ନୂଆଦିଲ୍ଲୀ: ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ ଯେ ଉଦ୍ଭିଦମାନଙ୍କର ବି ଆମ ମଣିଷମାନଙ୍କ ପରି ଜୀବନ ଅଛି ଓ ସେମାନେ ବି ଯନ୍ତ୍ରଣା ଅନୁଭବ କରନ୍ତି। ହେଲେ ସେମାନେ କିପରି ସେମାନଙ୍କର ଯନ୍ତ୍ରଣା ପ୍ରକାଶ କରନ୍ତି ତାହା ସର୍ବଦା ଏକ ପ୍ରଶ୍ନବାଚୀ ହୋଇ ରହିଛି। ଆମେ ଯେତେ ଅଧିକ ପ୍ରକୃତିକୁ ବୁଝିବାକୁ ଚେଷ୍ଟା କରିବା, ସେତେ ଅଧିକ ନୂଆ ଜିନିଷ ଆମ ସାମ୍ନାକୁ ଆସିବ।

Advertisment

ନିକଟରେ ତେଲ ଆଭିଭ ବିଶ୍ୱବିଦ୍ୟାଳୟ ଦ୍ବାରା କରାଯାଇଥିବା ଏକ ଗବେଷଣାରୁ କିଛି ନୂତନ ତଥ୍ୟ ହସ୍ତଗତ ହୋଇଛି। ‌ଯେଉଁଥିରୁ ଜଣାପଡ଼ିଛି କି ମଣିଷ ପରି ବୃକ୍ଷଲତା ବି ନିଜ ଯନ୍ତ୍ରଣାକୁ ପ୍ରକାଶ କରିଥାନ୍ତି।

ଯେତେବେଳେ ମରୁଡ଼ି, ଉତ୍ତାପ, କୀଟନାଶକ ଆକ୍ରମଣ, ବନ୍ୟା ଇତ୍ୟାଦି ଘଟେ ତ ବୃକ୍ଷଲତା ସେ ସମୟରେ ଝାଉଳି ପଡ଼ିଥାନ୍ତି, ନହେଲେ ପତ୍ର ହଳଦିଆ ହୋଇ ଯାଇଥାଏ। ଯେଉଁମାନଙ୍କର ଗଛଲତା ଉପରେ କିଛି ଜ୍ଞାନ ଥାଏ ସେମାନେ ଦେଖିବା ମାତ୍ରେ ବୁଝିଯାନ୍ତି ଯେ କ’ଣ ସମସ୍ୟା ହୋଇଛି। ସେମାନଙ୍କୁ ଜଳ ଦରକାର କି ଜଳ ଅଧିକ ହୋଇଯାଇଛି ତାହା ଜଣା ପଡ଼ିଯାଏ। ଅଧିକ ସୂର୍ଯ୍ୟୋତାପ ହେତୁ ଏପରି ହୋଇଛି ନା ଉଦ୍ଭିଦଗୁଡ଼ିକୁ ପୋଷକ ତତ୍ତ୍ୱର ଆବଶ୍ୟକତା ଅଛି ତାହା ବି ଜଣାପଡ଼େ।

କିନ୍ତୁ ବହୁତ କମ୍ ଲୋକ ଏକଥା ଜାଣନ୍ତି ଯେ ଯେତେବେଳେ ବୃକ୍ଷଲତା ଯନ୍ତ୍ରଣା ଅନୁଭବ କରନ୍ତି, ସେମାନେ 'ଅଲଟ୍ରାସୋନିକ୍' ଧ୍ୱନି ସୃଷ୍ଟି କରନ୍ତି। ଯାହାକୁ ଆଖପାଖରେ ଥିବା ପ୍ରାଣୀମାନେ ଶୁଣିପାରନ୍ତି। ‌ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଏହି ନୂତନ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ଯନ୍ତ୍ରଣା ସମୟରେ ଉଦ୍ଭିଦମାନେ ନୀରବ ରୁହନ୍ତି ନାହିଁ। ସେମାନେ 'ଅଲଟ୍ରାସୋନିକ୍' ଧ୍ୱନି ବାହାର କରନ୍ତି, ଯାହାର ଫ୍ରିକ୍ୱେନ୍ସି ୨୦ରୁ ୧୦୦ କେଏଚ୍‌ଜେଡ୍‌ ମଧ୍ୟରେ ରହିଥାଏ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏହି ଶବ୍ଦ ତିନିରୁ ପାଞ୍ଚ ମିଟର ଦୂରତା ମଧ୍ୟରେ ଶୁଣିବାକୁ ମିଳେ। ତେବେ ମଣିଷ ଏହାକୁ କ୍ୱଚିତ୍ ଶୁଣିପାରନ୍ତି। ହେଲେ କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଏହି ଶବ୍ଦ ତତ୍‌କ୍ଷଣାତ ଶୁଣିପକାନ୍ତି। ଅନୁମାନ କରାଯାଉଛି ଯେ ବାଦୁଡ଼ି, ମୂଷା ଏବଂ କିଛି ପୋକ ଉଦ୍ଭିଦର ଏହି ଶବ୍ଦକୁ ଶୁଣିପାରନ୍ତି।

କେବଳ ସେତିକି ନୁହେଁ, ପୂର୍ବରୁ କରାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଉଦ୍ଭିଦମାନେ ବି ଅନ୍ୟ ଜୀବମାନଙ୍କ ଦ୍ୱାରା ପ୍ରକାଶିତ ଶବ୍ଦ ଉପରେ ନିଜର ପ୍ରତିକ୍ରିୟା ରଖନ୍ତି। ବୃକ୍ଷଲତାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଏହି ଅନୁସନ୍ଧାନ ନିଶ୍ଚତ ର‌ୂପେ ଏକ ରୋମାଞ୍ଚକର ଅଟେ। ଏହି ଅଧ୍ୟୟନର ଫଳାଫଳ ସେଲ୍ ପତ୍ରିକାରେ ପ୍ରକାଶିତ ହୋଇଛି।

ଏହି ଅନୁସନ୍ଧାନରେ, ଗବେଷକମାନେ ବିଲାତି ବାଇଗଣ ଏବଂ ତମାଖୁ ଉଦ୍ଭିଦ ଉପରେ ଅଧ୍ୟୟନ କରିଛନ୍ତି। ସେମାନେ ଜାଣିବାକୁ ପାଇଲେ ଯେ ଯେତେବେଳେ ଉଦ୍ଭିଦମାନଙ୍କୁ ଉପଯୁକ୍ତ  ପରିମାଣର ଜଳ ଦିଆଯାଏ ଏବଂ ସେଗୁଡିକ କଟା ଯାଇନଥାଏ କିମ୍ବା କୌଣସି କ୍ଷତି କରାଯାଇନଥାଏ ସେମାନେ ଶାନ୍ତ ରହନ୍ତି। ସେହି ସମୟରେ ସେମାନେ ପ୍ରତି ଘଣ୍ଟାରେ କେବଳ ଗୋଟିଏ ଧ୍ୱନି କରନ୍ତି। ଯେତେବେଳେ ଗଛ କଟା ଯାଇଥାଏ, ସେମାନେ ଘଣ୍ଟା ପ୍ରତି ପ୍ରାୟ ୩୫ଟି ଶବ୍ଦ ବାହାର କରିଥାନ୍ତି।