 ମାନସିକ ସ୍ବାସ୍ଥ୍ୟ ଖରାପ ହେବାର କାରଣ କ’ଣ?
ଦିନକୁ ଦିନ ଆମର ମାନସିକ ସ୍ବାସ୍ଥ୍ୟ ବିଗିଡ଼ିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ପରିବର୍ତ୍ତିତ ଜୀବନଶୈଳୀ। ଏକୁଟିଆପଣ, ଚାପଗ୍ରସ୍ତ ଜୀବନ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଅଧିକ ଆଶା ଓ ‌ଧୈର୍ଯ୍ୟହୀନତା ଆଦି ମନୋବୃତ୍ତି ହିଁ ଏହାର ମୁଖ୍ୟ କାରଣ ପାଲଟିଯାଇଛି।
 ଜଣେ ମାନସିକ ଚାପଗ୍ରସ୍ତ ବୋଲି କେମିତି ଜାଣିବା। ଏହାର ଲକ୍ଷଣ କ’ଣ?
ଆତ୍ମହତ୍ୟା ଭଳି ଚିନ୍ତାଧାରା ମନରେ ଆସିବା ଓ ହତାଶା ପ୍ରକାଶ ପାଇବା (ମୋ ଜୀବନ ମୂଲ୍ୟହୀନ, ମୋ ଦ୍ବାରା କିଛି ହେବନି, ମୁଁ ହାରିଗଲି ଇତ୍ୟାଦି ଭାବନା) ହେଉଛି ମାନସିକ ଚାପର ଲକ୍ଷଣ। ଏପରି କ୍ଷେତ୍ରରେ ସାମାଜିକ ଯୋଗାଯୋଗରୁ ନିଜକୁ ଅଲଗା ରଖିବା, ମାଦକ ଦ୍ରବ୍ୟ ସେବନ କରିବା, ଅସ୍ଥିର ଲାଗିବା, ହତାଶ ଅନୁଭବ କରିବା, ଅସ୍ବାଭାବିକ ଭାବପ୍ରବଣତା ପ୍ରକାଶ କରିବା ଏବଂ ମାନସିକ ଚାପ ଯୋଗୁଁ ମୁଣ୍ଡ ବିନ୍ଧା, ଦେହ ହାତ ଘୋଳାବିନ୍ଧା ହେବା ଭଳି ବିଶେଷ ଲକ୍ଷଣ ଦେଖାଯାଇଥାଏ।
 କେଉଁ ଉପାୟରେ ଜଣଙ୍କୁ ଏଥିରୁ ମୁକ୍ତ କରାଯାଇପାରିବ?
ପ୍ରଥମେ ଏଥିପାଇଁ ରୋଗୀକୁ ବୁଝିବା ଦରକାର। ତା’ ସହ ଅଧିକ ସମୟ ବିତାଇବା ଏବଂ ଦେଖିବା ସେ କେଉଁ ଚିନ୍ତାରେ ଅଛି ଓ କ’ଣ କରିବାକୁ ଚାହୁଛି। ଅଲଗା କାର୍ଯ୍ୟ ଆଡ଼କୁ ତା’ର ମନ ବୁଲାଇବା ଓ ତା’କୁ ଯେତେ ପାରିବା ଖୁସି କରିବାକୁ ଚେଷ୍ଟା କରିବା ଦରକାର। ଯଦି ଏପରି ଉଦ୍ୟମ ଫଳପ୍ରଦ ନ ହୁଏ ତେବେ ଭଲ କାଉନସିଲର୍‌ଙ୍କ ସହ ଯୋଗାଯୋଗ କରିବା ଉଚିତ। 
 କେଉଁ ବୟସରେ ଯୁବପିଢ଼ି ଅଧିକ ମାନସିକ ରୋଗରେ ପୀଡ଼ିତ ହେଉଛନ୍ତି?
କହିବାକୁ ଗଲେ ୧୮ରୁ ୩୦ ବର୍ଷ ବୟସର ଯୁବପିଢ଼ି ମାନସିକ ରୋଗରେ ଅଧିକ ପୀଡ଼ିତ ହେଉଛନ୍ତି। ପାଠପଢ଼ାରେ ଚାପ, ବାପା ମା’ମାନେ ଅନ୍ୟ ପିଲାଙ୍କ ସହ ତୁଳନା କରିବା, ପ୍ରେମରେ ହୃଦୟ ଭାଙ୍ଗିବା, କୌଣସି ଲକ୍ଷ୍ୟ ହାସଲ ନ ହେବା ଆଦି କ୍ଷେତ୍ରରେ ପିଲାମାନେ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି। 
 ଘରୋଇ ପରିବେଶରେ ଆମେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ?
ଦିନକୁ ଦିନ ପିଲାଙ୍କ ଭିତରେ ପ୍ରତିଯୋଗିତା ମନୋଭାବ ବଢ଼ିବାରେ ଲାଗିଛି। ତେଣୁ ଏ ନେଇ ଅଭିଭାବକମାନେ ଯତ୍ନଶୀଳ ହେବା ଉଚିତ। ସେମାନଙ୍କୁ ଧୈର୍ଯ୍ୟ ଓ ସହନଶୀଳତା ସମ୍ପର୍କରେ ବୁଝାଇବା ଉଚିତ। ଯଦି ସମସ୍ୟା ଦୂର ନ ହୁଏ ତେବେ ମନସ୍ତତ୍ତ୍ବବିତ୍‌ଙ୍କ ପରାମର୍ଶ ନେବା ଉଚିତ।

Advertisment