ଜୀବନ-ମନ୍ତ୍ର: ନିଶା ମଙ୍ଗଳବାର ଓଷା କଥା

ମଙ୍ଗଳବାର ମା’ ମଙ୍ଗଳାଙ୍କ ବାର। ଏହିଦିନ ତାଙ୍କର ଓଷା, ବ୍ରତ କରାଯାଏ। ଚୈତ୍ର ମଙ୍ଗଳବାରର ପନ୍ଥେଇ ପୂଜା ଏହାର ଏକ ନିଦର୍ଶନ। ଏହି ପୂଜା ଦିନବେଳେ, ବିଶେଷକରି ପୂର୍ବାହ୍ନରେ କରାଯାଏ। କିନ୍ତୁ ଆଶ୍ୱିନ ମାସ ମଙ୍ଗଳବାର ରାତିରେ ମଧ୍ୟ ମା’ଙ୍କ ପୂଜାର ବିଧାନ ଅଛି। ସେଥିପାଇଁ ତାହା ‘ନିଶା ମଙ୍ଗଳବାର’ ଓଷା ଭାବରେ କଥିତ ହୁଏ।
ଗୋଟିଏ ରାଇଜରେ ଲକ୍ଷଶ୍ରୀ ନାମରେ ଏକ ସାଧବ, ସାତ ପୁଅ, ସାତବୋହୂ ଘେନି ସୁଖରେ ଥାଏ। ଆଶ୍ୱିନ ମାସ ହେବାରୁ ସାଧବ ପିତୃଶ୍ରାଦ୍ଧ ପାଇଁ ମାଂସ ଆଣିବାକୁ ପୁଅଙ୍କୁ କହିଲା। ପୁଅମାନେ ଧନୁଶର ଧରି ବନସ୍ତକୁ ଗଲେ; କିନ୍ତୁ ଗୋଟିଏ ହେଲେ ଶିକାର ପାଇଲେ ନାହିଁ। ରାତିରେ ଘରକୁ ଫେରିବାବେଳେ ଦେଖିଲେ, ତାଙ୍କ ପାଚେରୀ ତଳେ କପିଳା ଗାଈ ଚରୁଛି। ତାକୁ ମାରି, ତା’ ମାଂସକୁ ସାତପୁଡ଼ା କରି ଘେନି ଘରକୁ ଆସିଲେ। ସାଧବ ସେଥିରେ ପିତୃଶ୍ରାଦ୍ଧ ଦେଲା।
ତେଣେ ରାଜାଘର ମାହାର କପିଳା ଗାଈକି ଖୋଜି ଦେଖିଲା, ସାଧବଘର ପାଚେରି କଡ଼ରେ ଗାଈର ଗୋଡ଼, ମୁଣ୍ଡ ଓ ଛାଲ ପଡ଼ିଛି। ସାଧବ ସାତପୁଅ କପିଳା ଗାଈକୁ ମାରିଛନ୍ତି ବୋଲି ଜାଣି, ରାଜା ସେ ସାତପୁଅଙ୍କର ମୁଣ୍ଡ କାଟ କରିବାକୁ ଆଜ୍ଞା ଦେଲେ। ରାଜାଘର ଲୋକେ ସାଧବ ଓ ସାତପୁଅଙ୍କୁ ବନ୍ଦୀ କରି ଘେନିଗଲେ।
ସେଦିନ ରାତିରେ ସାଧବାଣୀ ମନ ଦୁଃଖରେ ଶୋଇଛି; ସ୍ୱପ୍ନରେ ଦେଖିଲା, ଠାକୁରାଣୀ ନିଶାଭ୍ରମଣି କରି ଆସି, ତା’ ପାଖରେ ବିଜେ ହେଲେ। ସାଧବାଣୀଠାରୁ ସବୁ ଶୁଣି କହିଲେ- ତୁ ନିଶା ମଙ୍ଗଳବାର ଓଷା କର; ତୋର ସର୍ବ ଶୁଭ ହେବ। ସାଧବାଣୀ କହିଲା- ସଂପତ୍ତି ବେଳେ ତ କରିନି, ବିପତ୍ତି ବେଳେ କି ରୂପେ ପୂଜା କରିବି? ଠାକୁରାଣୀ କହିଲେ- ଯେମନ୍ତେ ପାରିବୁ ତେମନ୍ତେ କର।
ତାହା ଶୁଣି, ନିଦରୁ ଉଠି ସାଧବାଣୀ ଆଠକେରା ଦୁବ ଆଣି, ଆଠ ଖିଅ ସୂତାରେ ବ୍ରତ କରି, ଆଠଗୋଟି ମୁଆଁ ଭୋଗ ଦେଇ, ବ୍ରତ ପାଳିଲା। ଫଳରେ ତା’ ସାତପୁଅ ଓ ସାଧବ ରାଜାଘର ବନ୍ଦୀଶାଳାରୁ ଫିଟିଆସିଲେ।
ରାଜା ସେ କଥା ଜାଣି, ତାଙ୍କୁ ପୁଣି ବାନ୍ଧି ନେଇ ମାରି ପକାଇଲେ। ମାତ୍ର ବ୍ରତଫଳରୁ ସେମାନେ ଜିଇ ଆସିଲେ। ଏହିପରି ବାରମ୍ବାର ହେବାରୁ, ରାଜା ଆସି ସାଧବାଣୀକୁ ପଚାରିଲେ- ସାଧବାଣୀ, ତୁ କି ଜାଣୁ ଯେ ମଶାଣିରୁ ପୁଅଙ୍କୁ ଜିଆଇ ଆଣୁ?
ସାଧବାଣୀ କହିଲା, ମୁଁ କିଛି ନ ଜାଣଇ। ମୋର ମନ୍ତ୍ର ସେ, ଯନ୍ତ୍ର ସେ, ସକଳ ଭରସା ସେ। ମା’ଙ୍କ ଛଡ଼ା ଆଉ କାହାକୁ ନ ଜାଣଇ। ରାତ୍ର ଅଧସରିରେ ନିଶା ମଙ୍ଗଳବାର ଓଷା ପୂଜଇ। ତାହା ଜାଣି ରାଜା ତାଙ୍କ ଅନେଶ୍ୱତ ପାଟ ମହାଦେଈଙ୍କୁ ନିଶା ମଙ୍ଗଳବାର ଓଷା ପୂଜା କରାଇବା ପାଇଁ ସାଧବାଣୀକୁ କହିଲେ। ସେମାନେ ତାହା କରିବାରୁ ରାଜାଙ୍କର ଅନେଶ୍ୱତ ପୁଅ ହେଲେ।

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]

ସମ୍ବନ୍ଧିତ ଖବର