ଶ୍ରାବଣ ପୂର୍ଣ୍ଣିମା ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ଜନ୍ମଦିନ। ତାହାର ସପ୍ତାହକ ପରେ, ଭାଦ୍ରବ କୃଷ୍ଣ ଅଷ୍ଟମୀରେ ଶ୍ରୀକୃଷ୍ଣଙ୍କର ଜନ୍ମ। ଏ ଦୁହେଁ ଶ୍ରୀମନ୍ଦିରର ରତ୍ନବେଦୀରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ରୂପେ ପୂଜିତ ହୁଅନ୍ତି। ଦ୍ୱାପର ଯୁଗର ଦୁଇଭାଇ ବଳରାମ ଓ କୃଷ୍ଣ ରୂପେ ମଧ୍ୟ କଥିତ ହୋଇଥାନ୍ତି। ବଂଶ ପରମ୍ପରା ଅନୁସାରେ, କୃଷ୍ଣ ଓ ବଳରାମ ଦୁହେଁ ବୃଷ୍ଣି ବଂଶଜ। ଏ ବଂଶର ଅନ୍ୟନାମ ଯଦୁବଂଶ। ଏଣୁ ଏ ଦୁହେଁ ଯାଦବ। ପୁଣି ପିତା ବସୁଦେବଙ୍କ ନାମରେ ସେମାନେ ବାସୁଦେବ ରୂପେ ମଧ୍ୟ କଥିତ ହୁଅନ୍ତି। ଏହି ବଂଶ ପରିଚୟ ଅତ୍ୟନ୍ତ ରୋଚକ।

Advertisment

ବଂଶ ସୂତ୍ର ଅନୁସାରେ, ସେମାନେ ମୂଳତଃ ଥିଲେ ଚନ୍ଦ୍ରବଂଶୀ। ଚନ୍ଦ୍ରବଂଶୀ ରାଜା ଯଯାତିଙ୍କର ଥିଲେ ଦେବଯାନୀ ଓ ଶର୍ମିଷ୍ଠା ନାମରେ ଦୁଇରାଣୀ। ଦେବଯାନୀ ଯଯାତିଙ୍କର ପ୍ରଥମାରାଣୀ ତଥା ଅସୁରଗୁରୁ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା। ଶର୍ମିଷ୍ଠା ଦ୍ୱିତୀୟା ରାଣୀ ତଥା ଅସୁରରାଜ ବୃଷପର୍ବାଙ୍କ କନ୍ୟା। ଦେବଯାନୀଙ୍କ ଆଡ଼ୁ ଯଦୁବଂଶ ଏବଂ ଶର୍ମିଷ୍ଠାଙ୍କ ଆଡ଼ୁ ପୁରୁବଂଶର ସୃଷ୍ଟି ହୋଇଥିଲା। ଯଦୁବଂଶରେ ବୃଷ୍ଣି, ଅନ୍ଧକ, ସାତ୍ୱତ ଓ ଭୋଜ ଆଦି ବଂଶର ସୃଷ୍ଟି ହୋଇଥିଲା। ବୃଷ୍ଣିବଂଶରେ ଥିଲେ ଦେବମୀଢ଼ ନାମରେ ଜଣେ ରାଜା। ତାଙ୍କର କ୍ଷତ୍ରିୟା ରାଣୀଙ୍କ ପୁତ୍ର ଶୂର ଏବଂ ବୈଶ୍ୟା ରାଣୀଙ୍କ ପୁତ୍ର ପର୍ଜନ୍ୟ। ଶୂରଙ୍କର ଥିଲେ ଦୁଇ କନ୍ୟା ଏବଂ ବସୁଦେବ ନାମରେ ଏକ ପୁତ୍ର। ବସୁଦେବ ଉଗ୍ରସେନଙ୍କ ଭାଇ ଦେବକଙ୍କର ଆଠ କନ୍ୟାଙ୍କୁ ବିବାହ କରିଥିଲେ। ସେମାନଙ୍କ ମଧ୍ୟରେ ବଡ଼ ଥିଲେ ରୋହିଣୀ ଏବଂ ସାନ ଥିଲେ ଦେବକୀ। ବଳରାମ ରୋହିଣୀଙ୍କ ଗର୍ଭରୁ ଏବଂ କୃଷ୍ଣ ଦେବକୀଙ୍କ ଗର୍ଭରୁ ଜାତ ହୋଇଥିଲେ।

ବସୁଦେବ କୃଷ୍ଣଙ୍କୁ ନେଇ ନନ୍ଦଙ୍କ ଘରେ ରଖି ଶିଶୁକନ୍ୟାଙ୍କୁ ନେଇ ଆସିବେ। ନନ୍ଦ ଓ ଯଶୋଦାଙ୍କ ଘରେ ରହି, ପରବର୍ତ୍ତୀ କାଳରେ ଦାସବତ୍ସଳ ଦାମୋଦର ଏହି ସଂସାରକୁ ଦୁଷ୍ଟ କଂସ ଓ ଅନ୍ୟ ଅସୁରମାନଙ୍କର କବଳରୁ ଉଦ୍ଧାର କରିବେ।
ସଂକ୍ଷେପରେ ଏହି ହେଉଛି- କୃଷ୍ଣ ଓ ବଳରାମଙ୍କ କଥା।

‘ଶ୍ରୀମଦ୍ ଭାଗବତ’ର ଦଶମସ୍କନ୍ଧ (ଗୋପଲୀଳା)ରେ କୃଷ୍ଣ ଓ ବଳରାମଙ୍କ ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଛି। ରାଜା ପରୀକ୍ଷିତଙ୍କ ପ୍ରଶ୍ନରେ ଶୁକମୁନି ତାଙ୍କୁ ସେ କଥା କହିଛନ୍ତି। ପରୀକ୍ଷିତ ପଚାରିଛନ୍ତି- ହେ ମୁନି! ମୋତେ ଅମୃତ ରସମୟ ଗୀତ ଭାଗବତର ସିଦ୍ଧାନ୍ତ କହନ୍ତୁ। ଯଦୁବଂଶର ଧାର୍ମିକ କୁଳରେ ନିଜ ଅଂଶରେ ଭଗବାନ କିପରି ଦେବକୀଙ୍କ ଗର୍ଭରେ ନୀଳ ଓ ଧବଳ ଦୁଇ ରୂପ ହୋଇ ଜାତ ହେଲେ, ତାହା ମୁଁ ଶୁଣିବା ନିମନ୍ତେ ଉତ୍ସୁକ। ଦେବକୀଙ୍କ ଗର୍ଭରୁ ସଂଭୂତ ହେଲେ ମଧ୍ୟ ବଳରାମ କାହିଁକି ରୋହିଣୀସୁତ? ପୁଣି ଏ ଦୁହେଁ ଗୋଟିଏ ଦେହ ହୋଇ ମଧ୍ୟ ଦୁଇ ଜଣଙ୍କ ଉଦରରୁ କିପରି ଜନ୍ମ ହେଲେ?

ଏହାର ଉତ୍ତରରେ, ସ୍ୱୟଂ ନାରାୟଣ ବ୍ର୍ରହ୍ମାଙ୍କୁ ଯାହା କହିଥିଲେ, ଏବଂ ବ୍ରହ୍ମା ଦେବତାମାନଙ୍କୁ ଯାହା କହିଥିଲେ, ଶୁକମୁନି ତାହା ରାଜା ପରୀକ୍ଷିତଙ୍କୁ କହିଛନ୍ତି। ଭାଗବତରେ ‘ବ୍ରହ୍ମା ଉବାଚ’ ଭାବରେ ତାହା ବର୍ଣ୍ଣିତ ହୋଇଛି। ବ୍ରହ୍ମା କହିଲେ- ହେ ଦେବଗଣ! ଶୁଣ! ନାରାୟଣ କହିଛନ୍ତି- ସେ ଯାଦବ ବସୁଦେବଙ୍କ ଘରେ, ଦେବକୀଙ୍କ ଗର୍ଭରେ ଜାତ ହେବେ। ତାଙ୍କ କଳାରେ ପ୍ରଥମେ ଅନନ୍ତ ଦେବକୀଙ୍କ ଗର୍ଭରେ ରହିବେ। ମାୟା ଯୋଗବଳରେ ସେହି ଗର୍ଭ ଦେବକୀଙ୍କଠାରୁ ହରଣ ହୋଇ ରୋହିଣୀଙ୍କ ଗର୍ଭରେ ସ୍ଥାପିତ ହେବ। ନିଜେ ଜଗନ୍ନାଥ (ନାରାୟଣ) ଦେବକୀଙ୍କ ଗର୍ଭରୁ ଜାତ ହେବେ। ସେହି ସମୟରେ ଯୋଗବଳରେ ଦୁର୍ଗା ଯଶୋଦାଙ୍କ କୋଳରେ ଜାତ ହୋଇଥିବେ। ବସୁଦେବ କୃଷ୍ଣଙ୍କୁ ନେଇ ନନ୍ଦଙ୍କ ଘରେ ରଖି ସେହି ଶିଶୁକନ୍ୟାଙ୍କୁ ନେଇ ଆସିବେ। ନନ୍ଦ ଓ ଯଶୋଦାଙ୍କ ଘରେ ରହି, ପରବର୍ତ୍ତୀ କାଳରେ ଦାସବତ୍ସଳ ଦାମୋଦର ଏହି ସଂସାରକୁ ଦୁଷ୍ଟ କଂସ ଓ ଅନ୍ୟ ଅସୁରମାନଙ୍କର କବଳରୁ ଉଦ୍ଧାର କରିବେ।

ସଂକ୍ଷେପରେ ଏହି ହେଉଛି- କୃଷ୍ଣ ଓ ବଳରାମଙ୍କ କଥା। ତେବେ ଯୋଗମାୟା ଦୁର୍ଗା କାହିଁକି ନନ୍ଦ ଓ ଯଶୋଦାଙ୍କ କନ୍ୟାରୂପେ ଜନ୍ମ ହେଲେ ତାହାର ମଧ୍ୟ ଆଉ ଏକ ରୋଚକ ବୃତ୍ତାନ୍ତ ଅଛି। ତାହା ହେଉଛି- ପୂର୍ବ ଜନ୍ମରେ ସେ ଦୁହେଁ ଥିଲେ ଦକ୍ଷ ପ୍ରଜାପତି ଓ ତାଙ୍କ ପତ୍ନୀ ପ୍ରସୂତି। ତାଙ୍କର କନ୍ୟା ଥିଲେ ସତୀ। ପତିନିନ୍ଦା ସହି ନ ପାରି ସେ ଦକ୍ଷଙ୍କ ଯଜ୍ଞରେ ଆତ୍ମାହୁତି ଦେଇଥିଲେ। ତେବେ, ପୁନର୍ବାର ତାଙ୍କୁ କନ୍ୟା ରୂପେ ପାଇବା ପାଇଁ ତପସ୍ୟା କରିଥିଲେ ଦକ୍ଷ ଓ ପ୍ରସୂତି। ତାଙ୍କର ସେହି ତପସ୍ୟାରେ ପ୍ରୀତ ହୋଇ ଦେବୀ ତାଙ୍କୁ କହିଥିଲେ- ମୁଁ ଦ୍ୱାପର ଯୁଗର ଶେଷଭାଗରେ ପୃଥିବୀରେ ଆବିର୍ଭୂତ ହେବି। କିନ୍ତୁ କନ୍ୟା ରୂପେ ତୁମର କୋଳରେ ବା ତୁମର ଗୃହରେ ରହିପାରିବି ନାହିଁ। ତେଣୁ ସେ ତାଙ୍କର କନ୍ୟା ରୂପେ ଜାତ ହୋଇଥିଲେ ମଧ୍ୟ ତାଙ୍କର କୋଳରେ ବା ଗୃହରେ ରହି ନଥିଲେ। ବିଜୁଳିକନ୍ୟା ରୂପେ ଅନ୍ତର୍ଦ୍ଧାନ ହୋଇଯାଇ ସେ କଂସ ମୃତ୍ୟୁର ଦୈବୀବାଣୀ ଶୁଣାଇଥିଲେ।
-ଅସିତ ମହାନ୍ତି