶୁ, ଦେବ ବା ଦୈତ୍ୟ, ନାଗ ଆଦି କିମ୍ବା କୌଣସି ସଚେତନ ବା ଅଚେତନ ପ୍ରାଣୀଦ୍ୱାରା ମୋର ମୃତ୍ୟୁ ହେବ ନାହିଁ।
ବ୍ରହ୍ମା ତାକୁ ସେହି ବର ଦେଇଥିଲେ। ତାହା ମଧ୍ୟ ହୋଇଥିଲା। ଘର ଭିତରେ ବା ବାହାରେ ନୁହେଁ; ଦ୍ୱାରବନ୍ଧଠାରେ ଭଗବାନ ବିଷ୍ଣୁ ନୃସିଂହ ଅବତାରରେ ତାକୁ ନିହତ କରିଥିଲେ। ସେହି ସମୟ ଦିନ ବା ରାତି ନଥିଲା; ଥିଲା ସଂଧ୍ୟା ସମୟ। ତାକୁ ନିହତ କରିଥିବା ନୃସିଂହ ନା ମନୁଷ୍ୟ ଥିଲେ, ନା ପଶୁ। ସେ ନଖରେ ତାକୁ ବିଦାରଣ କରିଥିଲେ; ଯାହା ଅସ୍ତ୍ର ବା ଶସ୍ତ୍ର ନଥିଲା। ଭୂମିରେ ବା ଆକାଶରେ ନୁହେଁ; ନିଜର ଦୁଇ ଜଙ୍ଗ ଉପରେ ତାକୁ ପକାଇ ନୃସିଂହ ତାକୁ ବିଦାରଣ କରିଥିଲେ।
ଏକ ଲୋକପ୍ରିୟ ଆଖ୍ୟାନ ଭାବରେ, ଏହା ସହ ‘ପୁରୁଷୋତ୍ତମ ମାସ’କୁ ଯୋଡ଼ା ଯାଇଛି। ଏହି ମାସ ହେଉଛି- ଅଧିକ ମାସ ବା ତ୍ରୟୋଦଶ ମାସ। ଚର୍ଚ୍ଚା ଆଲୋଚନାରେ କୁହାଯାଉଛି- ହିରଣ୍ୟକଶିପୁ କୁଆଡ଼େ ବ୍ରହ୍ମାଙ୍କୁ ପ୍ରାର୍ଥନା କରିଥିଲା- ମୁଁ ଦ୍ୱାଦଶ ମାସ ମଧ୍ୟରୁ କୌଣସି ମାସରେ ମରିବି ନାହିଁ। ତେଣୁ ଏ ମାସ ପରି ଏକ ମଳମାସ ବା ତ୍ରୟୋଦଶ ମାସରେ ହିଁ ଭଗବାନ ବିଷ୍ଣୁ ନୃସିଂହ ଅବତାରରେ ଆବିର୍ଭୂତ ହୋଇ ତାକୁ ବିଦାରଣ କରିଥିଲେ। କିନ୍ତୁ ଏହାର କୌଣସି ଶାସ୍ତ୍ରୀୟ ଭିତ୍ତି ନାହିଁ।
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]