କେବଳ ନିଜ ନାମରେ ବ୍ୟାଙ୍କ୍ ଖାତା ନଖୋଲି ଏକାଧିକ ବ୍ୟକ୍ତି ମିଶି ସଂଯୁକ୍ତ ଖାତା ବା ଜଏଣ୍ଟ୍ ଆକାଉଣ୍ଟ୍ ଖୋଲିବାର ସୁବିଧା ସବୁ ବ୍ୟାଙ୍କ୍ରେ ରହିଛି। ସାଧାରଣତଃ ପରିବାରର ସଦସ୍ୟମାନେ, ସ୍ବାମୀ-ସ୍ତ୍ରୀ, ପିତାମାତା-ସନ୍ତାନସନ୍ତତି ବା ବ୍ୟବସାୟରେ ଅଂଶୀଦାରମାନେ ମିଶି ଏଭଳି ସଂଯୁକ୍ତ ଖାତା ଖୋଲିବାର ଦେଖାଯାଏ। ଆସନ୍ତୁ ଜାଣିବା, କ’ଣ ରହିଛି ଏଭଳି ଖାତା ଖୋଲିବାର ନିୟମ।
ଦୁଇ ବା ତଦୂର୍ଦ୍ଧ୍ବ ବ୍ୟକ୍ତି ମିଶି ସଂଯୁକ୍ତ ଖାତା ଖୋଲିପାରିବେ।
ସେଭିଙ୍ଗସ୍ ଓ କରେଣ୍ଟ୍ ଆକାଉଣ୍ଟରୁ ଆରମ୍ଭ କରି ଫିକ୍ସଡ୍ ଡିପୋଜିଟ୍, ଏପରିକି ଋଣ ଖାତା ମଧ୍ୟ ସଂଯୁକ୍ତ ଭାବରେ ଖୋଲା ଯାଇପାରିବ।
ସଂଯୁକ୍ତ ଖାତା ଖୋଲିବା ସମୟରେ ସମସ୍ତ ଖାତାଧାରକଙ୍କୁ ନିଜର କେୱାଇସି ଦସ୍ତାବିଜ ଦାଖଲ କରିବାକୁ ପଡ଼େ ଏବଂ ଖାତା ପରିଚାଳନା କିଏ କରିବେ ସେଥିପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ପଡ଼େ।
ଖାତା ପରିଚାଳନା ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ଭିତ୍ତିରେ ସଂଯୁକ୍ତ ଖାତାର ପ୍ରକାରଭେଦ ରହିଛି।
ସମସ୍ତ ଖାତାଧାରକଙ୍କ ସମ୍ମତି ବିନା କୌଣସି କାରବାର କରି ହେଉ ନଥିବା ଖାତାକୁ ‘ଜଏଣ୍ଟଲି ଅପରେଟେଡ୍ ଆକାଉଣ୍ଟ୍’ କୁହାଯାଏ।
ଏହାଛଡ଼ା ଦୁଇଜଣଙ୍କ ମଧ୍ୟରୁ ‘ଯେ କେହି ବା ଉତ୍ତରଜୀବୀ’ (ଆଇଦର୍ ଅର୍ ସର୍ଭାଇଭର୍) ଖାତା ମଧ୍ୟ ରହିଛି। ଏଥିରେ ଦୁଇଜଣ ଖାତାଧାରକ ଥାଆନ୍ତି ଏବଂ ତାଙ୍କ ମଧ୍ୟରୁ ଯେ କେହି କାରବାର କରିପାରନ୍ତି। ଜଣକର ମୃତ୍ୟୁ ହେଲେ ବଞ୍ଚି ରହିଥିବା ବ୍ୟକ୍ତି ହିଁ କାରବାର କରନ୍ତି।
ସେହିପରି ‘ଫର୍ମର୍ ଅର୍ ସର୍ଭାଇଭର୍’, ‘ଲାଟର୍ ଅର୍ ସର୍ଭାଇଭର୍’ ଓ ‘ଏନିୱାନ୍ ଅର୍ ସର୍ଭାଇଭର୍’ ଆଦି ସଂଯୁକ୍ତ ଖାତା ଖୋଲିବାର ସୁବିଧା ମଧ୍ୟ ରହିଛି।
ଖାତା ବନ୍ଦ କରିବା ପାଇଁ ବା ଖାତା ପରିଚାଳନା ନିର୍ଦ୍ଦେଶରେ ପରିବର୍ତ୍ତନ କରିବା ପାଇଁ ସମସ୍ତ ଖାତା ଧାରକଙ୍କୁ ସମ୍ମତି ଦେବାକୁ ପଡ଼େ।
ସଂଯୁକ୍ତ ଖାତା ଖୋଲିବାର ସବୁଠାରୁ ବଡ଼ ସୁବିଧା ହେଲା ଏଥିରେ କୌଣସି ଜଣେ ବ୍ୟକ୍ତି ଉପରେ ନିର୍ଭରଶୀଳ ନହୋଇ ସହଜରେ କାରବାର କରିହୁଏ ଏବଂ ସମ୍ମିଳିତ ଆୟ ଗୋଟିଏ ଖାତାରେ ରଖି ବ୍ୟାଙ୍କ କାରବାର ଖର୍ଚ୍ଚ କମାଇହୁଏ। ପୁଣି ଖାତା ଉପରେ ସମସ୍ତ ଖାତାଧାରକଙ୍କ ନଜର ରହୁଥିବାରୁ କେହି ଜଣେ ମନମାନି କରିବାର ଆଶଙ୍କା ମଧ୍ୟ କମ୍ ରହେ।
ତେବେ ଖାତାଧାରକଙ୍କ ମଧ୍ୟରେ ମନୋମାଳିନ୍ୟ ବା ବିବାଦ କ୍ଷେତ୍ରରେ ସଂଯୁକ୍ତ ଖାତା ପରିଚାଳନାରେ ବିଭ୍ରାଟ ଦେଖାଦିଏ। ଏଣୁ ଏଥିନେଇ ସତର୍କ ରହିବା ଉଚିତ।