ଏକାମ୍ରକ୍ଷେତ୍ର ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜଙ୍କର ଯେଉଁ ରଥଯାତ୍ରା ହୁଏ, ସେ ରଥର ନାମ- ରୁକୁଣା। କଥିତ ହୁଏ, ଯେ ଏହି ‘ରୁକୁଣାରଥ’ରେ ଶ୍ରୀଲିଙ୍ଗରାଜଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ରୁକ୍ମିଣୀଙ୍କର ପ୍ରତିମା ବିଜେ କରି ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି। ତେଣୁ ରୁକ୍ମିଣୀଙ୍କ ନାମାନୁସାରେ, ଏହାର ନାମ ‘ରୁକ୍ମିଣୀରଥ’। ଏହା ଲୋକମୁଖରେ ‘ରୁକୁଣାରଥ’ ହୋଇଛି। କିନ୍ତୁ ‘ସ୍ୱର୍ଣ୍ଣାଦ୍ରି ମହୋଦୟ’ ଅନୁସାରେ, ଏଥିରେ ଚନ୍ଦ୍ରଶେଖର, ପାର୍ବତୀ ଓ କାର୍ତ୍ତିକେୟ ଯାତ୍ରା କରନ୍ତି।
ଏହି ରଥଯାତ୍ରା ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ବା ‘ଅଶୋକାଷ୍ଟମୀ’ରେ ଅନୁଷ୍ଠିତ ହୁଏ। ଏହି ଦିନ, ଜଳ ସହିତ ଆଠଟି ଅଶୋକ କଢ଼ି ସେବନ କରିବାର ବିଧି ଅଛି। ଏହାଦ୍ୱାରା ଶୋକର ଅପନୋଦନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଏହାର ନାମ ‘ଅଶୋକାଷ୍ଟମୀ’। ଏହି ଅନୁସାରେ, ଶ୍ରୀଲିଙ୍ଗରାଜଙ୍କର ଏହି ଯାତ୍ରାର ନାମ ଅଶୋକାଷ୍ଟମୀ ରଥଯାତ୍ରା।
କିଂବଦନ୍ତି ଅନୁସାରେ, ତ୍ରେତୟା ଯୁଗରୁ ଏହି ରଥଯାତ୍ରାର ଆରମ୍ଭ। ଶ୍ରୀରାମଚନ୍ଦ୍ର ସ୍ୱୟଂ ଏହି ରଥଯାତ୍ରାର ପ୍ରବର୍ତ୍ତନ କରିଥିଲେ। ତାହା ଅନୁସାରେ- ରାମଙ୍କୁ ଯୁଦ୍ଧରେ ପରାସ୍ତ କରିବାପାଇଁ ରାବଣର ପୁତ୍ର ଇନ୍ଦ୍ରଜିତ ଦେବଦଳନ ରଥ ଚାହୁଁଥିଲା। ତାହା ପାଇବାପାଇଁ ସେ ଏକ ଯଜ୍ଞ କଲା। ଯଜ୍ଞର ପୂର୍ଣ୍ଣାହୁତି ବେଳକୁ, ଦେବଦଳନ ରଥର ଆବିର୍ଭାବ ଘଟିଲା। ମାତ୍ର ଲକ୍ଷ୍ମଣଙ୍କ ଆକ୍ରମଣରେ ସେହି ରଥ ଭଗ୍ନ ହୋଇଗଲା। ତାହା ପରେ, ଦେବତାମାନେ ସେହି ରଥକୁ ପାଇବାପାଇଁ ଯଜ୍ଞ କଲେ ଏବଂ ରଥଟିକୁ ପାଇଲେ। ସେଥିରେ ଶ୍ରୀଲିଙ୍ଗରାଜଙ୍କୁ ବସାଇ ରାମଙ୍କ ନିକଟକୁ ପଠାଇଲେ। ତାହାରି ସ୍ମୃତିରେ ପ୍ରତିବର୍ଷ ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ବାସୁଦେବ ଓ ରୁକ୍ମିଣୀଙ୍କ ସହିତ ରଥରେ ରାମେଶ୍ୱର ମନ୍ଦିରକୁ ଯାଇଥାଆନ୍ତି। ଏଣୁ ଶ୍ରୀରାମ ଏହି ରଥଯାତ୍ରା ପ୍ରବର୍ତ୍ତନ କରିଥିଲେ ବୋଲି ଲୋକବିଶ୍ୱାସ ରହିଛି। ‘ଏକାମ୍ର ଚନ୍ଦ୍ରିକା’ରେ ଏ ସଂପର୍କରେ ଉଲ୍ଲେଖ ଅଛି। ସେହିପରି, ‘ସ୍ୱର୍ଣ୍ଣାଦ୍ରି ମହୋଦୟ’ରେ ମଧ୍ୟ ଉଲ୍ଲେଖ ଅଛି, ଯେ ଏହି ରଥର ନାମ ‘ଦେବଦଳନ’। ଶ୍ରୀକ୍ଷେତ୍ରପୁରୀରେ ଏହା ଦେବୀ ସୁଭଦ୍ରାଙ୍କ ରଥ। ପୁରାଣ ଅନୁସାରେ, ଦେବଦଳନ ମଧ୍ୟ ଦେବୀ ଅମ୍ବିକାଙ୍କ ରଥ।
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/g5j4g65j4gjd654gj65gjd.jpg)