ନାରଦ ହେଉଛନ୍ତି ବ୍ରହ୍ମାଙ୍କର ମାନସପୁତ୍ର। ବ୍ରହ୍ମା ପ୍ରଥମେ ମରୀଚି, ଅତ୍ରି ଆଦି ଋଷିଙ୍କୁ, ତା’ପରେ ସନକ, ସନାତନ ଓ ସନତକୁମାରଙ୍କୁ ଏବଂ ନାରଦଙ୍କୁ ସୃଷ୍ଟି କରିଥିଲେ। ‘ନାର’ ଅର୍ଥ ଜଳ। ‘ହରିବଂଶ’ ପୁରାଣ ଅନୁସାରେ, ସର୍ବଦା ତର୍ପଣ ପାଇଁ ଜଳଦାନ କରିବା ଫଳରେ ସେ ନାରଦ ରୂପେ ଖ୍ୟାତ ହୋଇଥିଲେ। ପୌରାଣିକ ସୂତ୍ର ଅନୁସାରେ, ଜ୍ୟେଷ୍ଠ କୃଷ୍ଣ ପ୍ରତିପଦ ତାଙ୍କର ଆବିର୍ଭାବ ଦିବସ।
ଦେବର୍ଷିମାନଙ୍କ ମଧ୍ୟରେ ନାରଦ ଶ୍ରେଷ୍ଠ। ସେଥିପାଇଁ ‘ଶ୍ରୀମଦ୍‌ଭଗବଦ୍‌ଗୀତା’ରେ ସ୍ୱୟଂ ଶ୍ରୀକୃଷ୍ଣ କହିଛନ୍ତି- “ଦେବର୍ଷିଗଣେ ମୁଁ ନାରଦ।”
‘ଗୀତା’ର ଦଶମ ଅଧ୍ୟାୟ ହେଉଛି ‘ବିଭୂତି ଯୋଗ’। ଏହି ଅଧ୍ୟାୟରେ ନାରଦଙ୍କ ସଂପର୍କରେ ଉଲ୍ଲେଖ ଅଛି। ଭଗବାନ ଶ୍ରୀକୃଷ୍ଣଙ୍କର ‘ପରମବଚଃ’ ବା ଶ୍ରେଷ୍ଠକଥା ଜାଣିବା ପାଇଁ ଅର୍ଜୁନ ଶ୍ରଦ୍ଧାଶୀଳ ହେବା ଫଳରେ, ଶ୍ରୀକୃଷ୍ଣ ତାଙ୍କୁ କହିଛନ୍ତି- “ହେ ଅର୍ଜୁନ! ମୁଁ ଦେବଗଣ ଓ ମହର୍ଷିଗଣଙ୍କର ଆଦିମୂଳ ବା ସୃଷ୍ଟିର କାରଣ। ଏଣୁ ସେମାନେ ମୋର ଉତ୍ପତ୍ତି ବା ଐଶୀଶକ୍ତି ସଂପର୍କରେ ଜାଣନ୍ତି ନାହିଁ।” ଏହା କହିବା ସହିତ ସେ ଅର୍ଜୁନଙ୍କୁ ନିଜର ବିଭୂତି ବା ସ୍ୱରୂପ କହିଛନ୍ତି।

Advertisment

ଦେବର୍ଷିମାନଙ୍କ ମଧ୍ୟରେ ନାରଦ ଶ୍ରେଷ୍ଠ। ସେଥିପାଇଁ ‘ଶ୍ରୀମଦ୍‌ଭଗବଦ୍‌ଗୀତା’ରେ ସ୍ୱୟଂ ଶ୍ରୀକୃଷ୍ଣ କହିଛନ୍ତି- “ଦେବର୍ଷିଗଣେ ମୁଁ ନାରଦ।”

‘ଗୀତା’ର ଏହି ଅଧ୍ୟାୟରେ, ନାରଦଙ୍କର ଉଲ୍ଲେଖ ପ୍ରଥମେ ଅର୍ଜୁନଙ୍କ ପ୍ରଶ୍ନରେ ଆସିଛି। ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଛନ୍ତି- “ଆପଣ ପରଂବ୍ରହ୍ମ, ପରଂଧାମ; ଆପଣ ପରମ ଆଶ୍ରୟ, ପରମ ପବିତ୍ର। କାରଣ, ଭୃଗୁ ଆଦି ଋଷିଗଣ, ଅସିତ, ଦେବଳ ଓ ବ୍ୟାସ ଆଦି ଋଷି ମହର୍ଷି, ଦେବର୍ଷି ନାରଦ ଏବଂ ଆପଣ ନିତ୍ୟ, ଶାଶ୍ୱତ, ଦିବ୍ୟ ପ୍ରକାଶମୟ, ସ୍ୱପ୍ରକାଶ। ଆପଣଙ୍କୁ କେବଳ ଆପଣ ହିଁ ଜାଣନ୍ତି। ଏଣୁ ଆପଣ ହିଁ ଆପଣଙ୍କର ବିଭୂତି ବା ସ୍ୱରୂପ କହନ୍ତୁ।
ଅର୍ଜୁନଙ୍କର ଏହି ଅନୁରୋଧରେ, ଭଗବାନ ଶ୍ରୀକୃଷ୍ଣ ନିଜର ଯେଉଁ ବିଭୂତି ବା ସ୍ୱରୂପ କହିଛନ୍ତି, ସେହି ପ୍ରସଙ୍ଗରେ ଆସିଛନ୍ତି- ଦେବର୍ଷି ନାରଦ। ୨୬ତମ ଶ୍ଳୋକରେ ଭଗବାନ କହିଛନ୍ତି- ହେ ଅର୍ଜୁନ, ମୁଁ “ଦେବର୍ଷୀଣାଞ୍ଚ ନାରଦଃ”; ଅର୍ଥାତ୍ “ମୁଁ ଦେବର୍ଷି ମାନଙ୍କ ମଧ୍ୟରେ ନାରଦ!” ଏଥିରୁ ଦେବର୍ଷି ଭାବରେ ନାରଦ ଯେ ଶ୍ରେଷ୍ଠ, ଏହା ସୂଚିତ ହୁଏ।