ଭୁବନେଶ୍ବର : କଥାରେ ଅଛି –ରଖେ ହରି ତ ମାରେ କିଏ? ଅର୍ଥାତ ହରି ଯାହାକୁ ରକ୍ଷା କରିବାକୁ ଚାହିଁବେ ତାକୁ କେହି ମାରିପାରିବେ ନାହିଁ। ଗତ କାଲିର ଭୟଙ୍କର ରେଳ ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକଙ୍କର ଜୀବନ ଯାଇଥିବା ବେଳେ କତିପୟ ଆସନ୍ନ ମୃତ୍ୟୁମୁଖରୁ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି। ପୁଣି ଅନେକ ମୃତ୍ୟୁକୁ ଅତି ନିକଟରୁ ଦେଖି ଫେରି ଆସିଛନ୍ତି। ଏପରି ଜଣେ ବ୍ୟକ୍ତି ହେଲେ ଭୁବନେଶ୍ବରର ଇଂଜିନିୟର ଦିଲୀପ କୁମାର ପଟ୍ଟନାୟକ। ଦୁର୍ଘଟଣା ସମୟର ଆତଙ୍କ ଓ ପରେ ଜୀବନ ଯାଇନଥିବାର ଆନନ୍ଦ ବଖାଣିବା ବେଳେ ତାଙ୍କର ଲୋମମୂଳ ଟାଙ୍କୁରି ଉଠିଥିଲା।
କରମଣ୍ଡଳ ଏକ୍ସପ୍ରେସର ଏସ୍-୫ ବଗିରେ କୋଲକାତାରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ। ସେ ସତସଙ୍ଗର ଆଚାର୍ଯ୍ୟଦେବଙ୍କ ଜନ୍ମୋତ୍ସବରେ ଯୋଗ ଦେଇ ବୈଦ୍ୟନାଥଧାମ ଦେଓଘରରୁ ଫେରୁଥିଲେ। ତାଙ୍କ ସହ ଆଉ କିଛି ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଭକ୍ତ ମଧ୍ୟ ଥିଲେ। ସମମନୋଭାବାପନ୍ନ ୫/୬ ଜଣ ଯାତ୍ରୀ ଥିବାରୁ ସେମାନେ ପରସ୍ପର ମଧ୍ୟରେ ଆଧ୍ୟାତ୍ମିକ ଆଳାପ ଜମାଇ ଥିଲେ। ସୂର୍ଯ୍ୟାସ୍ତ ପରେ ପରେ ହିଁ ସେମାନେ ଯାତ୍ରା କରୁଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ସମୟର ଅନୁଭୂତି ବଖାଣି ଦିଲୀପ ପଟ୍ଟନାୟକ କହନ୍ତି- ‘‘ଆମେ ଠାକୁରଙ୍କସ୍ଥାନରୁ ଫେରୁଥିବାରୁ ସେ ସଂପର୍କୀତ ଆଲୋଚନାରେ ବ୍ୟସ୍ତଥିଲୁ। ଭଲରେ ଭଲରେ ବାଲେଶ୍ବର ଟପିଲୁ। ସଂଧ୍ୟା ୬.୨୫ରେ ପ୍ରାର୍ଥନା କଲୁ। ପ୍ରାର୍ଥନା ସରିବାର କିଛି ସମୟ ଯାଇଛି, ହଠାତ୍ ପ୍ରଚଣ୍ଡ ଶବ୍ଦ ହେଲା ଓ ଲାଗିଲା ଯେମିତି ଭୂମିକମ୍ପ ହେଲା। ଏଇ ଶବ୍ଦ ଓ ଧକ୍କା ଏତେ ପ୍ରଚଣ୍ଡ ଥିଲା ଯେ ଛାତିଥରି ଗଲା। ହଠାତ୍ ବୁଝିପାରିଲୁନି କ’ଣ ହେଲା। ତା’ପରେ ଆମ ଏସ୍-୫ କମ୍ପାଟମେଣ୍ଟ୍ ଧଡ଼କିନା ଉପରକୁ ଉଠିଗଲା। ସମସ୍ତେ ବିକଳରେ ଚିତ୍କାର କରିଉଠିଲେ। ମୋ ପାଟିରୁ ବାହାରି ଆସିଲା-ହେ ଠାକୁର ବଞ୍ଚାଅ। ଗୋଟାଏ ବଡ଼ ଝଟକା ପରେ ସେମିତି ଉପରମୁହାଁ ହୋଇ ରହିଗଲା ଆମ ବଗି। ଜିନିଷପତ୍ର ସବୁ ଅଜାଡ଼ି ହୋଇପଡ଼ିଲା ଆମ ଉପରେ। ସେଇ ଛଟକାରେ ଆମେ ଟ୍ରେନ୍ ସିଟ୍ ଓ ରେଲିଂ ସହ ପିଟି ହୋଇଗଲୁ। ଏହାପରେ ଜାଣିପାରିଲୁ କି ଦୁର୍ଘଟଣା ଘଟିଲା। ଆମ ବଗିରେ କିଛି ଲୋକ ଆହତ ବି ହେଲେ, କିନ୍ତୁ ଗୁରୁତର ନୁହେଁ।ମୋ ସହଯାତ୍ରୀମାନଙ୍କର ବି ବଡ଼ ଧରଣର କିଛି ହୋଇନଥିଲା।’’
ଏହା ପରେ କିଛି ସମୟ ଲାଗିଗଲା ସେମାନଙ୍କୁ ପ୍ରକୃତିସ୍ଥ ହେବାକୁ। ଟ୍ରେନ କମ୍ପାଟମେଣ୍ଟ ଅନ୍ଧାରକୁ ବାହାର ବି ଅନ୍ଧାର। ଖାଲି ଶୁଭୁଥାଏ ଲୋକଙ୍କ ବିକଳ ଚିତ୍କାର ଆଉ କାନ୍ଦଣା। ଦିଲୀପ ଓ ତାଙ୍କ ସହଯାତ୍ରୀଙ୍କୁ ଲାଗିଲା ବଡ଼ ଧରଣର ଦୁର୍ଘଟଣା ଘଟିଛି। ବହୁ ସାବଧାନତାର ସହ ସେମାନେ କମ୍ପାଟମେଣ୍ଟ ଗେଟ୍ ପାଖକୁ ଆସିଲେ। ଝାପସା ଆଲୁଅରେ ଯାହା ଦେଖିଲେ, ତାହା ସେମାନଙ୍କ ଛାତି ଥରାଇଦେଲା। ରେଳ ଇଂଜିନ୍ ଠାରୁ ତାଙ୍କ ପୂର୍ବ କମ୍ପାଟମେଣ୍ଟ ପର୍ଯ୍ୟନ୍ତ ସବୁ ବଗି ଓଲଟି ପଡ଼ିଥିଲା ମାଟି ଉପରେ। କିଛି ବି ଜାଣି ହେଉନଥିଲା, ଟ୍ରେନ୍ କାହା ସହ ଧକ୍କା ଖାଇଲା। କମ୍ପାଟମେଣ୍ଟ୍ ଦ୍ବାର ଭୂମିଠାରୁ ପ୍ରାୟ ଦୁଇ ପୁରୁଷ ଉଚ୍ଚତାରେ ଥିଲା। ବଡ଼ କଷ୍ଟରେ ଅତ୍ୟନ୍ତ ସାବଧାନତାର ସହ ସେମାନେ ଓହ୍ଲାଇଲେ ଏବଂ ତଳକୁ ଆସି ଦେଖିଲେ ଅଗଣିତ ଲୋକ ଟ୍ରେନ ତଳେ ଚାପି ହୋଇ ରହିଛନ୍ତି। କିଛି ଲୋକ ବାହାରକୁ ଛିଟିକି ପଡ଼ି ମୁମୁର୍ଷୁ ଅବସ୍ଥାରେ ଆର୍ତ୍ତନାଦ କରୁଥାଆନ୍ତି।ତଳକୁ ଆସି ସେମାନେ ଏସ୍-୫ କମ୍ପାଟମେଣ୍ଟରେ ଥିବା ସହଯାତ୍ରୀଙ୍କୁ ବାହାରକୁ ଆଣିଲେ। ତା‘ପରେ ସେମାନେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ସେସମୟର କଥା ବଖାଣି ଦିଲୀପ ପଟ୍ଟନାୟକ କହନ୍ତି-‘‘ଯେହେତୁ ଠାକୁର ଆମକୁ ବଞ୍ଚାଇ ଦେଲେ ତେଣୁ ଆମେ ଅନ୍ୟମାନଙ୍କୁ ବଞ୍ଚାଇବା ଉଦ୍ୟମ ଆରମ୍ଭ କଲୁ। ସେତେବେଳକୁ ଖାଲି ପୁଲିସ ପହଞ୍ଚିଥାଏ କିନ୍ତୁ ପ୍ରଶାସନ ପହଞ୍ଚି ନଥାଏ। ସ୍ଥାନୀୟ ଲୋକ ଆସି ଯାତ୍ରୀଙ୍କୁ ବାହାର କରୁଥାଆନ୍ତି। ଆମେ ତାଙ୍କ ସହ ମିଶିଗଲୁ ପ୍ରାୟ ୩୦/୪୦ ଜଣଙ୍କୁ ବାହାର କରି ଲୋକଙ୍କ ଅଟୋ ଓ ଅନ୍ୟ ଗାଡ଼ିରେ ଡାକ୍ତରଖାନା ପଠାଇଦେଲୁ। ଏମିତି କି ଗାଡ଼ି ନ ମିଳିବାରୁ ଜଣଙ୍କ ଟ୍ରାକ୍ଟରରେ ଆମେ ଆହତଙ୍କୁ ହସ୍ପିଟାଲ ପଠାଇଲୁ। ଏହାର କିଛି ସମୟ ପରେ ପ୍ରଶାସନ ଆସି ପହଞ୍ଚିଥିଲା।’’
ମୃତ୍ୟୁକୁ ସାମ୍ନାରେ ଦେଖି ତା’ହାବୁଡ଼ରୁ ଫେରି ଆସିବାର ଏଇ ବିରଳ ଅନୁଭୂତି ଜୀବନରେ କେବେ ବି ଭୁଲି ହେବ ନାହିଁ। ଠାକୁର ଆମକୁ ବଞ୍ଚାଇ ଦେଲେ ବୋଲି ସେ କହନ୍ତି। ବର୍ତ୍ତମାନ ଶ୍ରୀ ପଟ୍ଟନାୟକ ବାଲେଶ୍ବର ମେଡିକାଲ କଲେଜ ହସ୍ପିଟାଲରେ ଅଣ୍ଟାବ୍ୟଥା କାରଣରୁ ଚିକିତ୍ସିତ ହେଉଛନ୍ତି।