ଦୋକାନରେ ମଦ ନାହିଁ, ଅବକାରୀ ବିଭାଗ ପାଖରେ ହିସାବ ନାହିଁ

ଭୁବନେଶ୍ବର : ମଦ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ନିୟମ ରହିଛି। ମାସିକ କିଏ କେତେ ବିକ୍ରି କରିବ ସେଥିପାଇଁ ମିନିମମ୍‌ ଗ୍ୟାରେଣ୍ଟେଡ୍‌ କୋଟା (ଏମ୍‌ଜିକ୍ୟୁ) ଧାର୍ଯ୍ୟ ହୋଇଛି। ପାନୀୟ ନିଗମ ଜରିଆରେ ସରକାର ମଦ ଯୋଗାଉଛନ୍ତି। କେଉଁଦିନ କିଏ କେତେ ବିକ୍ରି କଲା ତାହା ଲେଖାଯାଉଛି। ଅବକାରୀ ବିଭାଗ ତାହାର ହିସାବ ନେଉଛି। ହିସାବରେ ଗଡ଼ବଡ଼ ହେଲେ ବ୍ୟବସାୟୀ ଉପରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି।

ହେଲେ କୋଭିଡ୍‌-୧୯ ମୁକାବିଲା ପାଇଁ ଜାରି ରହିଥିବା ତାଲାବନ୍ଦ ସମୟରେ ମଦ ଦୋକାନ ବନ୍ଦ ଥିବା ସମୟରେ କେମିତି ଦୋକାନ ଖାଲି ହୋଇଗଲା। ବନ୍ଦ ସମୟରେ ପେଟି ପେଟି ମଦ ବେଆଇନ ଭାବରେ ବିକ୍ରି ହୋଇଯାଇଛି କି? ଅବକାରୀ ବିଭାଗ ପାଖରେ ଏ ଖବର ନାହିଁ।

ଅବକାରୀ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ସୂଚନା ମୁତାବକ, ପ୍ରତି ଦୋକାନୀଙ୍କର ଏମ୍‌ଜିକ୍ୟୁ ଧାର୍ଯ୍ୟ ହୋଇଛି। ଏହି କୋଟାରୁ କମ୍‌ ବିକ୍ରି କଲେ ସରକାରଙ୍କୁ ଅତିରିକ୍ତ କର ଦେବାକୁ ପଡ଼ିଥାଏ। ଧାର୍ଯ୍ୟ ଏମ୍‌ଜିକ୍ୟୁ କେଉଁ ଦୋକାନରେ ବିକ୍ରି ହେଉନଥିବା ବେଳେ ଅନ୍ୟ କେଉଁ ଦୋକାନ‌ରେ ଏମ୍‌ଜିକ୍ୟୁ ଠାରୁ ଅଧିକ ଆବଶ୍ୟକ ପଡ଼ିଥାଏ। କିନ୍ତୁ କାଗଜପତ୍ରରେ ଏମାନେ ଏମ୍‌ଜିକ୍ୟୁ ପରିମାଣ ବିକ୍ରି କରୁଥିବା ଦର୍ଶାଇ ଥାଆନ୍ତି। ଏହା ବିଭାଗର ଗୋଚରରେ ହୋଇଥାଏ। କେତେ ଆଣିଲେ କେତେ ବିକିଲେ ଏହାର ହିସାବ ପ୍ରତିଦିନ ବିଭାଗ ପାଖକୁ ଆସିବାକୁ ଥିଲେ ମଧ୍ୟ ଏହା କେବଳ ବର୍ଷ ଶେଷରେ ରିଟର୍ଣ୍ଣ ଦାଖଲ କଲା ବେଳେ ଏକାଥରକେ ଆସେ। ପ୍ରତିଦିନ ହିସାବ ଆସିଲେ ଦୋକାନୀ ନକଲି ମଦ ବିକ୍ରି କରିପାରିବ ନାହିଁ। ସରକାରଙ୍କର ରାଜସ୍ବ କ୍ଷତି ହେବ ନାହିଁ। କିନ୍ତୁ ବର୍ଷ ବର୍ଷ ଧରି ଏଭଳି ବେପାର ଚାଲିଥାଏ। ବିଭିନ୍ନ ଛୁଟି ପୂର୍ବରୁ ଦୋକାନ ଗୁଡ଼ିକ ସରକାରୀ ଭାବରେ ସିଲ୍‌ କରାଯାଇଥାଏ। ତାଲା ବନ୍ଦ ପୂର୍ବରୁ ଘୋଷଣା କରାଯାଇଥିଲେ ମଧ୍ୟ ବିଭାଗ ସିଲ ନକରି ଏହି ଚୋରା ବେପାରକୁ ସୁଯୋଗ ଦେଇଥାନ୍ତି। ତେବେ ଏହି ଏମ୍‌ଜିକ୍ୟୁ ତୁଳନାରେ କେତେ କିଣା ହୋଇଥିଲା କେତେ ବିକ୍ରି ହେଲା ତାହାର ଏବେ ଦୋକାନୱାରୀ ହିସାବ ହେଲେ ଚୋରି ଧରାପଡ଼ିବ ବୋଲି ସେ କହିଛନ୍ତି।

ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ଷ୍ଟକ୍‌ ଅଚାନକ୍‌ ଯାଞ୍ଚ ହୋଇଥାଏ। ଅନେକ ସମୟରେ କାର୍ଯ୍ୟାନୁଷ୍ଠାନ ନଜିର ରହିଛି। ଏଥର ମଧ୍ୟ ଖୋଲିବା ପରେ ଯାଞ୍ଚ ହେବ। ମାଲ ଉଠାଣ ଓ ଷ୍ଟକ୍‌ ଥିବା ମାଲ୍‌ରୁ ବିକ୍ରିର ହିସାବ ମେଳ ନଖାଇଲେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର