ପରଲୋକଗତ ଜୀବନସାଥୀଙ୍କ ସ୍ମୃତିରେ ତାଜମହଲ ଭଳି ସ୍ମାରକୀ ନିର୍ମିତ ହୋଇଥିବା କଥା ଆମେ ଜାଣୁ। ତେବେ ପଶ୍ଚମବଙ୍ଗର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତାଙ୍କ ସ୍ବର୍ଗତ ପତ୍ନୀଙ୍କ ଅନୁପସ୍ଥିତିକୁ ସହ୍ୟ କରିନପାରି ତାଙ୍କର ଏକ ପ୍ରତିକୃତି ସହ ଜୀବନ ବିତାଇବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ତାପସ ସାଣ୍ଡିଲ୍ୟ ନାମକ ଏହି ବରିଷ୍ଠ ନାଗରିକ (୬୫ ବର୍ଷ)ଙ୍କ ପତ୍ନୀ ଇନ୍ଦ୍ରାଣୀ ୨୦୨୧ରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। କୋଭିଡ୍‌ରେ ଆକ୍ରାନ୍ତ ଇନ୍ଦ୍ରାଣୀ ଡାକ୍ତରଖାନାରେ ଏକାନ୍ତବାସରେ ରହିଥିବାରୁ ତାଙ୍କର ଶେଷ ସମୟରେ ତାପସ ପାଖରେ ଉପସ୍ଥିତ ରହିପାରି ନ ଥିଲେ। ପତ୍ନୀଙ୍କର ଅନ୍ତିମ ଇଚ୍ଛା ପୂରଣ କରିବା ଲାଗି ସେ ଇନ୍ଦ୍ରାଣୀଙ୍କର ଏକ ସିଲିକନ୍‌ ପ୍ରତିମୂର୍ତ୍ତି ଗଢ଼ିବା ପାଇଁ ଯୋଜନା କଲେ। ପୂର୍ବରୁ ଏକ ଇସ୍କନ ମନ୍ଦିର ଦର୍ଶନରେ ଯାଇଥିବା ବେଳେ ସେଠାରେ ସ୍ଥାପିତ ଏକ ଜୀବନ୍ତ ପ୍ରତିମୂର୍ତ୍ତି ଦେଖି ଇନ୍ଦ୍ରାଣୀ ଇଚ୍ଛା ପ୍ରକଟ କରିଥିଲେ କି ସେ ଯଦି ଆଗେ ମରିଯାଆନ୍ତି ତେବେ ତାଙ୍କର ସେଭଳି ଏକ ପ୍ରତିମୂର୍ତ୍ତି ଗଢ଼ାଇ ରଖିବେ। ଶେଷରେ ତାପସ ୬ ମାସର ଉଦ୍ୟମ ଓ ୩୦,୦୦୦ ଡଲାର ଖର୍ଚ୍ଚ କରି ୩୦ କେଜି ଓଜନ ବିଶିଷ୍ଟ ପତ୍ନୀ ଇନ୍ଦ୍ରାଣୀଙ୍କର ଏକ ଅବିକଳ ପ୍ରତିମୂର୍ତ୍ତି ପାଇପାରିଛନ୍ତି। ଘର ଭିତରେ ପତ୍ନୀଙ୍କ ପ୍ରତିମୂର୍ତ୍ତି ସହ ଦୋଳି ଝୁଲିବାକୁ ସେ ପରମ ବିଳାସ ବୋଲି କହିଛନ୍ତି।