ମଦ ପୋଛୁଛି ମଥା ସିନ୍ଦୂର : ଆଉ କେତେ ମହିଳା ଭୋଗିବେ ବୈଧବ୍ୟ ଯନ୍ତ୍ରଣା!

କାହା ମୁଣ୍ଡରୁ ସିନ୍ଦୂର ପୋଛି ଦେଉଛି ତ କାହାର ଭେଣ୍ଡିଆ ପୁଅକୁ ଅକାଳରେ ଛଡ଼ାଇ ନେଉଛି। କେଉଁଠି ବାପା-ପୁଅ ଲଢ଼େଇ ତ କେଉଁଠି ସ୍ବାମୀ-ସ୍ତ୍ରୀ ପିଟାପିଟି। ପୁଣି ରାସ୍ତାରେ ଗାଡ଼ି ଧକ୍କାରେ ଝଡ଼ି ଯାଉଛି ବହୁ ଅମୂଲ୍ୟ ଜୀବନ। ‘ମଦ’ ପାଇଁ ନିଇତି ଏମିତି ‌ଅଘଟଣ ଘଟୁଛି ରାଜ୍ୟରେ। କେବଳ ବ୍ୟକ୍ତିଗତ କ୍ଷେତ୍ରରେ ନୁହେଁ, ସାମାଜିକ କ୍ଷେତ୍ରରେ ବି ମଦ କେତେ ଗୁଣ କ୍ଷତି କରୁଛି ତାହା ଆକଳନ କରିବା ମୁସ୍କିଲ୍‌। ତଥାପି ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ସାହସ ଜୁଟାଇ ପାରୁ ନାହାନ୍ତି। ରାଜ୍ୟ ବଜେଟ୍‌ର ଅତି ନଗଣ୍ୟ ପ୍ରତିଶତ ରାଜସ୍ବ ମଦ ବିକ୍ରିରୁ ଆସେ। ଏତିକି ଅର୍ଥ ପାଇଁ ସରକାର ସାମାଜିକ ସ୍ତରରେ ହେଉଥିବା ବିଶାଳ ବିଭ୍ରାଟକୁ ଆଖି ବୁଜିଦେବା ସମସ୍ତଙ୍କୁ ବିସ୍ମିତ କରୁଛି।

ଆଉ କେତେ ମହିଳା ଭୋଗିବେ ବୈଧବ୍ୟ ଯନ୍ତ୍ରଣା!
ସୁନ୍ଦରଗଡ଼ : ମଦରୁ ମଶାଣି ବେଶୀ ବାଟ ନୁହେଁ। ବିଶେଷ କରି ଗରିବ ଓ ମଜୁରିଆ ପାଇଁ ଏହି ବାଟ ଆହୁରି ନିକଟ। ଏହାର ସତ୍ୟତାକୁ ମର୍ମେ ମ‌ର୍ମେ ଅନୁଭବ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକ୍‌ସ୍ଥ ବିଲେଇମୁଣ୍ଡାର ଲୋକମାନେ। ସେମାନେ ଦେଖିଛନ୍ତି କେମିତି ଘରର ଭେଣ୍ଡିଆ ପୁଅ ଅସମୟରେ ଶୋଇଯାଏ କୋକେଇରେ ଓ ସଂସାର ଗଢ଼ିବାକୁ ଏଇ ଏଇ ପାଦ ଥାପିଥିବା ନୂଆବୋହୂ ହାତରୁ କେମିତି ଭାଙ୍ଗିଯାଏ କାଚ, ପୋଛି ହୋଇଯାଏ ମଥାର ସିନ୍ଦୂର। ଆଖି ଆଗରେ ଗାଁରେ ଗୋଟିଏ ପରେ ଗୋଟିଏ ସଂସାରକୁ ଉଜ‌ାଡ଼ି ଦେଇଛି ମଦ। ଅନେକ ପରିବାରର ରୋଜଗାରିଆ ସ୍ବାମୀ, ପୁଅ ମଦଭାଟିରେ ସବୁ ରୋଜଗାର ଢାଳି ଦିଅନ୍ତି, ଘରକୁ ଡାକିଆଣନ୍ତି ଭୋକ ଓ ରୋଗ। ସମର୍ଥ ପୁରୁଷମାନେ ପିଇ ପିଇ ଅଳ୍ପ ବୟସରେ ଅକାଳରେ ଆରପାରିକୁ ଚାଲି ଯାଆନ୍ତି। ଏଇ କାରଣରୁ ଗାଁର ବହୁ ମହିଳା ବର୍ତ୍ତମାନ ଅଳ୍ପ ବୟସରୁ ଭୋଗୁଛନ୍ତି ବୈଧବ୍ୟ ଦୁଃଖ।

ବି‌ଲେଇମୁଣ୍ଡା ରାଜାପଡ଼ାର ଜଣେ ମହିଳା‌ ହେଲେ କଳାବତୀ ମାଝୀ। ବିବାହର ମାତ୍ର କିଛି ବର୍ଷ ମଧ୍ୟରେ କହ୍ନେଇ ମାଝୀଙ୍କର ମୃତ୍ୟୁ ଘଟିଲା ଏଇ ମଦ ଯୋଗୁଁ। ଏବେ ବୈଧବ୍ୟ ଯନ୍ତ୍ରଣାରେ କଲବଲ ହେଉଥିବା କଳାବତୀଙ୍କ ଉପରେ ସାରା ପରିବାରର ବୋଝ। କେବଳ ଏକା କଳାବତୀ ନୁହନ୍ତି; ତାଙ୍କ ପରି ପ୍ରିୟାବତୀ ବାଗ, ପଦ୍ମାବତୀ ମାଝୀ, ଦୁଶୀଲା ନାଏକ, କୁମାରୀ ବାଗ, ଅଷ୍ଟମୀ ମାଝୀ ଓ ରେଖା ନାଏକ ଆଦି ଆହୁରି ଅନେକ ମହିଳା ଅଳ୍ପ ବୟସରେ ବୈଧବ୍ୟ ଦୁଃଖରେ ଛଟପଟ ହୋଇ ରହିଛନ୍ତି। ଏ ମଦ ଯନ୍ତ୍ରଣା ବିଲେଇମୁଣ୍ଡାର ପଡ଼ୋଶୀ ଗାଁକୁ ମଧ୍ୟ ଡେଇଁ ଯାଇଛି। ନିକଟରେ ଥିବା ଲୁଆବାହାଲ ଓ ଚକରାରେ ମଧ୍ୟ ଦେଖିବାକୁ ମିଳିଛି ସେହି ସମାନ ଚିତ୍ର। ଲୁଆବାହାଲର ସାବିତ୍ରୀ ଗୁରୁ, କୁଞ୍ଜଲତା ଗୁରୁ, ମାଳତୀ ଦୁରିଆ, ପୂର୍ଣ୍ଣିମା ଶୁଲି, ଦୁତୀୟା ସେଠ ଏବଂ ଚକରାର ଜାନକୀ ନାଏକ, ସାବିତ୍ରୀ ନାଏକ, ବିଶଲ୍ୟା ସେଟ୍, ନଳିନୀ ମାଝୀ, ଦେବକୀ ପଧାନ, ମାମିନା ପାତ୍ର ଓ ନିଦ୍ରାବତୀ ପାଣ୍ଡେ ପ୍ରମୁଖ ଅଳ୍ପ ବୟସରେ ସ୍ବାମୀଙ୍କୁ ହରାଇଛନ୍ତି। ସବୁରି ମୂଳରେ ଅଛି ମଦ। କେବଳ ଗାଁଗୁଡ଼ିକରେ ନୁହେଁ, ସୁନ୍ଦରଗଡ଼ ସହରର ଗାନ୍ଧୀନଗରରେ ଅଳ୍ପ ବୟସ୍କା ବିଧବାଙ୍କ ସଂଖ୍ୟା ଅଧିକ। ଏଠାରେ ଥିବା ବିଧବାଙ୍କ ଭିତରୁ ପ୍ରାୟ ୫୦ ଭାଗ ମହିଳାଙ୍କ ହାତରୁ ଚୁଡ଼ି ଓ ମଥାରୁ ସିନ୍ଦୂର ପୋଛି ନେବାରେ ମଦ ହିଁ ମୁଖ୍ୟ ଭୂମିକା ନେଇଛି। ତେବେ ଏସବୁକୁ ଯେ ବିରୋଧ କରାଯାଇ ନାହିଁ, ତାହା ନୁହେଁ। ମଦରେ ଗୁରୁତର ପ୍ରଭାବିତ ବିଲେଇମୁଣ୍ଡାବାସୀ ମଦ ବିରୋଧୀରେ ସ୍ବର ଉଠାଇଥିଲେ। ୨୦୧୬ ଏପ୍ରିଲରୁ ଆରମ୍ଭ ହୋଇଥିଲା ଗଣ ଆନ୍ଦୋଳନ। ଅଞ୍ଚଳରେ ଥିବା ଦେଶୀ ଓ ବିଦେଶୀ ମଦ ଭାଟି ଉଠାଇନେବାକୁ ଦାବି କରିଥିଲେ ଆନ୍ଦୋଳନକାରୀ। ଏଥିରେ ବହୁ ସାମାଜିକକର୍ମୀ, ସ୍ବେଚ୍ଛାସେବୀ ଓ ମହିଳା ସାମିଲ ହୋଇଥିଲେ। ବର୍ଷେରୁ ଅଧିକ ସମୟ ଧାରଣାରେ ବସି ରହିଲେ ଆନ୍ଦୋଳନକାରୀ। ଯାହା ସମଗ୍ର ରାଜ୍ୟରେ ମଦ ବିରୋଧୀ ଆନ୍ଦୋଳନରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା। ୯୦ ଦଶକରେ ଧରୁଆଡିହିର ସିଂହବାହିନୀ ଯୁବକ ସଂଘର ବହୁ ଚର୍ଚ୍ଚିତ ମଦ ବିରୋଧୀ ଆନ୍ଦୋଳନ ପରେ ବିଲେଇମୁଣ୍ଡାର ଆନ୍ଦୋଳନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା। ତେବେ ଧରୁଆଡିହି ଆନ୍ଦୋଳନରେ ଦୁଇଟି ନେତୃତ୍ବଙ୍କ ମୁଣ୍ଡ ବଳି ପଡ଼ିଥିଲା। ଆନ୍ଦୋଳନର ନେତ୍ରୀ କୁଲଟା ପଞ୍ଚାୟତର ସମିତିସଭ୍ୟା ଉମିଳା କଅଁର ଓ ସିଂହବାହିନୀ ଯୁବକ ସଂଘ ସମ୍ପାଦକ ଆନ୍ଦୋଳନର ପୁରୋଧା ଡିଲେଶ୍ବର ଦଣ୍ଡସେନାଙ୍କୁ ମଦ ମାଫିଆମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସେତେବେଳେ ଘଟଣାଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମଦ ବିରୋଧୀଙ୍କ ସପକ୍ଷରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ। ହତ୍ୟାର ପ୍ରତିବାଦରେ ଧରୁଆଡିହି ଥାନାକୁ ‌ପୋଡ଼ି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ଅଭିଯୁକ୍ତମାନେ ଗିରଫ ହୋଇଥିଲେ। ଅନ୍ୟପଟେ ହତ୍ୟା ପରେ ମଧ୍ୟ ଥମି ନଥିଲା ଆନ୍ଦୋଳନ। ସମ୍ପୃକ୍ତ ଅଞ୍ଚଳରେ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।

ତେବେ ବିଲେଇମୁଣ୍ଡା ଆନ୍ଦୋଳନକୁ ମଧ୍ୟ ଭଣ୍ଡୁର କରିବାକୁ ସକ୍ରିୟ ହୋଇଥିଲେ ମଦ ମାଫିଆ। ଗଣଧାରଣାସ୍ଥଳରେ ଲାଗିଥିବା ଟେଣ୍ଟକୁ ପୋଡ଼ି ଦିଆଯାଇଥିଲା। ସଂଖ୍ୟାଧିକ ମଦ ବିରୋଧୀ ନେତାଙ୍କ ସହ ଆନ୍ଦୋଳନକାରୀଙ୍କ ନାମରେ ମିଥ୍ୟା ଏତଲା ଦିଆଯାଇଥିଲା। ସେପଟେ ଲୋକଙ୍କ ଦାବି ଓ ପଞ୍ଚାୟତ ଗ୍ରାମସଭାରେ ମଦ ଭାଟି ଉଚ୍ଛେଦ ପାଇଁ ସୁପାରିସ ସତ୍ତ୍ବେ ପ୍ରଶାସନ ମଦ ଦୋକାନୀକୁ ଆଖି ବୁଜି ସମର୍ଥନ ଦେଇଥିଲା। ବର୍ଷେ ପରେ ୨୦୧୭ ଏପ୍ରିଲରେ ଧାରଣାରୁ ଓହରି ଯାଇଥିଲେ ମଦ ବିରୋଧୀ। କିନ୍ତୁ ସ୍ବର ଥମି ନଥିଲା। ଚଳିତ ବର୍ଷ ମଧ୍ୟ ମଦ ଦୋକାନ ହଟାଇବା ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ବିଲେଇମୁଣ୍ଡାବାସୀ। ବିଲେଇମୁଣ୍ଡାର ଦୀର୍ଘ ଆନ୍ଦୋଳନ ଜିଲ୍ଲାର ଅନ୍ୟ ବ୍ଲକ୍‌ ଓ ପଞ୍ଚାୟତରେ ପ୍ରଭାବ ପକାଇଛି। ଏବେ ସମଗ୍ର ଜିଲ୍ଲାରେ ମହିଳାମାନେ ମଦ ବିରୋଧରେ ସ୍ବର ତୋଳିଛନ୍ତି। ସବୁଠି ମଦ ଦୋକାନ ଉଚ୍ଛେଦ ପାଇଁ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଶେଷ କରି ବଡ଼ଗାଁ, ବାଲିଶଙ୍କରା, ଲେଫ୍ରିପଡ଼ା, କୁତ୍ରା, ସୁନ୍ଦରଗଡ଼, ଟାଙ୍ଗରପାଲି ଅଞ୍ଚଳରେ ଚୋରା ମଦ କାରବାର ସହିତ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ହଟାଇବାକୁ ଦାବି ଉଠିଛି। ପୂରା ଜିଲ୍ଲାକୁ ମଦମୁକ୍ତ କରିବାକୁ ମହିଳାମାନଙ୍କ ସ୍ବର ତେଜିୟାନ ହୋଇଛି। ତେବେ ମଦ ମଣିଷକୁ ତିଳତିଳ କରି ମାରୁଥିଲେ ମଧ୍ୟ ସରକାର ରାଜସ୍ବ ସଂଗ୍ରହ ନିଶାରେ ଏସବୁକୁ ଆଖି ବୁଜି ଦେଉଛନ୍ତି।

ସମ୍ବନ୍ଧିତ ଖବର