ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମ ଜ୍ୟେଷ୍ଠ ପୂର୍ଣ୍ଣିମାରେ। ସେଥିପାଇଁ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ହେଉଥିବା ତାଙ୍କର ସ୍ନାନଯାତ୍ରାକୁ ‘ଜ୍ୟେଷ୍ଠାଯାତ୍ରା’ କୁହାଯାଏ। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ଜନ୍ମ ମଧ୍ୟ ଶ୍ରାବଣ ପୂର୍ଣ୍ଣିମାରେ। ସେଦିନ ତାଙ୍କର ଜନ୍ମୋତ୍ସବ ଶ୍ରୀକ୍ଷେତ୍ରରେ ପାଳିତ ହୁଏ।
କେବଳ ଶ୍ରୀଜଗନ୍ନାଥ ବା ଶ୍ରୀବଳଭଦ୍ର ନୁହନ୍ତି; ବ୍ୟାସଦେବଙ୍କଠାରୁ ଆରମ୍ଭ କରି ବହୁ ଋଷି, ମହର୍ଷି ଓ ସାଧୁସନ୍ଥଙ୍କର ଜନ୍ମ ବା ପ୍ରୟାଣ ମଧ୍ୟ ପୂର୍ଣ୍ଣିମାରେ ହୋଇଥିବାର ପ୍ରମାଣ ଶାସ୍ତ୍ର, ଗ୍ରନ୍ଥ ଓ କିଂବଦନ୍ତି ଆଦିରୁ ମିଳେ। ‘ଓଡ଼ିଶାର ମହିମାଧର୍ମ’ ପୁସ୍ତକରେ ଚିତ୍ତରଂଜନ ଦାସ ଏହାର ଏକ ସୁନ୍ଦର ବ୍ୟଞ୍ଜନାର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି-
ମାଘମାସର ଶୁକ୍ଳ ଚତୁର୍ଦ୍ଦଶୀ ମହିମାଧର୍ମର ପନ୍ଥାବଲମ୍ବୀମାନଙ୍କ ପାଖରେ ଗୁରୁପୂର୍ଣ୍ଣିମା ନାମରେ ପରିଚିତ। ଅନେକ ବର୍ଷ ପୂର୍ବେ ଏହି ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହିମା ଗୋସାଇଁ ତାଙ୍କ ନୂତନ ଧର୍ମର ପ୍ରଥମ ପ୍ରବର୍ତ୍ତନ କରିଥିଲେ। ତାହାରି ସ୍ମୃତିରକ୍ଷା କରି ପ୍ରତ୍ୟେକ ବର୍ଷ ମହିମାଗାଦି ଯୋରନ୍ଦାଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୁଏ।
ଗୌତମବୁଦ୍ଧ ଓ ନାନକ ପ୍ରଭୃତିଙ୍କର ଜନ୍ମ ଓ ମୃତ୍ୟୁ ତିଥି ଏହି ପୂର୍ଣ୍ଣିମା ବୋଲି ଧରାଯାଇଛି। ସେମାନେ ପ୍ରକୃତରେ ସମସ୍ତେ ଏହି ଏକ ପୂର୍ଣ୍ଣିମା ତିଥିରେ ଦେହତ୍ୟାଗ କରିଥିଲେ କି ନାହିଁ ତାହା କହିବା ଅସମ୍ଭବ। କିନ୍ତୁ ପୂର୍ଣ୍ଣିମା ପଛରେ ଆଉ ଏକ ବ୍ୟଞ୍ଜନା ଅଛି।
ଜପମାଳାର ୧୦୮ ମାଳି ଗଣିସାରିବା ପରେ ଗୋଟିଏ ବଡ଼ ମାଳି ଥାଏ। ତାହାକୁ ମଧ୍ୟମାଳି କୁହାଯାଏ। ଏହି ମାଳି ଉପରକୁ ହାତ ଆସିଲେ ଭକ୍ତର ଗୋଟିଏ ଘେରା ଜପ ସଂପୂର୍ଣ୍ଣ ହୁଏ। ତିଥି ଭିତରେ ପୂର୍ଣ୍ଣିମା ମଧ୍ୟମାଳି ପରି। ମାସ-ଅବଧି ରାତ୍ରି-ପ୍ରଦୀପର ଶିଖାକୁ ଏକତ୍ରିତ ଓ ଏକନିଷ୍ଠ କରି ପୂର୍ଣ୍ଣିମାର ଜ୍ୟୋତି ଆପଣାକୁ ପ୍ରକାଶିତ କରେ। ମହାତ୍ମାମାନଙ୍କର ସାଧନା ଓ ଜୀବଦ୍ଦଶାର ନାନା କୃତି ଯେଉଁଦିନ ପରିପୂର୍ଣ୍ଣ ବା ସିଦ୍ଧ ହୋଇଛି, ସେହିଦିନଗୁଡ଼ିକ ସହିତ ଆମ ଦେଶର ସଂସ୍କୃତି ପୂର୍ଣ୍ଣିମାର ପ୍ରତୀକ ଯୋଡ଼ି ଦେଇଛି।
ତେଣୁ ଶୁକ୍ଳ ଚତୁର୍ଦ୍ଦଶୀକୁ ଗୁରୁପୂର୍ଣ୍ଣିମା କହିବା ଯେତେ ଅସଙ୍ଗତ ମନେ ହେଉଥିଲେ ମଧ୍ୟ
ଆଧ୍ୟାତ୍ମିକ ଦୃଷ୍ଟିରୁ ଏହାର
ଉତ୍ସ ନିର୍ଣ୍ଣୟ ଆଦୌ
କଷ୍ଟକର ନୁହେଁ।

Advertisment

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]