ଭଗବାନ ଶ୍ରୀକୃଷ୍ଣ ‘ଗୀତା’ରେ କହିଛନ୍ତି- ‘‘ଅଶ୍ବତ୍ଥ ସର୍ବବୃକ୍ଷାଣାଂ...’’ ଅର୍ଥାତ୍, ‘‘ମୁଁ ବୃକ୍ଷମାନଙ୍କ ମଧ୍ୟରେ ଅଶ୍ବତ୍ଥ।” ଏହା ଅଶ୍ବତ୍ଥ ବୃକ୍ଷର ଶ୍ରେଷ୍ଠତାକୁ ସୂଚାଏ। ‘ପଦ୍ମପୁରାଣ’ରେ ମଧ୍ୟ ଏ ସଂପର୍କରେ ବର୍ଣ୍ଣନା ମିଳେ। ଅଷ୍ଟାଦଶ ପୁରାଣ ଅନ୍ତର୍ଗତ ‘ପଦ୍ମପୁରାଣ’ର ୧୧୫ ଅଧ୍ୟାୟରେ ଏ ସଂପର୍କରେ ବର୍ଣ୍ଣନା ଅଛି। ସୂତମୁନି ଅନ୍ୟ ମୁନିମାନଙ୍କୁ ଏ ସଂପର୍କରେ କହିଛନ୍ତି।
ଋଷିମାନେ ପଚାରିଛନ୍ତି– ହେ ସୂତମୁନି ! ଆପଣ, ଭଗବାନ ବିଷ୍ଣୁଙ୍କର ପ୍ରିୟ ତଥା ପୁଣ୍ୟଫଳଦାୟକ କାର୍ତ୍ତିକବ୍ରତର ବିଧି ସଂପର୍କରେ ଆମକୁ କହିଛନ୍ତି। କିନ୍ତୁ କୌଣସି କାର୍ତ୍ତିକ ବ୍ରତଧାରୀ ଯଦି କୌଣସି କାରଣରୁ ଗହନ ବନରେ ରହିଯାଆନ୍ତି ବା ଦୁରାରୋଗ୍ୟ ବ୍ୟାଧିରେ ପଡ଼ନ୍ତି, ତେବେ ସେ କିପରି କାର୍ତ୍ତିକ ବ୍ରତ କରିବେ ?
ତାହାର ଉତ୍ତରରେ ସୂତମୁନି ଅନ୍ୟାନ୍ୟ ବିକଳ୍ପ ବିଧି ସମେତ, ଅଶ୍ବତ୍ଥ ବୃକ୍ଷର ପାଦଦେଶରେ ବା ତୁଳସୀ ବନରେ ହରିଜାଗରଣ କରିବାକୁ ଏହାର ଉପାୟ ବୋଲି କହିଛନ୍ତି। ଏ ପ୍ରସଙ୍ଗରେ ଅଶ୍ବତ୍ଥ ବୃକ୍ଷ ଓ ବଟବୃକ୍ଷଙ୍କୁ ଏବଂ ଗୋ ଓ ବ୍ରାହ୍ମଣଙ୍କୁ ସମାନ ବୋଲି କୁହାଯାଇଛି। ଏ ପ୍ରସଙ୍ଗରେ ସୂତମୁନି କହିଛନ୍ତି– ଅଶ୍ବତ୍ଥ ହେଉଛି ବିଷ୍ଣୁବୃକ୍ଷ। ଭଗବାନ ବିଷ୍ଣୁ ହିଁ ଅଶ୍ବତ୍ଥ ବୃକ୍ଷରୂପରେ ପ୍ରକଟ ହୋଇଛନ୍ତି। ବଟବୃକ୍ଷ ରୁଦ୍ର ସ୍ବରୂପ। ଅଶ୍ବତ୍ଥ ଓ ବଟବୃକ୍ଷର ପତ୍ର ବ୍ରହ୍ମାଙ୍କ ସ୍ବରୂପ। ଏଣୁ ଏହି ଦୁଇ ବୃକ୍ଷଙ୍କର ଦର୍ଶନ, ପୂଜନ ଓ ସେବା ପାପନାଶକ।
ଏହା ଶୁଣି ଅନ୍ୟ ମୁନିଗଣ ସୂତମୁନିଙ୍କୁ ପଚାରିଛନ୍ତି– ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର କିପରି ବୃକ୍ଷରୂପ ହେଲେ, ଏହା ଆମକୁ କୁହନ୍ତୁ। ଏହାର ଉତ୍ତରରେ ସୂତମୁନି ସେମାନଙ୍କୁ ତାହାର ରହସ୍ୟ କହିଛନ୍ତି। ତାହା ଅନୁସାରେ- ଏକଦା ଶିବ ଓ ପାର୍ବତୀ ସୁରତ କ୍ରୀଡ଼ାରେ ପ୍ରବୃତ୍ତ ଥିଲେ। ସେତେବେଳେ ଦେବଗଣ ଅଗ୍ନିଙ୍କୁ ବ୍ରାହ୍ମଣ ରୂପରେ ସେଥିରେ ବିଘ୍ନ ଘଟାଇବା ପାଇଁ ପଠାଇଲେ। ସେଥିରେ କ୍ରୁଦ୍ଧ ହୋଇ ପାର୍ବତୀ ଦେବଗଣଙ୍କୁ ବୃକ୍ଷ ହୋଇଯିବା ପାଇଁ ଅଭିଶାପ ଦେଲେ। ସେହି ଅଭିଶାପ ଯୋଗୁଁ ଦେବଗଣ ବିଭିନ୍ନ ବୃକ୍ଷ ହୋଇଗଲେ। ବିଷ୍ଣୁ ହେଲେ ଅଶ୍ବତ୍ଥ ବୃକ୍ଷ ଏବଂ ଶିବ ହେଲେ ବଟବୃକ୍ଷ। ଏ ଦୃଷ୍ଟିରୁ ଏକତ୍ର ଅଶ୍ବତ୍ଥ ଓ ବଟବୃକ୍ଷ ରୋପଣ– ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କର ଉପାସନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/sfsfsxccxcx-2025-10-24-03-21-11.jpg)