ସୂର୍ଯ୍ୟ କର୍କଟ ରାଶିକୁ ଗମନ କରିବା ସମୟରେ, ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଥାଏ ଶ୍ରୀଜଗନ୍ନାଥଙ୍କ ଶୟନଯାତ୍ରା। ଏହା ତାଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ ଏ ସଂପର୍କରେ ଉଲ୍ଲେଖ ଅଛି- ଆଷାଢ଼ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ, ଯେଉଁ ଚାରିମାସ ଭଗବାନ ହରି ଶୟନ କରନ୍ତି, ସେହି ଚାରିମାସ ହରିଙ୍କର ଆରାଧନାପାଇଁ ଅତି ପୁଣ୍ୟତମ କାଳ। ଅନ୍ୟ ପୁଣ୍ୟକ୍ଷେତ୍ରମାନଙ୍କ ଅପେକ୍ଷା ଏହି ସମୟରେ ଶ୍ରୀକ୍ଷେତ୍ରରେ ବାସ କରିବା ଅଧିକ ପୁଣ୍ୟପ୍ରଦ। କାରଣ, ଏହି ସମୟରେ ହରି ମହୋଦଧିରେ ଅନନ୍ତ ଶଯ୍ୟାରେ ଶୟନ କରୁଥିବାରୁ, ଅନ୍ୟ ପୁଣ୍ୟକ୍ଷେତ୍ରରେ ତାଙ୍କର ସାନ୍ନିଧ୍ୟ ମିଳେ ନାହିଁ।
ଶାସ୍ତ୍ର ନିର୍ଦ୍ଦେଶ ଅନୁସାରେ, ହରିଙ୍କର ଶୟନ ନୀତି ଯେଉଁ ପ୍ରତିମାଙ୍କ ମାଧ୍ୟମରେ ସଂପନ୍ନ ହୁଏ, ସେ ପ୍ରତିମା ସ୍ୱର୍ଣ୍ଣ, ରୌପ୍ୟ, ପିତଳ କିମ୍ବା କାଷ୍ଠରେ ନିର୍ମିତ ହେବା ବିଧେୟ। ଶ୍ରୀକ୍ଷେତ୍ରରେ ହେଉଥିବା ଶୟନନୀତିର ଏହି ପ୍ରତିମା ସ୍ୱର୍ଣ୍ଣ ନିର୍ମିତ।
ତିନିଟି ସ୍ୱର୍ଣ୍ଣ ନିର୍ମିତ ଶୟନ ପ୍ରତିମାଙ୍କ ଦ୍ୱାରା ଏହି ନୀତି ସଂପନ୍ନ ହୁଏ। ବଡ଼ବାଡ଼, ଅର୍ଥାତ୍ ଶ୍ରୀବଳଭଦ୍ରଙ୍କ ବାଡ଼ର ଏହି ଶୟନ ପ୍ରତିମାଙ୍କର ନାମ- ବାସୁଦେବ। ସେହିପରି ମଝିବାଡ଼, ଅର୍ଥାତ୍ ଶ୍ରୀସୁଭଦ୍ରାଙ୍କ ବାଡ଼ର ଶୟନ ପ୍ରତିମାଙ୍କ ନାମ- ଭୁବନେଶ୍ୱରୀ। ସେହିପରି ମଧ୍ୟ, ମହାପ୍ରଭୁ ବାଡ଼ ବା ଶ୍ରୀଜଗନ୍ନାଥଙ୍କ ବାଡ଼ର ଶୟନ ପ୍ରତିମାଙ୍କ ନାମ- ନାରାୟଣ। ଉଲ୍ଲେଖନୀୟ, ଯେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ଅଣସରରେ ଥିବାବେଳେ ଯେଉଁ ପଟିଦିଅଁ ପୂଜା ପାଆନ୍ତି, ତାହାଙ୍କର ନାମ ମଧ୍ୟ ଏହିପରି- ବାସୁଦେବ, ଭୁବନେଶ୍ୱରୀ ଓ ନାରାୟଣ। ଏହି ପ୍ରତିମା ତ୍ରୟଙ୍କୁ ସେମାନଙ୍କର ମୂଳ ବିଗ୍ରହ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କଠାରୁ ଅଭେଦ ରୂପେ କଳ୍ପନା କରାଯାଇ ଏହି ଶୟନନୀତି ସଂପନ୍ନ କରାଯାଇଥାଏ।
‘ନୀଳାଦ୍ରି ମହୋଦୟ’ ଅନୁସାରେ- ଏହି ତିନି ଶୟନ ପ୍ରତିମାଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରାର୍ଥନା ମନ୍ତ୍ର ଅଛି। ତାହା ଅନୁସାରେ, ଶ୍ରୀବଳଭଦ୍ରଙ୍କୁ ବାସୁଦେବ ପ୍ରତିମାଙ୍କ ମାଧ୍ୟମରେ ଶୟନ କରାଯିବା ବେଳେ କୁହାଯାଏ- ହେ ବଳଭଦ୍ର! ତୁମ୍ଭଙ୍କୁ ନମସ୍କାର। ହେ ରୋହିଣୀନନ୍ଦନ ପ୍ରଭୁ! ହେ ରେବତୀ ବଲ୍ଲଭ! ସୁଖରେ ଶୟନ କରନ୍ତୁ!
ସେହିପରି, ଭୁବନେଶ୍ୱରୀ ପ୍ରତିମାଙ୍କ ମାଧ୍ୟମରେ ଶ୍ରୀସୁଭଦ୍ରାଙ୍କୁ ଶୟନ କରାଯିବା ବେଳେ କୁହାଯାଏ- ହେ ଭଦ୍ରାଦେବୀ! ତୁମ୍ଭଙ୍କୁ ନମସ୍କାର। ହେ ସର୍ବଭଦ୍ର ପ୍ରଦାୟିନୀ! ହେ ଜଗତର ଭଦ୍ରକାରିଣୀ! ସୁଖରେ ଶୟନ କରନ୍ତୁ!
ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରି, ନାରାୟଣ ପ୍ରତିମାଙ୍କ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କୁ ଶୟନ କରାଯିବା ବେଳେ କୁହାଯାଏ- ହେ ଜଗଦୀଶ ଜଗନ୍ନାଥ! ହେ ଜଗଦାନନ୍ଦ କାରକ! ହେ ଜଗଦ୍ଧାମ, ଜଗଦ୍ରୂପ! ତୁମ୍ଭଙ୍କୁ ନମସ୍କାର। ଦୁଷ୍ଟଙ୍କର ବିନାଶ ଏବଂ ଶିଷ୍ଟଙ୍କର ପ୍ରାଣରକ୍ଷା ନିମନ୍ତେ ପତ୍ନୀ ଲକ୍ଷ୍ମୀଙ୍କ ସଦୃଶ ସୁକୋମଳ ଶଯ୍ୟାରେ ସୁଖରେ ଶୟନ କରନ୍ତୁ!
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]