ମାତା ପାର୍ବତୀଙ୍କର ଅନ୍ୟନାମ ଗୌରୀ। ତାଙ୍କ ସଂପର୍କରେ ଥିବା ପୁରାଣ କାହାଣୀ ଅନୁସାରେ, ବ୍ରହ୍ମା ତାଙ୍କୁ ନିଜ ଶରୀରରୁ ସୃଷ୍ଟିକରି ରୁଦ୍ର ବା ଶିବଙ୍କୁ ଦାନ କରିଥିଲେ। ପରେ ସେ ହୋଇଥିଲେ ଦକ୍ଷ ପ୍ରଜାପତିଙ୍କର କନ୍ୟା। ସେତେବେଳେ ବି ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଦକ୍ଷ ତାଙ୍କୁ ଶିବଙ୍କୁ ସମର୍ପଣ କରିଥିଲେ। ତାହାର ପରବର୍ତ୍ତୀ କାଳରେ ହିମାଳୟଙ୍କ ଗୃହରେ ଜନ୍ମଗ୍ରହଣ କରି ଉମା ବା ପାର୍ବତୀ ନାମରେ ସେ ପରିଚିତା ହୋଇଥିଲେ। କଠୋର ତପସ୍ୟା କରି   ପୁନଶ୍ଚ ମହାଦେବଙ୍କୁ ହିଁ ସେ ପତି ରୂପେ ପାଇଥିଲେ। ମାତ୍ର ଓଡ଼ିଶାର ଲୋକ-ପରମ୍ପରାରେ ଗୌରୀ ନାମରେ ଆଉ ଜଣେ ଦେବୀ ଅଛନ୍ତି। ସେ ଜାଗ୍ରତ୍‌ ଗୌରୀ। ଲୋକଭାଷାରେ ସେ ଜାଗୁଳାଇ ବା ଜାଗୁଳେଇ। ତାହାଙ୍କ ନାମରେ ଗୋଟିଏ ଲୋକଗୀତ ପ୍ରଚଳିତ ଅଛି। ସେଥିରେ କୁହାଯାଇଛି-

Advertisment

ଜାଗୁଳାଇ ମାଆ ପାଗୁ‌ଳାଇ
ସବୁ ଦିଅଁଙ୍କର ମାଆ,
ବିରି ଚକୁଳି ଖାଇବୁ ଯେବେ
ମୋ ଦୁଆରକୁ ଆ’।

ଓଡ଼ିଶାର ଲୋକ ପରମ୍ପରାରେ ଏହି ଜାଗୁଳେଇ ଗ୍ରାମଦେବୀ ବା ଯୋଗିନୀ। ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ରାତିରେ ସେ ଗ୍ରାମର ଦ୍ବାରେ ଦ୍ବାରେ ବୁଲି ଚକୁଳିପିଠା ଭୋଗ ଖାଇଥାଆନ୍ତି।
କିନ୍ତୁ ଏହାଙ୍କର ନାଆଁ କାହିଁକି ଜାଗୁଳାଇ? ଏହାର ଉତ୍ତର ଅଛି ଏହାର ମୂଳ ସଂସ୍କୃତ ନାମ ‘ଜାଗ୍ରଦ୍‌ଗୌରୀ’ ଓ ଆମ ଲୋକ ପରମ୍ପରାରେ। ଆମ ଲୋକ ପରମ୍ପରା ଅନୁସାରେ, ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ରାତିରେ ଗ୍ରାମର ବାରିକ ମାଟିର ଗୋଟିଏ ‘ଜାଗୁଆଳୀ’ ମୂର୍ତ୍ତି ନିର୍ମାଣ କରି, ତାହାଙ୍କୁ ଗ୍ରାମର ଦ୍ବାରେ ଦ୍ବାରେ ବୁଲାନ୍ତି। ସେହି ସମୟରେ ନିଜ ନିଜର ସକ୍ଷମତା ଅନୁସାରେ, ଗୃହସ୍ଥମାନେ  ଗୃହଦ୍ବାରରେ ତାଙ୍କୁ ଚକୁଳି ଭୋଗ ଦେଇଥାନ୍ତି। ପରିଶେଷରେ ତାଙ୍କୁ ନେଇ ଜଳରେ ବିସର୍ଜିତ କରି ଦିଆଯାଏ। ଏହା ସୂଚାଏ, ଏହି ଦେବୀ ଜାଗ୍ରତ ରହି ଗ୍ରାମବାସୀଙ୍କର ସୁରକ୍ଷା କରିଥାଆନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ  ଏହି ଜାଗ୍ରତଗୌରୀ ଦେବୀ ବା ଜାଗୁଳାଇଙ୍କର ମନ୍ଦିର ଅଛି। ଏହି ଦେବୀ ‘ବୁଢ଼ୀ ଜାଗୁଳେଇ’ ନାମରେ ମଧ୍ୟ ପ୍ରସିଦ୍ଧା। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଶ୍ରାବଣ କୃଷ୍ଣପକ୍ଷ ପଞ୍ଚମୀ ‘ମନସା ପଞ୍ଚମୀ’ ଭାବରେ ପ୍ରସିଦ୍ଧ ହୋଇଥିବା ବେଳେ ଶୁକ୍ଳ ପଞ୍ଚମୀ ‘ଜାଗୁଳାଇ ପଞ୍ଚମୀ’ ଭାବରେ ପ୍ରସିଦ୍ଧ।