ସଜେଇ ହେବାପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ବିଶେଷକରି, ଝିଅମାନେ ନିଜର ସୌନ୍ଦର୍ଯ୍ୟ ଉପରେ ବେଶି ଧ୍ୟାନ ଦେଇଥାନ୍ତି। ସେଥିପାଇଁ ପରିଧାନ ପ୍ରତି ଯେତିକି ଗୁରୁତ୍ବ ଦିଆଯାଇଥାଏ ମୁଖ ପ୍ରତି ସେତିକି ଧ୍ୟାନ ଦେବାକୁ ପଡ଼ିଥାଏ। ଆଜିକାଲି ଝିଅଟିଏ ବିନା ମେକ୍‌ଅପ୍‌ରେ ଘରୁ ବାହାରିବା ଖୁବ୍‌ କମ୍‌ ଦେଖିବାକୁ ମିଳୁଛି। ଆଉ ବିଉଟିସିଆନ୍‌ମାନେ ବିଭିନ୍ନ ପ୍ରକାର ଅଫର୍‌ ଓ ବିଭିନ୍ନ କସ୍‌ମେଟିକ୍‌ ଉତ୍ପାଦ ଦେଖାଇ ସେମାନଙ୍କୁ ଆକର୍ଷିତ କରୁଛନ୍ତି। ‌ପୂର୍ବରୁ କେବଳ ସ୍ନୋ, ପାଉଡର ଓ କଜଳ ଲଗାଇ ଝିଅଟିଏ ଘରୁ ବାହାରୁଥିଲା। ଏବେ କିନ୍ତୁ, ମେକ୍‌ଅପ୍‌କୁ ‌ପ୍ରସାଧନର ମୌଳିକ ଆବଶ୍ୟକତା ଭାବେ ବିଚାର କରାଯାଉଛି। ଆଜିକାଲି ଭିନ୍ନ ଭିନ୍ନ ଅବସର ପାଇଁ ଭିନ୍ନ ଭିନ୍ନ ମେକଅପ୍‌ ନେବାକୁ ପଡୁଛି। ଯେପରି ପାର୍ଟି ମେକ୍‌ଅପ୍‌, ଅଫିସିଆଲ୍‌ ମେକ୍‌ଅପ୍‌, ବ୍ରାଇଡାଲ୍‌ ମେକ୍‌ଅପ୍‌, ୱିଣ୍ଟର୍‌ ମେକ୍‌ଅପ୍‌, ସମର୍‌ ମେକ୍‌ଅପ୍‌ ଇତ୍ୟାଦି। ଏହାସହିତ ମେକ୍‌ଅପ୍‌ ଆର୍ଟିଷ୍ଟ୍‌ମାନେ କେବଳ ମୁହଁର ସୌନ୍ଦର୍ଯ୍ୟ ନୁହେଁ, ସମନ୍ବୟ ଲାଗି ପୋଷାକ ଓ ପରିଧାନ ଶୈଳୀ, କେଶସଜ୍ଜା ଶୈଳୀ ଓ ନୂଆ ଡିଜାଇନ୍‌ର ଅଳଙ୍କାର ପିନ୍ଧାଉଛନ୍ତି। ଏଥିଲାଗି ପାର୍ଲର୍‌ଗୁଡ଼ିକ ୨୦୦୦ରୁ ଆରମ୍ଭ ହୋଇ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ଏବେ ନୂଆ ନୂଆ ‌ଟ୍ରେଣ୍ଡ୍‌ର ମେକଅପ୍‌ ମଧ୍ୟ ବଜାରକୁ ଆସିଲାଣି। ଆସନ୍ତୁ, ସେସବୁ ଉପରେ ନଜର ପକାଇବା। 

Advertisment

ଲାଇଟ୍‌ ମେକ୍‌ଅପ୍‌ 
ଲାଇଟ୍‌ ବା ହାଲୁକା ମେକ୍ଅପ୍‌ ଅଫିସ୍‌, ବ୍ୟାଚ୍‌ଲର୍‌ ପାର୍ଟି କିମ୍ବା ବୁଲିବାକୁ ଯିବା ସମୟରେ ବ୍ୟବହାର କରାଯାଏ।  ଲାଇଟ୍ ମେକ୍‌ଅପ୍ କହିଲେ ମୁଖ୍ୟତଃ ପାଉଡର୍, ଫାଉଣ୍ଡେସନ୍, ସ୍ୟାଡୋ କିମ୍ବା ଲିପ୍‌ଷ୍ଟିକ୍ ଦ୍ୱାରା ମୁହଁକୁ ସୁନ୍ଦର କରିବା। ଯଦି ଆପଣ ସିମ୍ପଲ୍‌ କିମ୍ବା କାଜୁଆଲ୍ ଲୁକ୍ ଖୋଜୁଛନ୍ତି, ତେବେ ଏହି ଷ୍ଟାଇଲ୍ ଆପଣଙ୍କ ପାଇଁ ଉପଯୁକ୍ତ ହେବ। କାଜୁଆଲ୍‌ ଦେଖାଯିବା ପାଇଁ ନ୍ୟୁଡ୍‌, ଡ୍ୟୁ ଓ ମେଟ୍‌ ମେକ୍‌ଅପ୍‌ କରାଯାଇଥାଏ।

ବ୍ରାଇଡାଲ୍‌ ମେକ୍‌ଅପ୍‌ 
ଏହା ବାହାଘର ସମୟରେ କରାଯାଇଥାଏ। ଏଥିରେ କନ୍ୟାର କେଶସଜ୍ଜା ଶୈଳୀରୁ ଆରମ୍ଭ କରି ପାଦରେ ଅଳତା ଲଗାଇବା ପର୍ଯ୍ୟନ୍ତ ଦେଖାଯାଇଥାଏ। ଏହା ପୂର୍ବରୁ ସଙ୍ଗୀତ ମେକ୍‌ଅପ୍‌, ରିସେପ୍‌ସନ୍‌ ମେକ୍‌ଅପ୍‌କୁ ମଧ୍ୟ ଯୋଡ଼ା ଯାଇପାରେ। ଶାଢ଼ି କିମ୍ବା ଲେହେଙ୍ଗା ପିନ୍ଧାଠାରୁ ଆରମ୍ଭ କରି କେଶ ସଜାଇବା, ‌ମୁହଁ ମେକ୍‌ଅପ୍‌ କରିବା, ଆଖି ସଜାଇବା ଓ ପୋଷାକ ଅନୁସାରେ ଅଳଙ୍କାର ପିନ୍ଧାଇବା ଆଦି ଏଥିରେ ଅନ୍ତର୍ଭୁକ୍ତ। ଏଥିପାଇଁ ୨୦ରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼େ। ବାହାଘର ସମୟରେ ଏଆର୍‌ବ୍ରସ୍‌, ମ୍ୟାକ୍, କ୍ରେଲୋନ୍‌, ଏଚ୍‌ ଡି ‌େମକ୍‌ଅପ୍‌ କରାଯାଇଥାଏ।  

ପାର୍ଟି ମେକଅପ୍‌ 
ଏହି କ୍ରମରେ ପାଷ୍ଟେଲ୍, ମିନେରାଲ୍‌, ସ୍ମୋକି, କ୍ରେଲୋନ୍‌, ମ୍ୟାକ୍‌ ପ୍ରଭୃତି ମେକ୍‌ଅପ୍‌ ନିଆଯାଇଥାଏ। ଏଥିରେ କେବଳ ଲାଇଟ୍‌ ଫାଉଣ୍ଡେସନ୍‌, ମସ୍କାରା, ଲିପ୍‌ଷ୍ଟିକ୍‌ ଓ କାଜଲ୍‌ ଲଗାଯାଇଥାଏ। ବିଭିନ୍ନ ପ୍ରକାର ଭୋଜି କିମ୍ବା କର୍ପୋରେଟ୍‌ ପାର୍ଟିରେ ଏହାର ଚାହିଦା ଅଧିକ। ଏହାର ଦାମ୍‌ ୧୭୦୦ ଟଙ୍କାରୁ ଆରମ୍ଭ କରି ୮ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି।

ସ୍ବେଟ୍‌ପ୍ରୁଫ୍‌ ମେକଅପ୍‌ 
ଖରାଦିନେ ତ୍ୱଚାକୁ  ଆକର୍ଷକ କରେ ବ୍ରାଇଟ୍ ମେକ୍‌ଅପ୍। କିନ୍ତୁ, ଅନେକ ଭାବନ୍ତି ଖରାଦିନେ ଲାଇଟ୍ ମେକ୍‌ଅପ୍ କରିବା ଭଲ। ଯଦି ଆପଣ ଅଧିକ ସୁନ୍ଦର ଦେଖାଯିବାକୁ ଚାହୁଛନ୍ତି, ତେବେ ତ୍ୱଚାରେ ବ୍ରାଇଟ୍‌ ମେକ୍‌ଅପ୍ କରନ୍ତୁ ଏବଂ ଆଖିରେ ଲାଇଟ୍ ମେକ୍‌ଅପ୍ ଦିଅନ୍ତୁ। ଖରାଦିନ ଆସିଲେ ମେକ୍‌ଅପ୍‌କୁ ଭଲ ପାଉଥିବା ଲୋକଙ୍କର ଚିନ୍ତା ବଢ଼ିଥାଏ। ଝାଳ ଅଧିକ ବାହାରୁଥିବାରୁ ମେକ୍‌ଅପ୍‌କୁ ଅଧିକ ସମୟ ରଖିବା ପାଇଁ  ସ୍ବେଟ୍‌ପ୍ରୁଫ୍‌ କରିପାରିବେ। ସ୍ବେଟ୍‌ପ୍ରୁଫ୍‌ ମେକ୍‌ଅପ୍‌ ଲାଗି ପ୍ରାଇମର୍‌ରେ ଆପଣ ଜେଲ୍‌ ବେସ୍‌ କିମ୍ବା ସିଲିକନ୍‌ ବେସ୍‌ ବ୍ୟବହାର କରିପାରିବେ। ଏହା ଲଗାଇବା ପାଇଁ ଖୁବ୍‌ ସହଜ ହୋଇଥାଏ ଏବଂ ତ୍ୱଚାର ତେଲିଆ ଅଂଶକୁ ନିୟନ୍ତ୍ରଣ କରିଥାଏ। ଖରାଦିନେ ସବୁବେଳେ ୱାଟର୍‌ପ୍ରୁଫ୍‌  ବିୟୁଟି ପ୍ରଡକ୍ଟ୍‌ ବ୍ୟବହାର କଲେ ଭଲ। ଏଥିସହିତ ମ୍ୟାଟ୍‌ ଫିନିସ୍‌ ଆଣିବାକୁ ଚେଷ୍ଟା କରନ୍ତୁ। ଯାହା ଫଳରେ ଝାଳ ବୋହିବା ସମୟରେ ଏହା ଆପଣଙ୍କ ମେକ୍‌ଅପ୍‌କୁ ସତେଜ ରଖିବାରେ ସାହାଯ୍ୟ କରିବ।

ଆଖି ମେକ୍‌ଅପ୍‌
ଅଧିକାଂଶ ମହିଳା ଲିପ୍‌ଷ୍ଟିକ୍ ଲଗାଇବା ଅପେକ୍ଷା ନିଜ ଆଖିକୁ ସଜାଇବା ପ୍ରତି ବେଶି ଧ୍ୟାନ ଦେଉଛନ୍ତି। ମେକ୍‌ଅପ୍‌ ସାହାଯ୍ୟରେ ବଡ଼ ଆଖିକୁ ଛୋଟ ଓ ଛୋଟ ଅାଖିକୁ ବଡ଼ କରି ସଜାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କସ୍‌ମେଟିକ୍ସ କମ୍ପାନି ବଜାରକୁ  ଭିନ୍ନ ଭିନ୍ନ ଆଇ-ମେକ୍‌ଅପ୍ ପ୍ରଡକ୍ଟ, ଯେପରିକି ଆଇ ସ୍ୟାଡୋ, ଆଇ ଲାଇନର୍ କାଜଲ୍ ଓ ମସ୍କାରା ପ୍ରଭୃତି ଛାଡୁଛନ୍ତି। ଏଥିରେ ପୋଷାକ ରଙ୍ଗ ଅନୁସାରେ ଆଖିର ସ୍ୟାଡୋକୁ କଲର୍‌ ଦେଇ ନିଜର ସୌନ୍ଦର୍ଯ୍ୟ ବଢ଼ାଯାଏ।