‘ବାସ୍ତୁ’ର ଅର୍ଥ ବାସଗୃହ ବା ବାସସ୍ଥାନ। ଆଶ୍ରୟ, ଅବସ୍ଥାନ ବା ବିଶ୍ରାମ ନେବାପାଇଁ ସ୍ଥାନଟିଏ ବା ଘରଟିଏ ସମସ୍ତେ ଚାହାଁନ୍ତି। ମନୁଷ୍ୟ ମଧ୍ୟ ଚାହେଁ। ଏହା ମନୁଷ୍ୟର ଏକ ମୌଳିକ ଆବଶ୍ୟକତା। ଏଥିପାଇଁ, ସେ ଉପଯୁକ୍ତ ବାସସ୍ଥାନଟିଏ ବା ବାସଗୃହଟିଏ କାଳେକାଳେ ଚାହିଁ ଆସିଛି। ଏଇ ଆବଶ୍ୟକତାରୁ ବାସ୍ତୁବିଜ୍ଞାନର ସୃଷ୍ଟି।

Advertisment

ଏହି ବାସ୍ତୁବିଜ୍ଞାନ ବାସ୍ତୁଶାସ୍ତ୍ରକୁ ଭିତ୍ତି କରି ବିକଶିତ ହୋଇଛି। ବାସ୍ତୁଶାସ୍ତ୍ର ହେଉଛି- ପ୍ରାଚୀନ ଶିଳ୍ପଶାସ୍ତ୍ର ବା ପାରମ୍ପରିକ ଓ ଶାସ୍ତ୍ରୀୟ ଗୃହ ନିର୍ମାଣ ପଦ୍ଧତି। ଏହି ପୃଥିବୀର ପ୍ରାଣୀ ଓ ଉଦ୍ଭିଦ ସମସ୍ତେ ପଞ୍ଚମହାଭୂତରେ ଗଢ଼ା। ମନୁଷ୍ୟ ମଧ୍ୟ ପଞ୍ଚମହାଭୂତରେ ଗଢ଼ା। ଏହି ପଞ୍ଚମହାଭୂତ ହେଉଛି- କ୍ଷିତି, ଅପ୍‌, ତେଜ, ମରୁତ୍ ଓ ବ୍ୟୋମ। ଏହା ଯଥାକ୍ରମେ- ପୃଥ୍ୱୀ, ଜଳ, ଆଲୋକ, ବାୟୁ ଓ ଆକାଶ। ଏହାକୁ ନେଇ ମଣିଷର ନିର୍ମାଣ, ସ୍ଥିତି ଓ ବିକାଶ। ଏଣୁ ଏହି ପଞ୍ଚମହାଭୂତ ସହିତ ଆତ୍ମୀୟତାପୂର୍ଣ୍ଣ ସଂପର୍କ ରଖି ଗୃହ ନିର୍ମାଣ କରିବାପାଇଁ ରଚିତ ହୋଇଥିଲା ବାସ୍ତୁଶାସ୍ତ୍ର ବା ଶାସ୍ତ୍ରୀୟ ଗୃହନିର୍ମାଣ ପଦ୍ଧତି। ପ୍ରକୃତିର ଏହି ମୂଳ ଉପାଦାନଗୁଡ଼ିକ ସହିତ ସହାବସ୍ଥାନ କରି ସୁସ୍ଥ ଓ ସୁରକ୍ଷିତ ରହିବା ଏବଂ ଚାରି ପୁରୁଷାର୍ଥ- ଅର୍ଥାତ୍ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଲାଭ କରିବା ଥିଲା ବାସ୍ତୁଶାସ୍ତ୍ରର ଉପଯୋଗିତା।
ବାସ୍ତୁଶାସ୍ତ୍ରର ମୂଳ ଉତ୍ସ ହେଉଛି ବେଦ। ଅଥର୍ବବେଦରେ ବୈଦିକ ଋଷିମାନେ ଯେଉଁ ଭବନ ନିର୍ମାଣର ମୂଳ ଭିତ୍ତି ପ୍ରତିଷ୍ଠା କରିଥିଲେ, ତାହା ସମୟକ୍ରମେ ବିଜ୍ଞାନ ରୂପେ ସ୍ୱୀକୃତ ହୋଇଛି। ଆଜି ଏକବିଂଶ ଶତାବ୍ଦୀରେ ମଧ୍ୟ ଆଧୁନିକ ଗୃହନିର୍ମାଣ କାଳରେ ଏହାକୁ ସ୍ୱୀକାର କରାଯାଉଛି। କାରଣ ପ୍ରତିଟି ମନୁଷ୍ୟ ବା ପ୍ରାଣୀ ମହାଜଗତର ଅନ୍ତର୍ଭୁକ୍ତ ଏବଂ ତାହାର ଅଂଶବିଶେଷ। ବାସ୍ତୁଶାସ୍ତ୍ରରେ ଅଛି ସେହି ମହାଜାଗତିକ ସ୍ଥିତି ସହିତ ଭାରସାମ୍ୟ ରଖି ନିଜକୁ ବିକଶିତ କରିବାର ମହାନ ସୂତ୍ର।
ଏଣୁ ବାସ୍ତୁଶାସ୍ତ୍ର ବା ବାସ୍ତୁବିଜ୍ଞାନ ସଂପର୍କରେ ଆମେ ସମସ୍ତେ ଜାଣିବା ପ୍ରୟୋଜନ।
-ଇଂ. ଅଜୟ ମହାପାତ୍ର

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]