ପ୍ରଗତି ସାହୁ

କପାଳରେ ତିଳକ ଧାରଣ କରିବା ଏକ ବହୁ ପ୍ରଚଳିତ ଧାର୍ମିକ ପରମ୍ପରା। ‌େସହିପରି ଚନ୍ଦନ, ହଳଦୀ, ଭସ୍ମ, କୁମ୍‌କୁମ୍‌ ଆଦି ଟିକା ମଧ୍ୟ ପୂଜାପାର୍ବଣରେ କପାଳରେ ଲଗାଯାଏ । ଏହା ପଛରେ କେବଳ ଧାର୍ମିକ କାରଣ ନୁହେଁ, ବୈଜ୍ଞାନିକ କାରଣ ବି ରହିଛି। ତିଳକକୁ ତୃତୀୟ ନେତ୍ର ବା ଜ୍ଞାନଚକ୍ରର ପ୍ରତିନିଧି ଭାବେ ଗ୍ରହଣ କରାଯାଏ। ତିଳକ ଲଗାଇବା ଦ୍ବାରା ବ୍ୟକ୍ତିର ଆଧ୍ୟାତ୍ମିକ ‌େଚତନା ଜାଗ୍ରତ ହୋଇଥାଏ। ଏହା ନକାରାତ୍ମକ ଊର୍ଜାକୁ ଦୂରେଇ ରଖେ। ସେଥିପାଇଁ ତିଳକ ଲଗାଇବା ଶୁଭ ଓ ମଙ୍ଗଳକର ବିବେଚନା କରାଯାଏ। ତିଳକ ସାଧାରଣତଃ ଚନ୍ଦନ, କୁଙ୍କୁମ, ଭସ୍ମ ଆଦିରେ ପ୍ରସ୍ତୁତ କରାଯାଇଥାଏ। ପ୍ରତି ତିଳକର ଭିନ୍ନ ଭିନ୍ନ ମହତ୍ତ୍ବ ବି ରହିଛି। ଚନ୍ଦନ ତିଳକ: ହିନ୍ଦୁଧର୍ମ‌େର ବହୁ ପରିଚିତ ତିଳକ ମଧ୍ୟରେ ଚନ୍ଦନ ଅନ୍ୟତମ। ଏହାକୁ କପାଳରେ ଲଗାଇଲେ କେବଳ ଯେ ଶୀତଳତା ମିଳେ ତାହା ନୁହେଁ, ଜ୍ଞାନଚକ୍ର ସକ୍ରିୟ ହୁଏ। ଚନ୍ଦନ ପ୍ରଲେପ ଶୁଖିବା ପରେ ପ୍ରାର୍ଥନା ଅବା ଧ୍ୟାନକଲେ ଏହା କେନ୍ଦ୍ରବିନ୍ଦୁ ପାଲଟି ଏକାଗ୍ରତା ବଢ଼ାଏ। ଏହା ମାନସିକ ଚାପ ଓ ମୁଣ୍ଡବ୍ୟଥା ଦୂର କରିବାରେ ବି ସାହାଯ୍ୟ କରିଥାଏ।

Advertisment

କୁଙ୍କୁମ ତିଳକ: କୁଙ୍କୁମ ତିଳକ କେବଳ ସୌନ୍ଦର୍ଯ୍ୟ ବଢ଼ାଏ ନାହିଁ, ବିଭିନ୍ନ ଘାତପ୍ରତିଘାତ ସହ ଲଢ଼ିବା ପାଇଁ ଊର୍ଜା ବି ପ୍ରଦାନକରେ। ଏହା ନିରବ ଆତ୍ମବିଶ୍ବାସ ଭାବେ କାମକରେ। ତା’ସହ ଏକାଗ୍ରତା ବି ବଢ଼ାଏ।

ହଳଦୀ ତିଳକ: ହଳଦୀରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ରହିଛି। ଏଥିରେ ପ୍ରସ୍ତୁତ ତିଳକ ଧାରଣ ହେଉଛି ପରମ୍ପରା ଓ ସ୍ବାସ୍ଥ୍ୟ ନିରାପତ୍ତାର ମିଶ୍ରଣ। ଏହା ଚର୍ମ ସଫାକରିବା ସହ ମସ୍ତିଷ୍କକୁ ଶୁଦ୍ଧକରେ ଓ ଆତ୍ମବିଶ୍ବାସ ବଢ଼ାଏ। ଏହାବାଦ୍‌ ହିନ୍ଦୁଧର୍ମରେ ସାଧାରଣତଃ ତିନି ଆକାରର ତିଳକ ଲଗାଯାଏ- ବୈଷ୍ଣବ ତିଳକ, ଶୈବ ତିଳକ ଓ ଶାକ୍ତ ତିଳକ। ଏହାଛଡ଼ା ଅନେକ ସମ୍ପ୍ରଦାୟର ନିଜସ୍ବ ତିଳକ ରହିଛି।

ବୈଷ୍ଣବ  ତିଳକ: ଏହା ସାଧାରଣତଃ ଧଳା କିମ୍ବା ହାଲୁକା ମାଟିଆ ରଙ୍ଗର। ଦୁଇଟି ରେଖା କେନ୍ଦ୍ରରେ ଏକ ନାଲିବିନ୍ଦୁ ବା ରେଖା ଅଙ୍କନ କରାଯାଇଥାଏ। ଯେଉଁମାନେ ଭଗବାନ ବିଷ୍ଣୁଙ୍କ ଭକ୍ତ ସେମାନେ ଏହି ଶୈଳୀର ତିଳକ ଲଗାଇଥାଆନ୍ତି।

ଶୈବ ତିଳକ: ମହାଦେବଙ୍କ ଭକ୍ତମାନେ କପାଳରେ ଲଗାଉଥିବା ତିନି ରେଖା ପବିତ୍ର ପାଉଁଶକୁ ଶୈବ ତିଳକ କୁହାଯାଏ। ଏହା ଶିବ ଆରାଧନା ଓ ପରମ୍ପରା ସହିତ ଜଡ଼ିତ।

ଗୋପୀଚନ୍ଦନ ତିଳକ: ବିନ୍ଦି ଆକାରର ଏହି ତିଳକ ଶାକ୍ତମାନେ କପାଳରେ ଲଗାଇଥାନ୍ତି। ଗୁଜରାଟର ଦ୍ୱାରକାରେ ମିଳୁଥିବା ହଳଦିଆ ମାଟିରେ ଏହା ପ୍ରସ୍ତୁତ ହୁଏ। ଏହି ତିଳକ କୃଷ୍ଣ ଉପାସନା ଓ ଦେବୀଙ୍କ ଆଶୀର୍ବାଦ ସହ ଜଡ଼ିତ ବୋଲି ବିଶ୍ବାସ ରହିଛି।

ଅନ୍ୟାନ୍ୟ ତିଳକ: ୯ଟି ଗ୍ରହର ପ୍ରତିନିଧିତ୍ୱ କରୁଥିବା ୯ଟି ଭିନ୍ନ ଭିନ୍ନ ରଙ୍ଗର ତିଳକକୁ ନବଗ୍ରହ ତିଳକ କୁହାଯାଏ।

ଆଙ୍ଗୁଠି ଓ ତିଳକ: ଶାସ୍ତ୍ର ଅନୁସାରେ, ଭ୍ରୂଲତା ମଝିରେ ତିଳକ ଲଗାଯାଏ। ଅଧିକାଂଶ ଆଙ୍ଗୁଠିରେ ତିଳକ ଲଗାଇଥାଆନ୍ତି। ଭିନ୍ନ ଭିନ୍ନ ଆଙ୍ଗୁଠିରେ ତିଳକ ଲଗାଇବା ଦ୍ବାରା ଭିନ୍ନ ଭିନ୍ନ ଫଳପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି।

ବୁଢ଼ାଆଙ୍ଗୁଠି: ବୁଢ଼ାଆଙ୍ଗୁଠିରେ ତିଳକ ଲଗାଇବା ଦ୍ୱାରା ସୁପ୍ରଭାବ ପଡ଼ିଥାଏ ଓ ସ୍ବାସ୍ଥ୍ୟ ଭଲ ରହିଥାଏ। ଶୁକ୍ରଗ୍ରହର ବୁଢ଼ାଆଙ୍ଗୁଠି ସହ ସମ୍ପର୍କ ଥିବା କଥା ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଶୁକ୍ରଗ୍ରହ ଜୀବନୀ ଶକ୍ତିର ପ୍ରତୀକ ହୋଇଥିବା ହେତୁ ବଢ଼ାଆଙ୍ଗୁଠିରେ ତିଳକ ଲଗାଇବା ଦ୍ୱାରା ଜୀବନ ନିରାମୟ ଓ ସୁଖସମୃଦ୍ଧି ଭରା ହୋଇଥାଏ।

ଅନାମିକା ଆଙ୍ଗୁଠି: ଅନାମିକା ଆଙ୍ଗୁଠିରେ ତିଳକ ଲଗାଇବା ଦ୍ୱାରା ଜୀବନରେ ଶାନ୍ତି ଆସିଥାଏ। ଏଥିସହ ସୌଭାଗ୍ୟ ପ୍ରାପ୍ତି ବି ହୋଇଥାଏ। ସର୍ବଦା ଭଗବାନଙ୍କୁ ଅନାମିକା ଆଙ୍ଗୁଠିରେ ତିଳକ ଲଗାଯାଇଥାଏ।