ଲିଙ୍ଗ ପୁରାଣରେ ଦୁଇ ଦେବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିବାର ଉଲ୍ଲେଖ ରହିଛି। ଏଦୁଇ ଦେବ ହେଲେ ଭଗବାନ ବିଷ୍ଣୁ ଏବଂ ମହାଦେବ।
ଭଗବାନ ବିଷ୍ଣୁଙ୍କୁ ପାଳନ କର୍ତ୍ତା ବୋଲି କୁହାଯିବାବେଳ ଶିବଙ୍କୁ ସଂହାରକର୍ତ୍ତା ବୋଲି କୁହାଯାଇଥାଏ। ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ଏ ଦୁଇ ଭଗବାନ ପରସ୍ପରର ପୂଜା କରିଥା’ନ୍ତି। କିନ୍ତୁ ଲିଙ୍ଗ ପୁରାଣରେ ବର୍ଣ୍ଣିତ ଅଛି ,ପାଳନକର୍ତ୍ତା ଏବଂ ସଂହାରକର୍ତ୍ତାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ହିରଣ୍ୟକଶିପୁକୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରିଥିଲେ। ଭଗବାନ ଯେତେବେଳ ନୃସିଂହାବତାର ରୂପ ନେଲେ,ସେତେବେଳେ ସମସ୍ତେ ଭୟଭୀତ ଓ ଭୀତତ୍ରସ୍ତ ହେଲେ। ଭଗବାନ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦକୁ ରକ୍ଷା କରି ହିରଣ୍ୟକଶିପୁକୁ ମାରିବାପରେ ମଧ୍ୟ ତାଙ୍କର କ୍ରୋଧ ଶାନ୍ତ ହେଲା ନାହିଁ। ସେ ସେହି ସମୟ ମହାଦେବଙ୍କ ନିକଟରେ ପହଞ୍ଚିଲେ।
ଦେବଗଣ ଓ ମନୁଷ୍ୟଗଣ ନୃସିଂହ ଅବତାରରେ ଭୟଭୀତ ହେବାର ଦେଖି ଶିବ ତାଙ୍କର ଅଂଶ ବୀରଭଦ୍ରଙ୍କୁ ଭଗବାନ ବିଷ୍ଣୁଙ୍କ କ୍ରୋଧ ଶାନ୍ତ କରିବାର ଆଦେଶ ଦେଲେ। ବୀରଭ୍ରଦ ଭଗବାନ ନୃସିଂହଙ୍କ ନିକଟରେ ତାଙ୍କର ସ୍ତୁତିଗାନ କରିବାରେ ଲାଗିଲେ,କିନ୍ତୁ ନୃସିଂହଙ୍କର କ୍ରୋଧାଗ୍ନି ଶାନ୍ତ ହେଲା ନାହିଁ।ଏହାପରେ ବୀରଭଦ୍ର ଉତ୍କ୍ଷିପ୍ତ ହୋଇଉଠିଲେ। ଶିବଙ୍କ କୃପାରେ ବୀରଭ୍ରଦଙ୍କ ରୂପ ଅତ୍ୟନ୍ତ ଭୟାନକ,ବ୍ୟାପକ ତଥା ବିସ୍ତୃତ ହୋଇଗଲା। ଭଗବାନ ଶିବ ତାଙ୍କ ଲାଞ୍ଜରେ ନୃସିଂହଙ୍କୁ ଗୁଡ଼ାଇ ଛାତିରେ ପ୍ରହାର କରି ଉଡ଼ିବାରେ ଲାଗିଲେ। ତା’ପରେ ଯାଇ ନୃସିଂହଙ୍କ କ୍ରୋଧାଗ୍ନି ଶାନ୍ତ ହୋଇଥିଲା। ସେହି ସମୟରେ ଶଙ୍କରଙ୍କର ରୂପ ଅଧାମୃଗ ତଥା ଶେଷ ଶରଭ ପକ୍ଷୀ ଭଳି ହୋଇଯାଇଥିଲ। । ଭଗବାନ ଶଙ୍କରଙ୍କର ଏହି ଅବତାର ଚପଳତା,ଶକ୍ତି ତଥା ବୁଦ୍ଧିର ପ୍ରତୀକ ଅଟେ।
ଏଥିରୁ ଶିକ୍ଷା ମିଳିଲା ଯେ,କୌଣସି ବଳଶାଳୀ ଲୋକ ସହିତ ଯୁଦ୍ଧ କରିବାକୁ ଯାଉଛେ,ତେବେ ପ୍ରଥମେ ନିଜକୁ ପରିପକ୍ୱ କରିବାକୁ ହେବ। ତା’ ହେଲେ ଆମର ବିଜୟ ସୁନିଶ୍ଚିତ ହୋଇପାରିବ। ଭଗବାନ ଶିବଙ୍କର ଏହି ଅବତାରରେ ଥିବା ମୃଗ ଫୁର୍ତ୍ତି ତଥା ଶରଭ ପକ୍ଷୀ ବୁଦ୍ଧି ଓ ଶକ୍ତିର ପରିଚାୟକ ଅଟନ୍ତି।