ସକାଳୁ ସକାଳୁ ବିଭିନ୍ନ ଖବର ଉପରେ ନଜର ପକାଇବା ଲାଗି ଲୋକେ ମୋବାଇଲ୍‌ ଫୋନ୍‌ ଅନ୍‌ କରନ୍ତି ଏବଂ ୨୦ ମିନିଟ୍‌ ପରେ ଦେଖିବା ଉଦ୍ଦେଶ୍ୟ ନ ଥିଲେ ବି ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ ରିଲ୍‌ ଅଥବା ୟୁଟ୍ୟୁବ୍‌ ସର୍ଟ ଦେଖିବାରେ ମଜ୍ଜିଯାଆନ୍ତି। ଯଦି ଆପଣଙ୍କ କ୍ଷେତ୍ରରେ ଏହା ଘଟୁଛି, ତେବେ ଅନ୍ୟମାନଙ୍କ କ୍ଷେତ୍ରରେ ବି ଘଟୁଥିବ। ଆଜିର ଡିଜିଟାଲ୍‌ ଯୁଗରେ ‘ଡୁମ୍‌ସ୍କ୍ରୋଲିଙ୍ଗ୍‌’ ଇଣ୍ଟର୍‌ନେଟ୍‌ପ୍ରେମୀଙ୍କର ଅଭ୍ୟାସ ହୋଇଗଲାଣି।

Advertisment

‘ଡୁମ୍‌ସ୍କ୍ରୋଲିଙ୍ଗ୍‌’ କ’ଣ?
‘ଡୁମ୍‌ସ୍କ୍ରୋଲିଙ୍ଗ୍‌’ ଅର୍ଥ ହେଉଛି ନିଜ ଅଲକ୍ଷ୍ୟରେ ୱେବ୍‌ ଓ ସାମାଜିକ ଗଣମାଧ୍ୟମରେ ନକାରାତ୍ମକ କଥାବସ୍ତୁ ଦେଖି ମାତ୍ରାଧିକ ସମୟ ବିତାଇବା। ଅନ୍ୟ ଭାବରେ କହିଲେ, ଏହା ହେଉଛି କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନ ଥାଇ ବହୁ ସମୟ ଧରି ଡିଜିଟାଲ୍‌ କଣ୍ଟେଣ୍ଟ୍‌ ବିଶେଷକରି ଛୋଟ ଛୋଟ ଭିଡିଓ ଏବଂ ଅପ୍‌-ଡେଟ୍‌ ଦେଖିବାର ପ୍ରବଳ ଆଗ୍ରହ। କୌଣସି ରେସିପି ଅଥବା ଆଲେଖ୍ୟ ପଢ଼ିବା ଲାଗି ଯେଭଳି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଥାଏ, ‘ଡୁମ୍‌ସ୍କ୍ରୋଲିଙ୍ଗ୍‌’ ବ୍ରାଉଜିଙ୍ଗ୍‌ କ୍ଷେତ୍ରରେ ତାହା ନ ଥାଏ। ଭାରତରେ ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍‌ ଭଳି ଆପ୍‌ ଲୋକଙ୍କ ଧ୍ୟାନଆକର୍ଷଣ କରିବା ଭଳି କଣ୍ଟେଣ୍ଟ୍‌ ଛାଡ଼ି ଏଭଳି ବଦଭ୍ୟାସ ବଢ଼ାଉଛନ୍ତି। ଆଜିକାଲି ଏଭଳି କଣ୍ଟେଣ୍ଟ୍‌ରେ ତରୁଣମାନେ ଦୈନିକ ପ୍ରାୟ ୫ ଘଣ୍ଟା ଅତିବାହିତ କରୁଛନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫଳରେ ସେମାନଙ୍କର ଧ୍ୟାନନିବିଷ୍ଟ ସମୟସୀମା ୩ରୁ ୪ ସେକେଣ୍ଡ୍‌କୁ ସଙ୍କୁଚିତ ହୋଇଆସିଲାଣି। ଏହା ଖାଲି ଅଭ୍ୟାସଗତ ପରିବର୍ତ୍ତନ ନୁହେଁ, ସ୍ନାୟବିକ ପୁନର୍ବିନ୍ୟାସ ମଧ୍ୟ।

ମସ୍ତିଷ୍କ ଉପରେ କୁପ୍ରଭାବ
ଏଥିଯୋଗୁଁ ମୁଣ୍ଡ ଭିତରେ କ’ଣ ଘଟୁଛି? ସ୍ନାୟବିକବିଜ୍ଞାନ ଦର୍ଶାଏ ଯେ ସର୍ଟ ଭିଡିଓ ସବୁ ମସ୍ତିଷ୍କର ଗୁରୁତ୍ବପୂର୍ଣ୍ଣ ସ୍ନାୟବିକ ହର୍ମୋନ୍‌ ‘ଡୋପାମାଇନ୍‌’ କ୍ଷରଣ ଅତି ସକ୍ରିୟ କରିଦିଏ, ଯେମିତି ନିଶାଖୋର୍‌ମାନଙ୍କ କ୍ଷେତ୍ରରେ ଘଟେ। ପ୍ରତି ସ୍ବାଇପ୍‌ ଗୋଟାଏ ‘ଡୋପାଇମାଇନ୍‌ ହିଟ୍‌’ ଦେବା ସହିତ ପରବର୍ତ୍ତୀ ସ୍କ୍ରୋଲ୍‌ ଦେଖିବା ପାଇଁ ମସ୍ତିଷ୍କକୁ ବ୍ୟାକୁଳ ହେବାଲାଗି ଖୋରାକ ଦିଏ। କିନ୍ତୁ, କଥା ଏଇଠି ସରେନାହିଁ। ମାତ୍ରାଧିକ ସର୍ଟ ଭିଡିଓ ଦେଖିଲେ ନିଷ୍ପତ୍ତି ଗ୍ରହଣ, ଧ୍ୟାନନିବେଶ ଓ ପ୍ରବୃତ୍ତି ଆୟତ୍ତ କରାଉଥିବା ‘ପ୍ରି-ଫ୍ରଣ୍ଟାଲ୍‌ କୋର୍ଟେକ୍ସ୍‌’ ବା ‘ବ୍ୟକ୍ତିତ୍ବ କେନ୍ଦ୍ର’ ଅବଶ ହୋଇଆସେ। କାଳକ୍ରମେ ବହି ପଢ଼ିବା ଅଥବା ଅଧ୍ୟୟନ କରିବା ଭଳି କାର୍ଯ୍ୟକଳାପରୁ ତ୍ବରିତ ପରିତୃପ୍ତି ମିଳେନାହିଁ ଏବଂ ଏଥିପ୍ରତି ଆଗ୍ରହ କମିଯାଏ।
 
ମାନସିକ ଓ ଶାରୀରିକ ସମସ୍ୟା
‘ଡୁମ୍‌ସ୍କ୍ରୋଲିଙ୍ଗ୍‌’ ଖାଲି କ୍ଷତିକାରକ ଅଭ୍ୟାସ ନୁହେଁ; ଏହାର ସାଙ୍ଘାତିକ ମାନସିକ ଓ ଶାରୀରିକ କୁପରିଣାମ ବି ରହିଛି। ଏଥିଯୋଗୁଁ ନିମ୍ନୋକ୍ତ ମାନସିକ ଓ ଶାରୀରିକ କୁପ୍ରଭାବ ପଡ଼ିଥାଏ।
ନିଦ୍ରା ବ୍ୟାଘାତ: ନୀଳ ଆଲୋକ ଓ ଆବେଗଭରା ତଥା ଆଗ୍ରହ ଉଦ୍ରେକକାରୀ କଣ୍ଟେଣ୍ଟ୍‌ ‌‘ମେଲାଟନିନ୍‌’ ହର୍ମୋନ୍‌ ଉତ୍ପାଦନ ବିଳମ୍ବ କରି ମସ୍ତିଷ୍କକୁ ଜାଗ୍ରତ ରଖେ। ଫଳତଃ ଶୟନ ସମୟ ଅତିକ୍ରାନ୍ତ ହୋଇଗଲେ ବି ନିଦ୍ରା ଆସେନାହିଁ।
ଉତ୍କଣ୍ଠା ଓ ମିଜାଜ୍‌ ଅସ୍ଥିରତା: ନିରନ୍ତର ଅଦଳବଦଳ କରି ବିଭିନ୍ନ ପୋଷ୍ଟ୍‌ ଦେଖିବା ଦ୍ବାରା ଆବେଗିକ ଅବସନ୍ନତା ଆସେ ଏବଂ ମନ ଚଞ୍ଚଳ ଲାଗେ।
ବିସ୍ମରଣ ଓ ମାନସିକ ଅବସନ୍ନତା: ନିରବଚ୍ଛିନ୍ନ ସୂଚନା ବା ଡେଟା ଗ୍ରହଣ ଯୋଗୁଁ ସ୍ମରଣ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ବିସ୍ମରଣଶୀଳତା ଏବଂ ଅମନୋଯୋଗିତା ବୃଦ୍ଧିପାଏ।
ବେକ କାଠିନ୍ୟ ଓ ମୁଣ୍ଡବିନ୍ଧା: ଅବିରାମ ସ୍କ୍ରିନ୍‌ ଆଡ଼କୁ ଚାହିଁରହିବା ଯୋଗୁଁ ବେକ ଓ ଆଖି ଉପରେ ଚାପ ପଡୁଥିବାରୁ ଅଶ୍ବସ୍ତି ଓ ଯନ୍ତ୍ରଣା ବୋଧହୁଏ। ବେକ କଠିନ ହେବା ସହିତ ମୁଣ୍ଡବିନ୍ଧା ହୁଏ।
ଜୀବନଚର୍ଯ୍ୟା ବେମାରି: ଦୀର୍ଘସମୟ ବସିବା, ସ୍ବଳ୍ପ ନିଦ୍ରା, ସ୍କ୍ରିନ୍‌ ଦେଖିବା ବେଳେ ଏଣୁତେଣୁ ଖାଇବା ଯୋଗୁଁ ଓଜନ ବୃଦ୍ଧି, ହାଇପର୍‌ଟେନ୍‌ସନ୍‌ ଓ ହାଇ କୋଲେଷ୍ଟ୍ରଲ୍‌ ଭଳି ବେମାରି ହୁଏ।

ମୁକ୍ତି ପାଇବାର ଉପାୟ
ସରଳ ଭାବେ କହିଲେ, ଏ ଅଭ୍ୟାସ ଅଲକ୍ଷ୍ୟରେ ଶରୀର ଓ ମସ୍ତିଷ୍କ କାର୍ଯ୍ୟଧାରା ପରିବର୍ତ୍ତନ କରିଦେଇଥାଏ। ଏଥରୁ ବର୍ତ୍ତିବା ଲାଗି ନିମ୍ନୋକ୍ତ ଅଭ୍ୟାସ କରନ୍ତୁ।
ଡିଜିଟାଲ୍‌ ଡିଟକ୍ସ୍‌: ସ୍କ୍ରିନ୍‌ ଦେଖାରୁ ବିରତ ହୁଅନ୍ତୁ। ବିଭ୍ରାନ୍ତ ମସ୍ତିଷ୍କ ସଜାଡ଼ି ହୋଇଯିବ ଏବଂ ବାସ୍ତବ ଦୁନିଆର ଆନନ୍ଦ ସହ ଆପଣଙ୍କର ପୁନର୍ମିଳନ ଘଟିବ।
ମସ୍ତିଷ୍କ କସରତ: ପୁସ୍ତକ ଅଧ୍ୟୟନ, ପ୍ରହେଳିକା ସମାଧାନ ଓ ମେମୋରି ଗେମ୍‌ ଖେଳିଲେ ଆପଣଙ୍କ ଧ୍ୟାନନିବେଶ କ୍ଷମତା ପୁନଃ ସଂଘଟିତ ହୋଇପାରିବ।
ସଜାଗ ସ୍କ୍ରିନ୍‌ ଉପଯୋଗ: ଦୈନିକ ସୀମା ନିର୍ଦ୍ଧାରଣ କରି ଓ ନିର୍ଦ୍ଦିଷ୍ଟ ଆପ୍‌ ଉପଯୋଗ କରି ସାମାଜିକ ଗଣମାଧ୍ୟମ ଲାଗି ସମୟ ଉପଯୋଗ କରନ୍ତୁ।
ସୁନିର୍ବାଚିତ କଥାବସ୍ତୁ: ସେ ବିଜ୍ଞାନ ହେଉ, ଫିଟ୍‌ନେସ୍‌ ହେଉ ଅଥବା କଳା- ଆପଣଙ୍କ ଆଗ୍ରହକୁ ସୁହାଇବା ଭଳି କ୍ରିଏଟର୍‌ଙ୍କୁ ଫଲୋ କରନ୍ତୁ। ଯେମିତି ଆପଣଙ୍କ ଅନ୍‌ଲାଇନ୍‌ ସମୟ ଅକାରଣ ନ ହୁଏ।