କାର୍ତ୍ତିକ ମାସର ପବିତ୍ର ପୂର୍ଣ୍ଣିମା ତିଥିକୁ ହିନ୍ଦୁ, ଶିଖ, ଜୈନ ଆଦି ସଂପ୍ରଦାୟ ମହା ଆଡ଼ମ୍ବରରେ ପାଳନ କରିଥାନ୍ତି। ଏହା ଭାରତର ବିଭିନ୍ନ ପ୍ରାନ୍ତରେ ରାସପୂର୍ଣ୍ଣିମା, ତ୍ରିପୁରାରି ପୂର୍ଣ୍ଣିମା, ଦେବ ଦୀପାବଳି, ଗୁରୁନାନକ ଜୟନ୍ତୀ ଆଦି ଭାବରେ ପାଳନ କରାଯାଇଥାଏ। ସେ ମଧ୍ୟରୁ ଏହାକୁ ତ୍ରିପୁରାରି ପୂର୍ଣ୍ଣିମା କୁହାଯିବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଏକଦା ତାରକାସୁର ନାମକ ଏକ ରାକ୍ଷସ ଥିଲା। ତାହାକୁ ବଧ କରିବା ନିମିତ୍ତ କାର୍ତ୍ତିକେୟଙ୍କର ଜନ୍ମ ହୋଇଥିଲା। ଏହି ରାକ୍ଷସର ତିନୋଟି ପୁତ୍ର ଥିଲେ- ତାରକାକ୍ଷ, କମଳାକ୍ଷ ଓ ବିଦ୍ୟୁନ୍ମାଳି। ଏମାନେ କଠୋର ତପସ୍ୟା କରି ବ୍ରହ୍ମାଙ୍କଠାରୁ ବରଲାଭ କରିଥିଲେ, ଯେ ସେମାନେ ତିନିଜଣ ତିନୋଟି ସ୍ୱତନ୍ତ୍ର ମନଚାଳିତ ପୁରରେ ବାସ କରିବେ। ସହସ୍ର ବର୍ଷ ପରେ ସେମାନେ ଏକତ୍ର ହେବେ। ସେହି ସମୟରେ କେହି ଯଦି ଗୋଟିଏ ବାଣରେ ତାଙ୍କର ତ୍ରିପୁର ସହିତ ତାଙ୍କୁ ବିନାଶ କରିବ, ତେବେ ଯାଇ ସେମାନଙ୍କର ମୃତ୍ୟୁ ହେବ। ଏହା ଅସମ୍ଭବ ଜାଣି ସେମାନେ ଦେବତାମାନଙ୍କ ଉପରେ ଅତ୍ୟାଚାର କରିବାକୁ ଆରମ୍ଭ କଲେ। ଏଥିରେ ଅତିଷ୍ଠ ହୋଇ ଦେବତାମାନେ ଶିବଙ୍କର ଶରଣାପନ୍ନ ହେଲେ। ଶିବ ତ୍ରିପୁର ଦାହ କରିବା ନିମିତ୍ତ ସ୍ୱୀକୃତି ଦେଲେ; କିନ୍ତୁ ସେଥିପାଇଁ ତାଙ୍କୁ ଏକ ଦିବ୍ୟ ରଥ ଓ ସମସ୍ତ ଦେବତାଙ୍କର ତେଜ ସମନ୍ୱିତ ଧନୁର୍ବାଣର ଆବଶ୍ୟକତା ଅଛି ବୋଲି ଜଣାଇଲେ।
ପରେ ଦେବଶିଳ୍ପୀ ବିଶ୍ୱକର୍ମା ସୁନ୍ଦର, ଭୂଧର, ନଗର, ବନ, ଦ୍ୱୀପ ଓ ନଦୀ ପରିଶୋଭିତ ପୃଥିବୀର ବିଭିନ୍ନ ଅଂଶ ତଥା ଦେବତା ଏବଂ ନାଗ, ଗନ୍ଧର୍ବ ଓ ମୁନିଋଷିମାନଙ୍କର ତେଜପୁଞ୍ଜକୁ ଏକତ୍ର କରି ଏକ ଦିବ୍ୟ ରଥ; ତଥା ଅଗ୍ନି, ବିଷ୍ଣୁ ଓ ଅନନ୍ତଙ୍କୁ ନେଇ ବିଶେଷ ଧନୁର୍ବାଣ ନିର୍ମାଣ କଲେ। ମନ୍ଦରାଚଳ ଏହି ରଥର ମେରୁ, ଗଙ୍ଗା ଜଂଘା, ଦିଶା ବିଦିଶା ଆବରଣ, ନକ୍ଷତ୍ରସମୂହ ଈଶଦଣ୍ଡ, ସତ୍ୟଯୁଗ ଯୁଆଳି, ହିମାଚଳ, ଉଦୟାଚଳ, ଅସ୍ତାଚଳ ଚକର ପହି, ଇନ୍ଦ୍ର, ବରୁଣ, ଯମ, କୁବେର ଚାରି ଲୋକପାଳ ରଥର ଘୋଡ଼ା ହେଲେ। ଗ୍ରହ ଓ ନକ୍ଷତ୍ରମାନେ ଏହି ରଥର ଆବରଣ ହେଲେ। ସତ୍ୟ, ଧର୍ମ, ତପ ଓ ଅର୍ଥ ଏହି ଘୋଡ଼ାମାନଙ୍କର ଲଗାମ ହେଲେ। ଚନ୍ଦ୍ର ଓ ସୂର୍ଯ୍ୟ ଏହି ରଥର ଚକ ହେଲେ। କାନ୍ତିମାନ୍ କନକମୟ ମେରୁପର୍ବତ ଏହି ରଥର ଧ୍ୱଜଦଣ୍ଡ ହେବା ସହିତ ବିଜୁଳି ବିଭୂଷିତ ବାଦଲ ରଥର ପତାକା ହେଲେ। ରଥଧ୍ୱଜରେ ଭଗବାନ ଶଙ୍କର ନିଜର ବୃଷଭ ନନ୍ଦୀକୁ ସ୍ଥାପିତ କରିଦେଲେ। ନାଗମାନେ ରଥକୁ ଆକର୍ଷିତ କରିବାରେ ନିୟୋଜିତ ହେଲେ। ଦେବତାମାନଙ୍କ ଅନୁରୋଧରେ ବ୍ରହ୍ମା ଏହି ରଥର ସାରଥି ହେଲେ। ପ୍ରମଥଗଣଙ୍କ ସହିତ ସ୍ୱୟଂ ଦେବସେନାପତି କାର୍ତ୍ତିକେୟ, ଯମ ଓ ଇନ୍ଦ୍ର ଏହି ରଥର ରକ୍ଷକ ହେଲେ।
ଛଅଋତୁ ଯୁକ୍ତ ସମ୍ବତ୍ସର ମହାଦେବଙ୍କର ଦିବ୍ୟଧନୁ ହେଲା ବେଳେ, କାଳରାତ୍ରି ଏହାର ପ୍ରତ୍ୟଞ୍ଚ, ତଥା ବିଷ୍ଣୁ, ଅଗ୍ନି ଓ ଚନ୍ଦ୍ରମା ବାଣ ହୋଇ ରଥର ପଦ୍ମପୀଠରେ ଶେଷନାଗଙ୍କ ସଂରକ୍ଷଣରେ ରହିଲେ। ଏହିପରି ଯାତ୍ରା କରି, ମହାଦେବ ଧନୁର୍ବାଣ ଦ୍ୱାରା ତ୍ରିପୁରାସୁରଙ୍କ ସହିତ ତାଙ୍କର ତିନି ପୁରକୁ ଧ୍ୱଂସକଲେ। ଏହି ତ୍ରିପୁର ଦହନ ଦେଖି, ଦେବତାମାନେ ଆନନ୍ଦରେ ସହସ୍ର ଦୀପମାଳାରେ ଆକାଶକୁ ସୁସଜ୍ଜିତ କରି, ଶିବଙ୍କର ବନ୍ଦନା କରିଥିଲେ। ସେହି ତିଥି ଥିଲା କାର୍ତ୍ତିକ ପୂର୍ଣ୍ଣିମା। ତାହା ଦେବ ଦୀପାବଳି ଓ ତ୍ରିପୁରାରି ପୂର୍ଣ୍ଣିମା ରୂପେ ଖ୍ୟାତ ହେଲା।
-ଡକ୍ଟର ତୁଳସୀ ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/s5f4h6f546h54sf6h54sfh65.jpg)