ସନ୍ଥକବି ଭୀମଭୋଇଙ୍କର ଗୋଟିଏ ସୁନ୍ଦର ଭଜନ ଅଛି- ‘‘ଜଗତ ଭଗତଜନ ଆସ ଲୋଡ଼ିବା ପ୍ରଭୁଙ୍କୁ।’’ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା‌େର ସାରା ଜଗତର ଭକ୍ତମାନେ ଭକ୍ତି ଭାବରେ ବିଭୋର। ଏଣୁ ଏହି ଅବକାଶରେ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତି ପ୍ରକୃତରେ କିଏ- ତାହା ଜାଣିବାର ଆବଶ୍ୟକତା ଅଛି। ଠିକ୍‌ ଭାବରେ ଚିହ୍ନିଲେ ଯାଇ ଆମର ଶ୍ରୀଜଗନ୍ନାଥଙ୍କୁ ଲୋଡ଼ିବାପଣ ସାର୍ଥକ ହେବ।

Advertisment

ଶ୍ରୀଚୈତନ୍ୟଙ୍କଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସଂସ୍ଥା ‘ଇସ୍କନ’ ପର୍ଯ୍ୟନ୍ତ, ଆମ ମନରେ ଏକ ଧାରଣା ସୃଷ୍ଟି କରିଦେଇଛନ୍ତି ଯେ ଏ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଧ୍ୟରୁ ମୁଖ୍ୟ ତ୍ରିମୂର୍ତ୍ତି ‌ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପ୍ରକୃତରେ ହେଉଛନ୍ତି- ଦ୍ବାପର ଯୁଗର କୃଷ୍ଣ, ବଳରାମ ଓ ତାଙ୍କର ଭଗିନୀ ସୁଭଦ୍ରା। ଅନେକ ସମୟରେ ଏ ଧାରଣାର ଊର୍ଦ୍ଧ୍ବକୁ ଆମେ ଯାଇପାରୁ ନାହିଁ। କିନ୍ତୁ ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ର ବ୍ରହ୍ମାଙ୍କ ସ୍ତୁତିରେ ଏହି ତ୍ରିମୂର୍ତ୍ତି ଓ ଶ୍ରୀସୁଦର୍ଶନଙ୍କର ପ୍ରକୃତ ସ୍ବରୂପ ବର୍ଣ୍ଣିତ ହୋଇଛି। ଦାରୁବ୍ରହ୍ମ ରୂପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆବିର୍ଭାବ ସମୟର କଥା। ରାଜା ଇନ୍ଦ୍ରଦ୍ୟୁମ୍ନ‌ ସେମାନଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କଲେ। ତିନିଟି ରଥରେ ସେମାନଙ୍କୁ ନେଇ ସେହି ମନ୍ଦିରର ସିଂହଦ୍ବାର ସାମ୍ନାରେ ଉପସ୍ଥିତ କଲେ। ସେହି ମନ୍ଦିରର ପ୍ରତିଷ୍ଠା ଏବଂ ମନ୍ଦିରରେ ଶ୍ରୀବିଗ୍ରହଙ୍କ ପ୍ରତିଷ୍ଠା ନିମନ୍ତେ ତାଙ୍କ ନିମନ୍ତ୍ରଣରେ ବ୍ରହ୍ମା ଶତ ଶତ ସ୍ବର୍ଣ୍ଣହଂସ ଚାଳିତ ବିମାନରେ ଆସି ସେଠାରେ ପହଞ୍ଚିଲେ। ବିମାନରୁ ଅବତରଣ କରି ବ୍ରହ୍ମା ପ୍ରତି ରଥକୁ ପ୍ରଦକ୍ଷିଣ କରି ସେହି ରଥରେ ଅଧିରୂଢ଼ ଦେବତାଙ୍କୁ ଯେଉଁ ସ୍ତୁତି କଲେ- ସେଥିରେ ଏହି ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ବରୂପ ସ୍ପଷ୍ଟ ବର୍ଣ୍ଣିତ ହୋଇଛି।

ବ୍ରହ୍ମା ପ୍ରଥମେ ଯେଉଁ ରଥ ନିକଟକୁ ଯାଇ ତାହାକୁ ତିନିବାର ପ୍ରଦକ୍ଷିଣ କଲେ, ‌ତାହା ଥିଲା ‘ନନ୍ଦିଘୋଷ’ ରଥ। ତାହା ‘ନାରାୟଣଙ୍କ ରଥ’ ବୋଲି ବର୍ଣ୍ଣିତ ହୋଇଛି। ବ୍ରହ୍ମା ତାଙ୍କୁ ଦର୍ଶନ ଓ ପ୍ରଣାମ କଲେ ଏବଂ ତାଙ୍କୁ ‘ବିଶ୍ବାତ୍ମା’ ବୋଲି ସମ୍ବୋଧନ ଓ ସ୍ତୁତି କଲେ। ସେ କହିଲେ- ଆପଣ ହିଁ ଜଗତ୍‌ ରୂପରେ ପ୍ରତିଭାସିତ ଓ ପ୍ରକାଶମାନ। ହେ ନିରାକାର! ଆପଣଙ୍କଠାରେ ସମସ୍ତ ଜଗତ୍‌ ପ୍ରକାଶମାନ ହେଲେ ମଧ୍ୟ ଆପଣ ପ୍ରପଞ୍ଚାତୀତ। ଆପଣଙ୍କର ସୂକ୍ଷ୍ମତା ଓ ସ୍ଥୂଳତା ନ ଥିଲେ ମଧ୍ୟ ଆପଣ ସ୍ଥୂଳ, ସୂକ୍ଷ୍ମ, ଅଣୁ ଓ ମହାନ୍‌। ହେ ବ୍ରହ୍ମରୂପୀ, ଆପଣଙ୍କୁ ନମସ୍କାର। ରଥାରୂଢ଼ ଶ୍ରୀଜଗନ୍ନାଥଙ୍କୁ ଏହିପରି ଭାବରେ ପ୍ରଣାମ ଓ ଅନେକ ସ୍ତୁତି କଲା ପରେ, ବ୍ରହ୍ମା ଶ୍ରୀବଳଭଦ୍ରଙ୍କ ‘ତାଳଧ୍ବଜ’ ରଥ ନିକଟକୁ ଗଲେ। ସେହି ରଥକୁ ତିନିବାର ପ୍ରଦକ୍ଷିଣ କରି ସେ ରଥାରୂଢ଼ ଶ୍ରୀବଳଭଦ୍ରଙ୍କୁ ଦର୍ଶନ, ପ୍ରଣାମ ଓ ସ୍ତୁତି କଲେ। ସେ କହିଲେ- ହେ ପ୍ରଭୁ! ଆପଣ ନିଜ ମସ୍ତକରୂପ ଫଣାରେ ଥିବା ମଣିର (ଅଣୁ) କଣା ପରି, ଏହି ବିଶାଳ କ୍ଷିତିମଣ୍ଡଳ (ପୃଥିବୀ)କୁ ଅବଲୀଳାକ୍ରମେ ଧାରଣ କରିଛନ୍ତି। ଆପଣ କାଳାଗ୍ନି ଓ ମହାରୁଦ୍ରସ୍ବରୂପ। ହେ ଦେବ! ପ୍ରଳୟ କାଳରେ ମହାର୍ଣ୍ଣବର ଜଳ ବର୍ଦ୍ଧିତ ହୋଇ ଯେତେବେଳେ ତ୍ରିଜଗତ ଏକୀଭୂତ ହୋଇଯାଏ, ସେହି ସମୟରେ ଆପଣ ନିଜର ପ୍ରକାଣ୍ଡ ଶରୀରକୁ ଶଯ୍ୟା ଓ ଫଣାମଣ୍ଡଳକୁ ଛତ୍ର କରି ତା’ ମଧ୍ୟରେ (ନିଜେ ନାରାୟଣରୂପେ) ସୁଖନିଦ୍ରା ଯାଇଥାଆନ୍ତି। ହେ ଭଗବାନ! ଆପଣ ହିଁ ଶେଷଦେବ, ସହସ୍ର ଫଣାରେ ଶୋଭାଯୁକ୍ତ; ନିଜର ଅନନ୍ତ ଫଣାମଣି ଛଳରେ ଆପଣ ହିଁ ବିଶ୍ବବ୍ରହ୍ମାଣ୍ଡ ଅଟନ୍ତି।

ରଥାରୂଢ଼ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଏହିପରି ଭାବରେ ପ୍ରଣାମ ଓ ଅନେକ ସ୍ତୁତି କଲା ପରେ, ବ୍ରହ୍ମା ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ନିକଟକୁ ଯାଇ ତାହାକୁ ତ୍ରିବାର ପ୍ରଦକ୍ଷିଣ କଲେ ଏବଂ ରଥାରୂଢ଼ ସେହି ଦେବୀଙ୍କୁ ପ୍ରଣାମ ଓ ସ୍ତୁତି କରି କହିଲେ- ହେ ଦେବୀ! ଆପଣ ନିଖିଳ ଜଗତର ଈଶ୍ବରୀ ଓ ବିଷ୍ଣୁଶକ୍ତି। ହେ ପରମେଶ୍ବରୀ! ହେ ଜଗନ୍ମାତା! ଆପଣଙ୍କର ଜୟ ହେଉ। ଆପଣ ପ୍ରସନ୍ନ ହୁଅନ୍ତୁ। ଆପଣ କାର୍ଯ୍ୟକାରଣର କର୍ତ୍ତ୍ରୀ ଓ ସର୍ବଶକ୍ତିସ୍ବରୂପିଣୀ। ହେ ମାତା! ବିଷ୍ଣୁ ଭାବାନୁସାରିଣୀ ଆପଣ କମଳା ରୂପରେ ବିଷ୍ଣୁଙ୍କ ହୃଦୟରେ ସର୍ବଦା ବିରାଜିତା। ଆପଣ ହିଁ ଲକ୍ଷ୍ମୀ, ଗୌରୀ, ଶଚୀ ଓ କାତ୍ୟାୟନୀ ଅଟନ୍ତି। ହେ ଅଖିଳର ଆତ୍ମାସ୍ବରୂପିଣୀ! ହେ ଜନନୀ! ଆପଣ ସମସ୍ତଙ୍କର ଭଦ୍ରଦାୟିନୀ ହେତୁ ଭଦ୍ରା ନାମରେ ପ୍ରସିଦ୍ଧା। ହେ ସୁଭଦ୍ରେ! ଆପଣଙ୍କର ଜୟ ହେଉ। ହେ ଭଦ୍ରକାଳି! ଆପଣ ସମସ୍ତ ଜଗତ୍‌ର ମଙ୍ଗଳ ଓ ଅମଙ୍ଗଳର ସ୍ବରୂପ। ହେ ଦେବୀ! ଆପଣ ଅଖିଳ ଜଗତର ମାତା ଏବଂ ଭଗବାନ ନାରାୟଣ ଅଖିଳ ଜଗତର ପିତା ଅଟନ୍ତି। ଜଗତ୍‌ରେ ଯେଉଁସବୁ ସ୍ତ୍ରୀମୂର୍ତ୍ତି ଅଛନ୍ତି, ସମସ୍ତେ ହିଁ ଆପଣ ଏବଂ ଯେଉଁସବୁ ପୁରୁଷ ଅଛନ୍ତି ସମସ୍ତେ ଜଗଦୀଶ୍ବର ନାରାୟଣଙ୍କର ସ୍ବରୂପ। ହେ ପରମେଶ୍ବରୀ! ହେ ସନାତନୀ! ଆପଣଙ୍କୁ ପ୍ରଣାମ। ତାହା ପରେ ବ୍ରହ୍ମା ଦେବୀ ସୁଭଦ୍ରାଙ୍କ ରଥରେ ବିରାଜମାନ ଶ୍ରୀସୁଦର୍ଶନଙ୍କୁ ଦର୍ଶନ, ପ୍ରଣାମ ଓ ସ୍ତୁତି କଲେ। ସେ କହିଲେ- ହେ ମହାଦୀପ୍ତିଶାଳୀ ସୁଦର୍ଶନ! ହେ କୋଟିସୂର୍ଯ୍ୟସମପ୍ରଭ! ତୁମ୍ଭେ ବିଷ୍ଣୁଙ୍କର ଅନିବାର୍ଯ୍ୟ ବୀର୍ଯ୍ୟ (ବଳ) ସ୍ବରୂପ, ତୁମ୍ଭଙ୍କୁ ପ୍ରଣାମ। ତୁମ୍ଭେ ଅଜ୍ଞାନ-ତିମିରାନ୍ଧ ବ୍ୟକ୍ତିମାନଙ୍କର ବୈକୁଣ୍ଠମାର୍ଗ ପ୍ରଦର୍ଶକ। ବିବିଧ ବୈଷ୍ଣବାସ୍ତ୍ରମାନଙ୍କର ଆଧାରସ୍ବରୂପ। ଏହିପରିଭାବରେ, ବ୍ରହ୍ମାଙ୍କର ସ୍ତୁତି ମଧ୍ୟରେ,  ଚତୁର୍ଦ୍ଧାବିଗ୍ରହଙ୍କ ସଂପର୍କରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା କୁହାଯାଇଛି। ତାହା ଏହିପରି- ପ୍ରଥମେ ଶ୍ରୀଜଗନ୍ନାଥଙ୍କ ରଥରେ ତାଙ୍କୁ ଦର୍ଶନ ଓ ପ୍ରଣାମ କରିବା ବେଳେ ବ୍ରହ୍ମା କହିଛନ୍ତି- ହେ ବିଶ୍ବାତ୍ମା! ଆପଣଙ୍କୁ ନମସ୍କାର ଓ ମୋତେ ନମସ୍କାର। ଆପଣଙ୍କୁ ଓ ମୋତେ ବାରମ୍ବାର ନମସ୍କାର। କାରଣ, ମୁଁ ଯିଏ, ଆପଣ ସିଏ ଏବଂ ଆପଣ ଯିଏ ମୁଁ ମଧ୍ୟ ସିଏ। ଏ ଚରାଚର ଜଗତ୍‌ ମଧ୍ୟ ଆମଠାରୁ ଭିନ୍ନ ନୁହେଁ। ସେହିପରି, ଶ୍ରୀବଳଭଦ୍ରଙ୍କ ରଥରେ ତାଙ୍କୁ ଦର୍ଶନ  ଓ ପ୍ରଣାମ କରିବା ବେଳେ ବ୍ରହ୍ମା କହିଛନ୍ତି- ତତ୍ତ୍ବତଃ ଯେ ବିଷ୍ଣୁ ସେ ରାମ (ବଳରାମ ବା ବଳଭଦ୍ର) ଏବଂ ଯେ ରାମ ସେ କୃଷ୍ଣ। ପୁଣି ଦେବୀ ସୁଭଦ୍ରାଙ୍କ ରଥରେ ତାଙ୍କୁ ଦର୍ଶନ ଓ ପ୍ରଣାମ କରିବା ବେଳେ ବ୍ରହ୍ମା ତାଙ୍କୁ ନିଖିଳ ଜଗତର ଈଶ୍ବରୀ, ଭୁବନେଶ୍ବରୀ ଓ ବିଷ୍ଣୁଶକ୍ତିସ୍ବରୂପିଣୀ ବୋଲି କହିଛନ୍ତି ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ସ୍ଥିତ ଶ୍ରୀସୁଦର୍ଶନଙ୍କୁ ‘ବିଷ୍ଣୁଙ୍କର ଚତୁର୍ଥ ଶରୀର’ ବୋଲି କହିଛନ୍ତି।

ଏଣୁ ଏହା ସୂଚାଏ, ଯେ ଶ୍ରୀମନ୍ଦିରର ରତ୍ନବେଦିରେ ପୂଜିତ ତଥା ରଥାରୂଢ଼ ଏହି ଚତୁର୍ଦ୍ଧାମୂର୍ତ୍ତି ଚାରି ହେଲେ ହେଁ ମୂଳତଃ ସେମାନେ ଏକ। ବ୍ରହ୍ମା ମଧ୍ୟ ତାଙ୍କଠାରୁ ଭିନ୍ନ ନୁହନ୍ତି। ଏ ରଥଯାତ୍ରା ସେହି ଏକ ବ୍ରହ୍ମଙ୍କର ବିବିଧସ୍ବରୂପର ରଥଯାତ୍ରା। ଏହା ଭଗବାନ ବିଷ୍ଣୁ ବା ପରଂବ୍ରହ୍ମଙ୍କର ଦାରବୀ ସ୍ବରୂପର ମାନବୀୟ ଲୀଳା ମାତ୍ର।