ସାମାଜିକ ଗଣମାଧ୍ୟମରେ ସର୍ବଦା ଏଭଳି ଭିନ୍ନ ସ୍ବାଦର ଭିଡିଓ କ୍ଲିପିଂ ଘୂରିବୁଲେ, ଯେଉଁଥିରେ ବିଶେଷ କରି ପଶୁପକ୍ଷୀମାନଙ୍କର କୌତୁକିଆ ଆଚରଣ ଦେଖିବାକୁ ମିଳିଥାଏ। ଏହି କ୍ରମରେ ସାମାଜିକ ଗଣମାଧ୍ୟମ ‘ଇନ୍‌ଷ୍ଟାଗ୍ରାମ୍‌’ରେ ନିକଟରେ ପ୍ରସାରିତ ହୋଇଥିବା ଏକ ଭିଡିଓ ଏବେ ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଛି। ଏଥିରେ ଗୋଟିଏ କୁକୁରର ଭୁକିବା ଶୁଣି ସିଂହଟିଏ ସ୍ଥାନ ଛାଡ଼ି ଅନ୍ୟତ୍ର ଚମ୍ପଟ ମାରିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ମୁଗ୍‌ଧ କରିଛି। ଲୋକକଥା ‘ବାଘର ବି ଫାଗକୁ ଡର’ ସତ ସାବ୍ୟସ୍ତ ହୋଇଛି।

Advertisment

ଅର୍ଥାତ୍‌ ବେଳେ ବେଳେ କୌଣସି ପ୍ରବଳ ପ୍ରତାପୀ ବାହୁବଳିର ବି ଜଣେ ଅନାମଧ୍ୟେୟ କ୍ଷୀଣ ଦୁର୍ବଳ ପ୍ରାଣୀ ପ୍ରତି ଭୟ ସଂଚାର ହୋଇଥାଏ। ସିଂହକୁ ସାଧାରଣତଃ ଜଙ୍ଗଲର ରାଜା କୁହାଯାଏ। ତେଣୁ କୌଣସି ପରିସ୍ଥିତିରେ ସେ ଆଉ କାହା ପାଖରେ ମୁଣ୍ଡ ନୁଆଁଇବା ଆଶଙ୍କା ଆଦୌ ନଥାଏ। ମାତ୍ର ଖୁବ୍‌ ଲୋକପ୍ରିୟ ହୋଇଥିବା ଉକ୍ତ ଭିଡିଓରେ କୁକୁରଠାରୁ ସିଂହର ପଶ୍ଚାତ୍‌ଧାବନ ହିଁ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଥମେ ସିଂହଟି କୁକୁର ଆଡ଼କୁ ମାଡ଼ି ଆସି ତାହାକୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଛି। ତେବେ ଏଥିରେ କୁକୁରଟି ଭୟଭୀତ ହୋଇ ଦୌଡ଼ି ପଳାଇବା ବଦଳରେ ସାହସ ସଂଚୟ କରି ଭୁକିବା ଆରମ୍ଭ କରିଛି ଏବଂ ସିଂହ ଆଡ଼କୁ ପ୍ରତିଆକ୍ରମଣ ପାଇଁ ଆଗେଇ ଯାଉଛି। ଏଥିରେ ସିଂହଟି ପଛଘୁଞ୍ଚା ଦେଇଥିବା ବେଳେ କୁକୁରଟି ବେଶୀ ବେଶୀ ଭୁକିବା ସହ ଆହୁରି ଆଗକୁ ମାଡ଼ି ଯାଉଛି। ଶେଷରେ ସିଂହଟି ସେଠାରୁ ପଳାଇ ଯାଇଛି। ଉକ୍ତ ଭିଡିଓଟି ଛଡ଼ାଯିବାର କିଛି ସମୟ ଭିତରେ ତାହାକୁ ୧୫ ଲକ୍ଷ ଅନୁଗାମୀ ଦେଖିବା ସହ ୭୩,୦୦୦ରୁ ଅଧିକ ପସନ୍ଦ କରିଛନ୍ତି ଏବଂ ଅନେକ ଲୋକ ମଜାଦାର ଟିପ୍ପଣୀ କରିଛନ୍ତି।