ଗୋଟିଏ କିଡ୍‌ନି ସାହାଯ୍ୟରେ ମଧ୍ୟ ସମ୍ପୂର୍ଣ୍ଣ ସ୍ୱାଭାବିକ ତଥା ସୁସ୍ଥ ଜୀବନଯାପନ କରିହେବ। ବାସ୍ତବରେ କିଛି ଲୋକ ଗୋଟିଏ କିଡ୍‌ନି ସହିତ ଜନ୍ମ ହୋଇଥାନ୍ତି ତ କିଛି ଲୋକ ପ୍ରିୟଜନଙ୍କୁ ଗୋଟିଏ ଦାନ କରିଥା’ନ୍ତି ଏବଂ କେତେକଙ୍କ ଠାରେ ଅସୁସ୍ଥତା କିମ୍ବା ଆଘାତ ଯୋଗୁଁ ଗୋଟିଏ କିଡ୍‌ନି କାଢ଼ି ଦିଆଯାଇଥାଏ। ଏକ ସାଧାରଣ କିଡ୍‌ନିରେ ନେଫ୍ରନ୍‌ ନାମକ ପ୍ରାୟ ଦଶ ଲକ୍ଷ ପରିସ୍ରାବକ ବା ଫିଲ୍‌ଟରିଂ ୟୁନିଟ୍ ଥାଏ। ଯେତେବେଳେ ଗୋଟିଏ କିଡ୍‌ନି କୌଣସି କାରଣରୁ ଅନୁପସ୍ଥିତ ଥାଏ, ଅନ୍ୟ କିଡ୍‌ନିଟି କାର୍ଯ୍ୟକ୍ଷମତା ବଢ଼ାଇଦିଏ। ଏହା କୌଣସି ବିଶେଷ ସହାୟତା ବିନା ଫିଲ୍‌ଟର କରିବା, ତରଳ ଓ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ କରିବା ଏବଂ ରକ୍ତଚାପ ନିୟନ୍ତ୍ରଣ କରିବା ଆଦି କାମ କରିଥାଏ। ଅଧ୍ୟୟନରୁ ଜଣାପଡ଼ିଛି ଯେ ନିୟମିତ ମନିଟରିଂ ଏବଂ ସୁସ୍ଥ ଜୀବନଶୈଳୀ ସହିତ, ଗୋଟିଏ କିଡ୍‌ନିଧାରୀଙ୍କ ଆୟୁଷ ଦୁଇଟି କିଡ୍‌ନି ଥିବା ଲୋକଙ୍କ ତୁଳନାରେ ଅଧିକ ହୋଇପାରେ। ତେବେ ଗୋଟିଏ ବୃକ୍‌କ ସହିତ ବଞ୍ଚିବା ପାଇଁ କିଛି ଜରୁରୀ ସତର୍କତା ଅବଲମ୍ବନ କରିବା ବାଞ୍ଛନୀୟ। 

Advertisment

ଗୋଟିଏ ବୃକ୍‌କଧାରୀ ବ୍ୟକ୍ତି ଅତ୍ୟଧିକ ତରଳ ପଦାର୍ଥ ସେବନ କରିବା ଠିକ୍‌ ନୁହେଁ। ପ୍ରତ୍ୟହ ମୋଟାମୋଟି ୨ରୁ ୩ ଲିଟର ଯଥେଷ୍ଟ। ସେହିପରି ନିଜର ରକ୍ତଚାପ, ରକ୍ତ ଶର୍କରା ଓ କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣରେ ରଖିବା ଦରକାର। ଅଯଥାରେ ଯନ୍ତ୍ରଣା ନିବାରକ, ବିଶେଷକରି ଇବୁପ୍ରୋଫେନ୍‌ ଓ ଡାଇକ୍ଲୋଫେନାକ୍ ପରି ଔଷଧ ଠାରୁ ଦୂରେଇବାକୁ ହେବ। କୌଣସି ପ୍ରକାର ଚେରମୂଳି ଔଷଧ ଏବଂ ପରିପୂରକ ଔଷଧଗୁଡ଼ିକୁ ତ୍ୟାଗ କରିବା ଦରକାର। ଏଥି ସହିତ ନିୟମିତ ବୃକ୍‌କର ସକ୍ରିୟତା ପରୀକ୍ଷା କରିବା ଜରୁରି। ଗୋଟିଏ ବୃକ୍‌କ ଥିବା ଅଧିକାଂଶ ଲୋକଙ୍କ ପାଇଁ କୌଣସି ବିଶେଷ ଖାଦ୍ୟର ଆବଶ୍ୟକତା ନାହିଁ। ଗୋଟିଏ ବୃକ୍‌କ ସହିତ ଜନ୍ମିତ ଶିଶୁମାନେ ପ୍ରାୟତଃ କୌଣସି ଜଟିଳତା ବିନା ବଡ଼ ହୁଅନ୍ତି ଏବଂ ସମ୍ପୂର୍ଣ୍ଣ ସାଧାରଣ ଜୀବନଯାପନ କରନ୍ତି। ଖେଳାଳି, ସୈନିକ ଓ ସବୁ କ୍ଷେତ୍ରର ପେସାଦାରମାନେ କେବଳ ଗୋଟିଏ ବୃକ୍‌କ ସହିତ ସମ୍ପୂର୍ଣ୍ଣ ସ୍ବାଭାବିକ ଭାବରେ କାର୍ଯ୍ୟ କରିପାରିବେ।