ଆମ ଜଗନ୍ନାଥ ଜଗତର ନାଥ। କିନ୍ତୁ ତାଙ୍କର ଆବିର୍ଭାବ ଓଡ଼ିଶାରେ। ତେଣୁ ଆଜିର ଅତ୍ୟାଧୁନିକ ପରିଭାଷାରେ ସେ ଯୁଗପତ୍ ସ୍ଥାନୀୟ (ଲୋକାଲ୍‌) ଓ ବିଶ୍ୱର (ଗ୍ଲୋବାଲ୍‌) ଦେବତା। ଆମର ଶାସ୍ତ୍ର-ପୁରାଣ ବା କବି-ମନୀଷୀମାନଙ୍କ ଚିନ୍ତା ଭାବନାରେ ମଧ୍ୟ ଏହା ପ୍ରତିପାଦିତ ହୋଇ ଆସିଛି। ସେଥିରେ ଉତ୍କଳ ସହିତ ଭାରତ ଓ ବିଶ୍ବ ସବୁବେଳେ ଯୋଡ଼ିହୋଇ ରହିଆସିଛି। ଆଜି ଆଉ ଏକ ସ୍ୱାଧୀନତା ଦିବସର ଉତ୍ସବ ଅବସରରେ, ଏହା ଆମ ସମସ୍ତଙ୍କ ପାଇଁ ଏକ ପ୍ରଣିଧାନର ବିଷୟ।

Advertisment

ଓଡ଼ିଶା ସଂପର୍କରେ ଏବଂ ଓଡ଼ିଶାର ପ୍ରସିଦ୍ଧ କ୍ଷେତ୍ର ନୀଳାଚଳ ବା ଶ୍ରୀକ୍ଷେତ୍ର ପୁରୀ ଆଦି ସଂପର୍କରେ, ‘କପିଳ ସଂହିତା’ ହେଉଛି ପ୍ରଥମ ଓ ପ୍ରାମାଣିକ ଉପପୁରାଣ। ତାହାର ପ୍ରଥମ ଅଧ୍ୟାୟର ଅଷ୍ଟମ ଶ୍ଳୋକରେ କୁହାଯାଇଛି “ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁତ୍କଳଃ ସ୍ମୃତଃ, / ଉତ୍କଳସ୍ୟ ସମୋ ଦେଶୋ ଦେଶୋ ନାସ୍ତି ମହୀତଳେ।” ରାଜା ସତ୍ୟଜିତ୍ ଓ ମହାମୁନି କପିଳଙ୍କ ମଧ୍ୟରେ କଥୋପକଥନ କ୍ରମରେ ଏହା ବର୍ଣ୍ଣିତ ହୋଇଛି। ସତ୍ୟଜିତ୍ ପଚାରିଛନ୍ତି- “ହେ ମହାତ୍ମା! ଆପଣଙ୍କଠାରୁ ଅନେକ ପବିତ୍ର ଓ ପାପନାଶକ କ୍ଷେତ୍ର ବିଷୟରେ ମୁଁ ଶ୍ରବଣ କରିଛି। ବର୍ତ୍ତମାନ ମୁଁ ଉତ୍କଳରେ ଥିବା କ୍ଷେତ୍ରଗୁଡ଼ିକ ସଂପର୍କରେ ଶୁଣିବାକୁ ଚାହୁଁଛି। ସେହି କ୍ଷେତ୍ରମାନଙ୍କରେ ଯେତେଯେତେ ପବିତ୍ର ତୀର୍ଥ ଅଛି, ଯେଉଁ ଦେବତାମାନେ ଅଧିଷ୍ଠିତ ହୋଇଛନ୍ତି, ଯେଉଁ ଯେଉଁ ଆଶ୍ରମମାନ ଅଛି ଏବଂ ପୁଣ୍ୟସଲିଳା ନଦୀମାନେ ପ୍ରବାହିତ ହେଉଛନ୍ତି, ସେ ବିଷୟରେ ମୋତେ କହନ୍ତୁ! ହେ ମହାମୁନି! ଏହା ଫଳରେ ଆପଣଙ୍କ ଅନୁଗ୍ରହରୁ ମୁଁ କୃତାର୍ଥ ହେବି।”
ରାଜା ସତ୍ୟଜିତ୍‌ଙ୍କର ଏହି ପ୍ରଶ୍ନର ଉତ୍ତରରେ ମହାମୁନି କପିଳ କହିଛନ୍ତି- “ହେ ରାଜନ୍‌! ସେହି ରହସ୍ୟ ମୁଁ ତୁମ ଆଗରେ ବର୍ଣ୍ଣନା କରୁଛି। ଏଗୁଡ଼ିକୁ ସ୍ମରଣ କରିବା ମାତ୍ରେ ନିଶ୍ଚିତ ଭାବରେ ପାପକ୍ଷୟ ହୋଇଥାଏ। ଭୂପୃଷ୍ଠରେ ଯେତେ ‘ବର୍ଷ’ (ଭୂଖଣ୍ଡ) ରହିଛି ସେମାନଙ୍କ ମଧ୍ୟରେ ‘ଭାରତବର୍ଷ’ ଶ୍ରେଷ୍ଠ। ଏବଂ, ଯେତେ ‘ଦେଶ’ (ଅଞ୍ଚଳ) ରହିଛି, ସେମାନଙ୍କ ମଧ୍ୟରେ ‘ଉତ୍କଳ’ ପରି ପବିତ୍ର୍ର ଦେଶ ନାହିଁ।’’ ଏହା କହିବା ସହିତ ମହାମୁନି କପିଳ ରାଜା ସତ୍ୟଜିତ୍‌ଙ୍କ ଆଗରେ ଉତ୍କଳଦେଶର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି।

ଏ ପ୍ରସଙ୍ଗରେ ଆମେ କବିବର ରାଧାନାଥ ରାୟଙ୍କର ସଂସ୍କୃତ ରଚନା ‘ଭାରତ ଗୀତିକା’କୁ ସ୍ମରଣ କରିପାରିବା। ‘ସର୍ବେଷାଂ ନୋ ଜନନୀ ଭାରତ...’ ନାମରେ ଏହା ପ୍ରସିଦ୍ଧ। ୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ତାରିଖ ଦୁଇଦିନ ଧରି କଟକଠାରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ଅଧିବେଶନ ପାଇଁ ଏହି ଗୀତିକା ରଚିତ ହୋଇଥିଲା ଏବଂ ସେଠାରେ ପ୍ରଥମ କରି ଗାନ କରାଯାଇଥିଲା। ପରେ ୧୯୦୮ ଏପ୍ରିଲ୍‌ରେ ପୁରୀଠାରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ଅଧିବେଶନ ଉପଲକ୍ଷେ ସେଥିରେ ଆଉ ତିନିଟି ପଦ ଯୋଡ଼ାଯାଇଥିଲା। ସାତପଦ ବିଶିଷ୍ଟ ମୂଳ ‘ଭାରତ ଗୀତିକା’ର ଷଷ୍ଠ ଓ ସପ୍ତମ ପଦ ହେଉଛି- “ଭାରତପଙ୍କଜ ଦଳମିଦମୁତ୍କଳମଣ୍ଡଳମିତି ବିଦିତଂ ଯତ୍‌, / ତସ୍ୟ କୃତେ ବୟମତ୍ର ସମେତାବିହିତାତ୍ରୋତ୍କଳ- ସଂସଦ୍। / ଭାରତମେକା ଗତିରସ୍ମାକଂ ନାପରାସ୍ତି ଭୁବି ନାମ, / ସର୍ବାଦୌ ପରିଷତ୍‌କର୍ମଣି ତତ୍ ଭାରତମେବ ନମାମଃ।”

ଓଡ଼ିଶା ସଂପର୍କରେ ଏବଂ ଓଡ଼ିଶାର ପ୍ରସିଦ୍ଧ କ୍ଷେତ୍ର ନୀଳାଚଳ ବା ଶ୍ରୀକ୍ଷେତ୍ର ପୁରୀ ଆଦି ସଂପର୍କରେ, ‘କପିଳ ସଂହିତା’ ହେଉଛି ପ୍ରଥମ ଓ ପ୍ରାମାଣିକ ଉପପୁରାଣ। ତାହାର ପ୍ରଥମ ଅଧ୍ୟାୟର ଅଷ୍ଟମ ଶ୍ଳୋକରେ କୁହାଯାଇଛି “ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁତ୍କଳଃ ସ୍ମୃତଃ, / ଉତ୍କଳସ୍ୟ ସମୋ ଦେଶୋ ଦେଶୋ ନାସ୍ତି ମହୀତଳେ।” ରାଜା ସତ୍ୟଜିତ୍ ଓ ମହାମୁନି କପିଳଙ୍କ ମଧ୍ୟରେ କଥୋପକଥନ କ୍ରମରେ ଏହା ବର୍ଣ୍ଣିତ ହୋଇଛି।

ଏହାର ଅର୍ଥ- “ଭାରତ ରୂପକ କମଳ (ପଦ୍ମ)ର ଏକ ପାଖୁଡ଼ା ରୂପେ ଉତ୍କଳମଣ୍ଡଳ ପରିଚିତ। ଏହି ଉତ୍କଳମଣ୍ଡଳ ପାଇଁ ଆମେ ଏଠାରେ ସମବେତ। ଏଠାରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହେଉଛି। (୬) ଭାରତ ଆମର ଏକମାତ୍ର ଗତି (ଆଶ୍ରୟ ବା ଅବଲମ୍ବନ)। ଏ ସମଗ୍ର ଭୁବନରେ ଆମର ଆଉ କିଛି ଆଶ୍ରୟ ନାହିଁ। ପରିଷଦ (ଉତ୍କଳ ସମ୍ମିଳନୀ)ର କର୍ମରେ ସର୍ବାଗ୍ରେ ଏହି ପ୍ରସିଦ୍ଧ ଭାରତକୁ ହିଁ ପ୍ରଣାମ କରିବା।’’ (୭) କବିବର ରାଧାନାଥ ରାୟଙ୍କ ‘ଭାରତଗୀତିକା’ଠାରୁ ଆମେ ଯଦି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ‘ବନ୍ଦୀର ଆତ୍ମକଥା’କୁ ଆସିବା, ଦେଖିବା ଯେ ଏହି ଭାବନା ମଧ୍ୟ ଗୋପବନ୍ଧୁଙ୍କ କବିତାରେ ପ୍ରତିଫଳିତ। ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି, ୨୪ ମାସର କାରାବାସର ଚତୁର୍ଥ ମାସରେ ସେ ଏହି କବିତା ରଚନା କରିଥିଲେ। ଛଅଟି ଭାଗରେ ରଚିତ ଏହି ଦୀର୍ଘକବିତାର ଦ୍ୱିତୀୟ ଭାଗରେ ସେ ଲେଖିଛନ୍ତି, “ଜାତୀୟ ମମତା ବିଶ୍ୱଜନପ୍ରୀତି / ଉତ୍କଳବାସୀର ହେଉ ଏହା ନୀତି।” ତାହା ପରେ, ଚତୁର୍ଥଭାଗରେ କହିଛନ୍ତି, “ଭାରତେ ଉତ୍କଳ ମହାପୁଣ୍ୟଧାମ” ଏବଂ “ଭାରତର ଧର୍ମ-ହୃଦ-ଶତଦଳ” ହେଉଛି ପୁଣ୍ୟ ଦେବସ୍ଥଳୀ ଉତ୍କଳ। କିନ୍ତୁ ଏ ସଂପର୍କରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ପଙ୍‌କ୍ତି ଅଛି ତାହାର ପଞ୍ଚମ ଭାଗରେ। ସେଥିରେ ସେ କହିଛନ୍ତି, “ଜଗତ ସରସେ ଭାରତ କମଳ, / ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ।” ଅର୍ଥାତ୍ ଜଗତ ଯଦି ଗୋଟିଏ ପୁଷ୍କରିଣୀ ହୁଏ, ଭାରତ ସେହି ପୁଷ୍କରିଣୀର ଏକ ପଦ୍ମ ଏବଂ ତାହାର କେଶର ହେଉଛି ପୁଣ୍ୟ ନୀଳାଚଳ। ସେଥିରେ ଉତ୍କଳ ଭାବନା, ଭାରତ ଭାବନା ଓ ବିଶ୍ୱଭାବନା ସମନ୍ୱିତ।

ଗୋପବନ୍ଧୁଙ୍କ ସମନ୍ୱିତ ଭାରତ ଭାବନା ଓ ଉତ୍କଳ ଭାବନା ଏହାର ପର ପଦଗୁଡ଼ିକରେ ଅଧିକ ବିସ୍ତାରିତ। ସେହି ପଦଗୁଡ଼ିକରେ ସେ କହିଛନ୍ତି- “ମୁଁ ଭାରତର ଯେଉଁଠାରେ ଥିଲେ ବି ମୋର ମନେହୁଏ, ମୁଁ ନିଜ କକ୍ଷରେ ହିଁ ଅଛି। ମୋ ଦୃଷ୍ଟିରେ ଭାରତର ପ୍ରତି ଶିଳା ହେଉଛି ଶାଳଗ୍ରାମ। ଭାରତର ପ୍ରତି ସ୍ଥାନ ମୋ ପାଇଁ ମୋର ପ୍ରିୟ ପୁରୀଧାମ। ଭାରତର ପ୍ରତି ବିନ୍ଦୁ ଜଳ ମୋ ପାଇଁ ପଞ୍ଚତୀର୍ଥର ଜଳ। ଭାରତର ପ୍ରତି ବୃକ୍ଷ ମୋ ପାଇଁ କଳ୍ପବଟ ଏବଂ ପ୍ରତିସ୍ଥାନରେ ପ୍ରଭୁ ଜଗନ୍ନାଥ ପ୍ରକଟ ରହିଛନ୍ତି।” ଏଣୁ ପରିଶେଷରେ ସେ କହିଛନ୍ତି- “ଭାରତବର୍ଷର ଯେଉଁଠାରେ ଥିଲେ ବି ମୁଁ ନୀଳଚକ୍ର ତଳେ ଅଛି ବୋଲି ମନେ କରିଥାଏ।” ଏହା ହେଉଛି- ଆମ ପରମ୍ପରାରେ ଉତ୍କଳଭାବନା ଓ ଭାରତ ଭାବନା। ଏହା ମଧ୍ୟରେ ବିଭେଦ ନାହିଁ। ସମନ୍ୱୟ ଅଛି। ଏହା ହିଁ ଆଜି ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ।
-ଅସିତ ମହାନ୍ତି