ଶାରଦୀୟ ହେଉ ବା ବାସନ୍ତିକ- ମା’ ଦୁର୍ଗାଙ୍କ ପୂଜାର ରହିଛି ଅନେକ ବିଶେଷତ୍ୱ। ଗୋଟିଏ ବିଶେଷତ୍ୱ ହେଉଛି- ଏହି ପୂଜା, ସେ ଧରାବତରଣ କରି ମହିଷାସୁର ଆଦି ଅସୁରମାନଙ୍କୁ ବଧ କରିଥିବାର ସ୍ମାରକୀ। ପୁଣି, ଏହି ପୂଜା ଅବସରରେ ତାଙ୍କର ଏକ ସାଂସାରିକ ରୂପ ପ୍ରଦଶିତ ହୋଇଥାଏ। ପଣ୍ଡିତ ନୀଳକଂଠ ଦାସ ଯେପରି ଆମ ଓଡ଼ିଆ ଭାଷାର ଜଣେ ବିଶିଷ୍ଟ ଆଲୋଚକ, ଶଶିଭୂଷଣ ଦାସଗୁପ୍ତ ସେହିପରି ବଙ୍ଗ ଭାଷାର ଜଣେ ବିଶିଷ୍ଟ ଆଲୋଚକ। ଶରତ୍ ଋତୁରେ ମା’ଙ୍କ ଧରାବତରଣ ଭିତରେ ପଣ୍ଡିତ ନୀଳକଂଠ ଦେଖିଛନ୍ତି ତାଙ୍କର ପୂର୍ଣ୍ଣଗର୍ଭା, ପ୍ରଜନନପରା ଓ ପ୍ରସବିନୀ ରୂପ। ସେ ଶସ୍ୟଦେବୀ। ସେ ଶ୍ୟାମଳ ଶସ୍ୟ ଉପୁଜାନ୍ତି।
କିନ୍ତୁ ‘ଭାରତେର ଶକ୍ତି ସାଧନା ଓ ଶାକ୍ତ ସାହିତ୍ୟ’ରେ ଶଶିଭୂଷଣ ଦାସଗୁପ୍ତ କହିଛନ୍ତି- ଦୁର୍ଗା ଦୁର୍ଗତିନାଶିନୀ ବା ଦୁର୍ଗାସୁର ନାଶିନୀ ହୁଅନ୍ତୁ କି ଦୁର୍ଗରକ୍ଷାକାରିଣୀ ହୁଅନ୍ତୁ; ସେ ଶସ୍ତ୍ରଧାରିଣୀ ଓ ଶତ୍ରୁମର୍ଦ୍ଦିନୀ। କିନ୍ତୁ ଉମା ବା ପାର୍ବତୀଙ୍କର କୌଣସି ପ୍ରାଚୀନ ଉଲ୍ଲେଖରେ ତାଙ୍କୁ ଶସ୍ତ୍ରଧାରିଣୀ ବା ଶତ୍ରୁମର୍ଦ୍ଦିନୀ ରୂପରେ ଦେଖିବାକୁ ମିଳେ ନାହିଁ।
ଆମେ ପ୍ରଥମେ ଉମାଙ୍କୁ ପାଇଲୁ କନ୍ୟା ରୂପରେ; ବହୁଶୋଭନା ହୈମବତୀ ରୂପରେ। ତା’ପରେ ତାଙ୍କୁ ପାଇଲୁ ଶିବ-ପ୍ରିୟା ରୂପରେ। ତା’ପରେ ଗଣେଶଙ୍କର ଓ କାର୍ତ୍ତିକଙ୍କର ଜନନୀ ରୂପେ ସେ ଆମକୁ ମିଳିଲେ। ତାହା ପରେ, ଯେତେବେଳେ ଲକ୍ଷ୍ମୀ ଓ ସରସ୍ୱତୀ ମଧ୍ୟ ନିଜ ନିଜର ସ୍ୱତନ୍ତ୍ରତା ବର୍ଜନ କରି ତାଙ୍କର କନ୍ୟାତ୍ୱ ସ୍ୱୀକାର କଲେ, ସେତେବେଳେ ମା’ଙ୍କ ସୁନାର ସଂସାରକୁ ପରିପୂର୍ଣ୍ଣ ଭାବରେ ଦେଖିବାକୁ ମିଳିଲା। ହଜାର ହଜାର ବର୍ଷଧରି ଏହି ପାର୍ବତୀ ବା ଉମାଙ୍କର ପ୍ରେମମୟୀ ପତ୍ନୀତ୍ୱ ଏବଂ ଅନନ୍ତ ସ୍ନେହମୟୀ ମାତୃତ୍ୱର ରୂପ ହିଁ ପ୍ରାଧାନ୍ୟ ଲାଭ କରିଆସିଛି। ଏଇଥିପାଇଁ, ଶାରଦୀୟ ଦୁର୍ଗାପୂଜାରେ ମାଆଙ୍କର ଏହି ସୁନାର ସଂସାରର ପରିପୂର୍ଣ୍ଣ ରୂପ ଦେଖିବାକୁ ମିଳେ। ସେହି ମୂର୍ତ୍ତିରେ ସେ ମହିଷାସୁରକୁ ବଧ କରୁଥିଲେ ମଧ୍ୟ, ସେଥି ସହ ଗଣେଶ ଓ କାର୍ତ୍ତିକ ଏବଂ ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ।