ପ୍ରେମାନନ୍ଦଜୀ ମହାରାଜଙ୍କ ଶରଣାପନ୍ନ ହୋଇ ରିଙ୍କୁ ସିଂହଙ୍କୁ ଆନ୍ତରିକ ଶାନ୍ତି ଓ ତୃପ୍ତି ମିଳିଛି। ତାଙ୍କର ହୃଦ୍‌ବୋଧ ହୋଇଛି ଯେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ଆତ୍ମ-ସାକ୍ଷାତ୍‌କାର ଓ ଈଶ୍ବର ସେବା। ସମ୍ପ୍ରତି ସେ କେବଳ ସ୍ବଦେଶ ନୁହେଁ, ସମଗ୍ର ବିଶ୍ବରେ ଭାରତୀୟ ସଂସ୍କୃତି ଏବଂ ଅଧ୍ୟାତ୍ମ୍ୟ ପ୍ରଚାର କରୁଛନ୍ତି।

Advertisment

ପେସାଦାର ମଲ୍ଲଯୋଦ୍ଧା ଓ ବେସ୍‌ବଲ୍‌ ଖେଳାଳି ବୀର ମହାନ୍‌ ନାମରେ ବିଶ୍ବବିଦିତ ରିଙ୍କୁ ସିଂହ ରାଜପୁତ ଖେଳ କ୍ୟାରିୟରରୁ ଅବସର ନେଇ ଆଧ୍ୟାତ୍ମିକ ମାର୍ଗକୁ ଆସିଛନ୍ତି। ବୃନ୍ଦାବନ ନିବାସୀ ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କ ଶିଷ୍ୟତ୍ବ ଗ୍ରହଣ କରି ପୀତବସ୍ତ୍ର ଧାରଣ କରି ରିଙ୍କୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କର ସାଧୁବେଶୀ ଭିଡିଓଗୁଡ଼ିକ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଲୋକପ୍ରିୟ ହେଉଛି। ୧୯୮୮ ଅଗଷ୍ଟ ୮ ତାରିଖରେ ଉତ୍ତରପ୍ରଦେଶର ହୋଲ୍‌ପୁର ଗ୍ରାମରେ ଜନ୍ମିତ ରିଙ୍କୁଙ୍କ ପିତା ବ୍ରହ୍ମଦୀନ ସିଂହ ଥିଲେ ଜଣେ ଟ୍ରକ୍‌ ଡ୍ରାଇଭର୍‌। ଶୈଶବରୁ ରିଙ୍କୁଙ୍କର କ୍ରୀଡ଼ାକସରତ, ବିଶେଷକରି କୁସ୍ତି ପ୍ରତି ଖୁବ୍‌ ଆଗ୍ରହ ଥିଲା। ତେବେ ସେ ଜାଭ୍‌ଲିନ୍‌ ଥ୍ରୋରେ ମନୋନିବେଶ କଲେ ଏବଂ ଲକ୍ଷ୍କୌସ୍ଥିତ ଗୁରୁ ଗୋବିନ୍ଦ ସିଂହ ସ୍ପୋର୍ଟସ୍‌ କଲେଜରେ ପଢ଼ିଲେ। ସେଠାରେ ଜାଭ୍‌ଲିନ୍‌ ଥ୍ରୋ’ରେ ସେ ଜାତୀୟ ପଦକ ବିଜୟୀ ହେଲେ। ଜାଭ୍‌ଲିନ୍‌ ଥ୍ରୋ’ ଅଭ୍ୟାସ ଜାରିରଖିଥିବା ରିଙ୍କୁ ୨୦୦୮ରେ ଟେଲିଭିଜନ୍‌ ରିୟଲିଟି ସୋ ‘ଦି ମିଲିୟନ୍‌ ଡଲାର୍‌ ଆର୍ମ’ରେ ଅଂଶଗ୍ରହଣ କରି ବିଜୟୀ ଘୋଷିତ ହେଲେ। ତା’ପରେ ତାଙ୍କୁ ଆମେରିକାର ଖ୍ୟାତନାମା ବେସ୍‌ବଲ୍‌ ଟିମ୍‌ରେ ସାମିଲ ହେବାକୁ ସୁଯୋଗ ମିଳିଲା। ୩୭୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ଏହି ପ୍ରତିଯୋଗିତାରେ ଘଣ୍ଟାପ୍ରତି ୮୭ ମାଇଲ୍‌ ବେଗରେ ବେସ୍‌ବଲ୍‌ ଫିଙ୍ଗି ସେ ୧ ଲକ୍ଷ ଡଲାର୍‌ ଜିଣିଲେ। ପରେ ପରେ ସେ ପେସାଦାର ବେସ୍‌ବଲ୍‌ ଲିଗ୍‌ରେ ‌ପ୍ରଥମ ଭାରତୀୟ ଭାବେ ଖେଳିବାର ଗୌରବ ଅର୍ଜନ କଲେ। ୨୦୦୯ରେ ରିଙ୍କୁ ପିଟ୍‌ସ୍‌ବର୍ଗ ପାଇରେଟ୍‌ ତରଫରୁ ଖେଳିଲେ।

୨୦୧୮ରେ ରିଙ୍କୁ ବେସ୍‌ବଲ୍‌ ଛାଡ଼ି ପେସାଦାର କୁସ୍ତି ମଞ୍ଚ ‘ଡବ୍ଲୁଡବ୍ଲୁଇ’ରେ ସାମିଲହେଲେ। ସୌରଭ ଗୁର୍ଜର୍‌ ସିଂହ ନାମରେ ଆଉ ଜଣେ ଭାରତୀୟଙ୍କ ସହିତ ମିଶି ସେ ‘ଦି ଇଣ୍ଡସ୍‌ ଶେର୍‌’ ନାମରେ ଟିମ୍‌ ଗଢ଼ିଲେ। ଦୁହେଁ ଡବ୍ଲୁଡବ୍ଲୁଇ ଓ ଏନ୍‌ଏକ୍ସ୍‌ଟିରେ ଅଂଶଗ୍ରହଣ ଗଲେ। ୨୦୨୧ରେ ରିଙ୍କୁ ଟିମ୍‌ରୁ ବାହାରି ଯାଇ ସ୍ବାଧୀନ କୁସ୍ତିଯୋଦ୍ଧା ‘ବୀର ମହାନ୍‌’ ଭାବେ ଡବ୍ଲୁଡବ୍ଲୁଇ ର’ରେ ସମ୍ପୃକ୍ତ ହେଲେ ଓ କ୍ରୀଡ଼ାରେ ମହା ମହା କୁସ୍ତିଯୋଦ୍ଧାଙ୍କୁ ପରାସ୍ତକଲେ। ଜନ୍‌ ସିନା ଓ ଦି ଗ୍ରେଟ୍‌ ଖଲୀଙ୍କ ଭଳି ପ୍ରବୀଣ କୁସ୍ତିଯୋଦ୍ଧାଙ୍କ ସଙ୍ଗେ ମଧ୍ୟ ରିଙ୍କୁ କୁସ୍ତି ଲଢ଼ିଛନ୍ତି।

ବିଦେଶରେ ରହି ଭାରତକୁ ଗୌରବାନ୍ବିତ କରିଥିବା ଡବ୍ଲୁଡବ୍ଲୁଇ ରେସ୍‌ଲର୍‌ ରିଙ୍କୁ ସିଂହ କିନ୍ତୁ, ଖୁବ୍‌ ଈଶ୍ବର ବିଶ୍ବାସୀ। ‌ମଥାରେ ତ୍ରିପୁଣ୍ଡ ଏବଂ ଭାରତୀୟ ବେଶପୋଷାକ ସାଜି ବାହୁରେ ରୁଦ୍ରାକ୍ଷମାଳା ବାନ୍ଧି ସେ ରିଙ୍ଗ୍‌ରେ ପ୍ରବେଶ କରନ୍ତି। ଗତ ଡିସେମ୍ବରରେ ମଥୁରାସ୍ଥିତ ବାଙ୍କେବିହାରୀ ମନ୍ଦିର ଆସିଥିବା ବେଳେ ସାମ୍ବାଦିକମାନଙ୍କୁ ସେ କହିଥିଲେ ଯେ କୁସ୍ତିଛାଡ଼ି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକମାର୍ଗୀ ହେବାକୁ ସେ ମଥୁରା-ବୃନ୍ଦାବନରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶରଣାପନ୍ନ ‌େହାଇଛନ୍ତି। ପ୍ରେମାନନ୍ଦଜୀ ମହାରାଜଙ୍କ ପ୍ରବଚନ ଶୁଣି ତାଙ୍କ ମନ ସମ୍ପୂର୍ଣ୍ଣ ବଦଳିଯାଇଛି। ରିଙ୍କୁ ଭଗବତ୍‌ ପ୍ରାପ୍ତି ମାର୍ଗରେ ଯିବା କଥା କହିବାରୁ ପ୍ରେମାନନ୍ଦଜୀ ମହାରାଜ କହିଥିଲେ, ‘‘ଆପଣ ଭଗବତ୍‌ ପ୍ରାପ୍ତି ନିମନ୍ତେ ଅଗ୍ରସର ହୁଅନ୍ତୁ। ଏଥିରେ ମୁଁ ଆପଣଙ୍କୁ ପୂରା ସହାୟତା ଯୋଗାଇବି। ଏହା ହିଁ ଜୀବନର ସାରମର୍ମ। ଯଦି ଆପଣଙ୍କର ମନ ହେଉଛି, ଏବେ ସଂସାର କ୍ରୀଡ଼ା ଶେଷ କରି ଆନନ୍ଦରେ ଭଜନ କରନ୍ତୁ ଆଉ ଭଗବାନଙ୍କ ନିକଟରେ ଜୀବନ ସମର୍ପଣ କରନ୍ତୁ। ଯେମିତି ରିଙ୍ଗ୍‌ରେ ବଳ ପ୍ରଦର୍ଶନ କ‌େଲ, ଏବେ ସେମିତି ଭକ୍ତି କ୍ଷେତ୍ରରେ ବୀରତା ପ୍ରଦର୍ଶନ କରନ୍ତୁ।’’ ଏବେ ଜୀବନକୁ ନୂତନ ମାର୍ଗରେ ପରିଚାଳିତ କରିଥିବା ରିଙ୍କୁ କହନ୍ତି, ‘‘ପ୍ରେମାନନ୍ଦଜୀ ମହାରାଜଙ୍କ ଶରଣାପନ୍ନ ହୋଇ ମତେ ଆନ୍ତରିକ ଶାନ୍ତି ଓ ତୃପ୍ତି ପ୍ରାପ୍ତ ହୋଇଛି। ମୋର ହୃଦ୍‌ବୋଧ ହୋଇଛି ଯେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆତ୍ମ-ସାକ୍ଷାତ୍‌କାର ଓ ଈଶ୍ବର ସେବା।’’ ସମ୍ପ୍ରତି ରିଙ୍କୁ କେବଳ ସ୍ବଦେଶ ନୁହେଁ, ସମଗ୍ର ବିଶ୍ବରେ ଭାରତୀୟ ସଂସ୍କୃତି ଓ ଅଧ୍ୟାତ୍ମ ପ୍ରଚାର କରୁଛନ୍ତି।