ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କର ଗୋଟିଏ ନାମ ‘ଦାମୋଦର’। ଯେପରି ତାଙ୍କର ଅନ୍ୟାନ୍ୟ ମାସର ନାମ, ସେହିପରି ଏହା କାର୍ତ୍ତିକ ମାସର ନାମ। ‘ଗୀତା’ରେ ମାର୍ଗଶିର ମାସର ଶ୍ରେଷ୍ଠତା ସୂଚାଇ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- ମୁଁ ମାସମାନଙ୍କ ମଧ୍ୟରେ ମାର୍ଗଶିର। ତାଙ୍କର ମାର୍ଗଶିର ମାସର ନାମ ‘କେଶବ’। ସେହିପରି, ସେ ପୌଷରେ ‘ନାରାୟଣ’, ମାଘରେ ‘ମାଧବ’, ଫାଲଗୁନରେ ‘ଗୋବିନ୍ଦ’, ଚୈତ୍ରରେ ‘ବିଷ୍ଣୁ’, ବୈଶାଖରେ ‘ମଧୁସୂଦନ’, ଜ୍ୟେଷ୍ଠରେ ‘ତ୍ରିବିକ୍ରମ’, ଆଷାଢ଼ରେ ‘ବାମନ’, ଶ୍ରାବଣରେ ‘ଶ୍ରୀଧର’, ଭାଦ୍ରବରେ ‘ହୃଷୀକେଶ’, ଏବଂ ଆଶ୍ୱିନରେ ‘ପଦ୍ମନାଭ’। ସେହିପରି ମଧ୍ୟ, ସେ କାର୍ତ୍ତିକରେ ‘ଦାମୋଦର’।
କାର୍ତ୍ତିକ ମାସର ଏହି ‘ଦାମୋଦର’ ନାମ ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ସହ ଜଡ଼ିତ। ‘ଦାମ’ର ଅର୍ଥ ରଜ୍ଜୁ ବା ଦଉଡ଼ି। ‘ଦାମ’ ସହ ‘ଉଦର’ ମିଶି ବହୁବ୍ରୀହି ସମାସରେ ଗଠିତ ହୋଇଛି ‘ଦାମୋଦର’ ଶବ୍ଦ। ‘ଉଦର’ ଅର୍ଥ ପେଟ। ଏଣୁ ‘ଦାମ’ ବା ରଜ୍ଜୁ ଦ୍ୱାରା ବନ୍ଧାଯାଇଥିଲା ଯାହାଙ୍କର ‘ଉଦର’, ସେ ‘ଦାମୋଦର’।
ପୌରାଣିକ ଉପାଖ୍ୟାନ ଅନୁସାରେ, ଶ୍ରୀକୃଷ୍ଣ ପିଲାଦିନେ ଖୁବ୍ ଖୁଜୁବୁଜିଆ ଥିଲେ। ତେଣୁ ମାଆ ଯଶୋଦା ତାଙ୍କ ପେଟ ତଳେ ବା ଅଣ୍ଟାରେ ଏକ ଦଉଡ଼ି ବାନ୍ଧି, ତାଙ୍କୁ ଖଟେଇ ଦେଇ, ଗୃହକର୍ମ କରୁଥିଲେ। ତେଣୁ ତାଙ୍କର ନାଆଁ ହେଲା ଦାମୋଦର।
‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ରେ ଏହାର ଅନ୍ୟ ଅର୍ଥ ବି ଅଛି। ତାହା ଅନୁସାରେ, ଦାମ ବା ରଜ୍ଜୁ ଉଦରରେ ଯାହାର, ସେ ଦାମୋଦର। ଏ ସଂପର୍କରେ ଉଲ୍ଲେଖ ଅଛି- ମାଆ ଯଶୋଦା ଶିଶୁ କୃଷ୍ଣଙ୍କୁ ଦଉଡ଼ିରେ ବାନ୍ଧିବାରୁ, ସେ ସେହି ଦଉଡ଼ିକୁ ଉଦରସାତ୍ କରିଥିଲେ ବା ଗିଳି ଦେଇଥିଲେ। ତେଣୁ ତାଙ୍କର ନାମ ହେଲା ଦାମୋଦର। ‘ଭାଷାକୋଷ’ରେ ଥିବା ଅନ୍ୟ ଅର୍ଥ ଅନୁସାରେ- ଦାମ ଅର୍ଥାତ୍ ଇନ୍ଦ୍ରିୟ ଦମନ ବିଷୟରେ ଉଦାର ବୋଲି ଭଗବାନ ବିଷ୍ଣୁଙ୍କର ନାମ ଦାମୋଦର। ଏ ନାମର ଆଉ ଗୋଟିଏ ଅର୍ଥ ମଧ୍ୟ ଅଛି। ‘ଭାଷାକୋଷ’ ଅନୁସାରେ, ଦାମ ବା ବିଶ୍ୱ ଉଦରରେ ଯାହାର- ସେ ଦାମୋଦର। ଏହି ଦାମୋଦର ନାମରେ ଭଗବାନ ବିଷ୍ଣୁ କାର୍ତ୍ତିକ ମାସର ଅଧିପତି ହୋଇଥାନ୍ତି।
ତେଣୁ ରାଧାଙ୍କ ସହିତ ତାଙ୍କୁ ମିଶାଇ
ଏହି ମାସରେ ରାଈ-ଦାମୋଦର ବା ରାଧା-କୃଷ୍ଣଙ୍କର ପୂଜା କରାଯାଇଥାଏ।
ଶ୍ରୀମନ୍ଦିରରେ ଏହି ମାସରେ ଶ୍ରୀଜଗନ୍ନାଥଙ୍କର
ରାଈ-ଦାମୋଦର ବେଶ
ହୋଇଥାଏ।
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]