ବସନ୍ତ ଋତୁ ହେଉଛି କାମଦେବଙ୍କର ପ୍ରାଦୁର୍ଭାବର ଋତୁ। ବସନ୍ତ ଋତୁରେ ଫୁଟୁଥିବା ପାଞ୍ଚଟି ପୁଷ୍ପ ତାଙ୍କର ପଞ୍ଚବାଣ। କାମଦେବତାଙ୍କର ସେହି ପଞ୍ଚବାଣର ତାଡ଼ନାରେ ସୂର୍ଯ୍ୟଦେବ ସୁମନ୍ୟୁ ଋଷିଙ୍କ ସୁନ୍ଦରୀ କନ୍ୟା ଚନ୍ଦ୍ରଭାଗାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ତାହା ଫଳରେ ତାଙ୍କର ମନ୍ଦିରର ପତନ ଘଟିଲା ବୋଲି କବିବର ରାଧାନାଥ ରାୟ ତାଙ୍କ ‘ଚନ୍ଦ୍ରଭାଗା’ କାବ୍ୟରେ ବର୍ଣ୍ଣନା କରିଛନ୍ତି। ମହାକବି କାଳିଦାସଙ୍କ ‘କୁମାରସମ୍ଭବମ୍’ରେ ଏହାର ଏକ ସୁନ୍ଦର ପୌରାଣିକ ଆଖ୍ୟାନ ବର୍ଣ୍ଣିତ ହୋଇଛି। ଦକ୍ଷଯଜ୍ଞରେ ପତ୍ନୀ ସତୀଙ୍କର ଆତ୍ମାହୁତି ପରେ, ରୁଦ୍ର, ମହାତପସ୍ୱୀ ଶିବ ରୂପରେ ଧ୍ୟାନମଗ୍ନ ଥିଲେ। ତେଣେ ତାରକାସୁରର ଉତ୍ପାତରେ ଦେବଗଣ ଥିଲେ ଭୀତତ୍ରସ୍ତ। ଶିବଙ୍କର ଧ୍ୟାନଭଗ୍ନ ହୋଇ, ସେ ହିମବନ୍ତ କନ୍ୟା ପାର୍ବତୀଙ୍କ ସହିତ ମିଳିତ ହେଲେ ହିଁ କାର୍ତ୍ତିକେୟ ଜନ୍ମ ନେବେ ଏବଂ ସେ ତାରକାସୁରକୁ ନିହତ କରିବେ।
ଶିବଙ୍କର ଧ୍ୟାନଭଙ୍ଗ କରିବାର ଦାୟିତ୍ୱ ନେଲେ କାମଦେବ ବା ମଦନ। ସେ ତାଙ୍କର ପଞ୍ଚବାଣ ନିକ୍ଷେପ କଲେ। ଉନ୍ମୁକ୍ତ ହେଲା ମହାଯୋଗୀ ଶିବଙ୍କର ମୁଦ୍ରିତ ଚକ୍ଷୁ। ତା’ ସହିତ ମଧ୍ୟ ଉନ୍ମୁକ୍ତ ହେଲା ତାଙ୍କର ତୃତୀୟ ଚକ୍ଷୁ। ତାହାର ଅଗ୍ନିରେ ଭସ୍ମୀଭୂତ ହୋଇଗଲେ ମଦନ। ମଦନଙ୍କର ପତ୍ନୀ ରତିଦେବୀଙ୍କର କାତର ପ୍ରାର୍ଥନା ଓ ବିଳାପରେ ବିଗଳିତ ହୋଇ ଶିବ ଅବଶ୍ୟ ତାଙ୍କୁ ଜୀବଦାନ ଦେଲେ; କିନ୍ତୁ ନିଜର ଶରୀର ଆଉ ଫେରି ପାଇଲେ ନାହିଁ ମଦନ। ସେ ‘ଅନଙ୍ଗ’ ବା ଅଙ୍ଗହୀନ ହୋଇ ହିଁ ରହିଗଲେ। ସେହି ଅନଙ୍ଗ ଅଶରୀରୀ ହୋଇ ମଧ୍ୟ, ମଦନ ବା କାମନା ରୂପରେ ଆମ ସମସ୍ତଙ୍କ ମନ ଭିତରେ ସଂଜୀବିତ। ବସନ୍ତ ଋତୁରେ ତାଙ୍କର ପ୍ରାଦୁର୍ଭାବ ଅଧିକ ହୋଇଥାଏ। କାରଣ, ଏହି ଋତୁରେ ତାଙ୍କର ପଞ୍ଚବାଣ, ପଞ୍ଚପୁଷ୍ପ ରୂପେ ପ୍ରସ୍ଫୁଟିତ ହୁଅନ୍ତି। ଏଣୁ ଅଶରୀରୀ ରୂପେ ଥାଇ ବି ଆମ ମନକୁ ବସନ୍ତରେ ଅଧିକ ଉଚ୍ଚାଟିତ କରୁଥିବା ଏହି କାମଦେବଙ୍କ ପ୍ରତି, ଆମେ ଏ ଋତୁରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ଏବଂ ଏଇଥିପାଇଁ ହିଁ ଏହି ଋତୁରେ ଅନୁଷ୍ଠିତ ହୁଏ ରାଧା-କୃଷ୍ଣ ମିଳନର ପର୍ବ- ଦୋଳୋତ୍ସବ।
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]