ଉତ୍ତମ ସଂଗୀତ ଶ୍ରୁତିମଧୁର ହେବା ସହ ମନରେ ଶାନ୍ତି ଜାଗ୍ରତ କରାଇଥାଏ। ତେବେ ଉଚ୍ଚସ୍ବରରେ ସଂଗୀତ ଶୁଣିଲେ ଶ୍ରବଣ ବିଶୃଙ୍ଖଳା ଦେଖାଦେବା ସହ ସ୍ଥଳବିଶେଷରେ ଶ୍ରବଣଶକ୍ତି ହରାଇବାକୁ ପଡ଼ିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇ ଆସୁଛନ୍ତି। ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅଳକା ୟାଗ୍ନିକ ମଧ୍ୟ ଏଭଳି ଶ୍ରବଣ ସମସ୍ୟାର ଶିକାର ହୋଇଛନ୍ତି। କିଛି ଦିନ ତଳେ ଅଳକା ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଅବସ୍ଥା ସମ୍ପର୍କରେ ଜଣାଇଥିଲେ। ଶୁଣିବାରେ ହଠାତ୍ ସମସ୍ୟା ଦେଖାଦେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। କ୍ରମେ ସେ କିଛି ବି ଶୁଣିପାରିନଥିଲେ। ତେବେ ପରୀକ୍ଷା ନିରୀକ୍ଷା ପରେ ତାହା ଏକ ବିରଳ ଭୂତାଣୁ ଜନିତ ସ୍ନାୟବିକ ଶ୍ରବଣହୀନତା ବୋଲି ଜଣାପଡ଼ିଥିଲା। ଚିକିତ୍ସା ପରେ ସେ ଧୀରେଧୀରେ ତାଙ୍କ ଶ୍ରବଣ ଶକ୍ତି ଫେରି ପାଉଛନ୍ତି। ଏଥି ସହିତ ସଂଗୀତପ୍ରେମୀମାନେ ଉଚ୍ଚ ସ୍ବରରେ ସଂଗୀତ ନଶୁଣିବା ପାଇଁ ଅଳକା ପରାମର୍ଶ କରିଛନ୍ତି।

Advertisment

ବିଶେଷଜ୍ଞଙ୍କ କହିବାନୁଯାୟୀ, କର୍ଣ୍ଣ ଗହ୍ବରରେ ବିଭିନ୍ନ କୋଷ ଓ କ୍ଷୁଦ୍ର ଲୋମରାଶି ରହିଛି, ଯାହା ଆମକୁ ଶୁଣିବାରେ ସାହାଯ୍ୟ କରିଥାଏ। ତେବେ ଦୀର୍ଘ ସମୟ ଧରି ଉଚ୍ଚ ସ୍ବରରେ ସଂଗୀତ ଶୁଣିବା ଦ୍ବାରା ସେଗୁଡ଼ିକର କ୍ଷତି ଘଟିଥାଏ। ଆମ କାନ ପାଇଁ ୭୦ ଡେସିବଲ୍‌ ତୀବ୍ରତାର ଶବ୍ଦ ନିରାପଦ। ସେଥିରୁ ଅଧିକ ଡେସିବଲ୍‌ ଶ୍ରବଣଶକ୍ତି ନଷ୍ଟ କରିଦେବାର ଆଶଙ୍କା ରହିଛି। ସେହିପରି ଏକାଦିକ୍ରମେ ସଂଗୀତ ଶୁଣିବା ଅବଧିକୁ କମାଇବା ସହ ଶ୍ରବଣ ବିଶୃଙ୍ଖଳାର କୌଣସି ପ୍ରକାର ଲକ୍ଷଣ ଦେଖାଗଲେ ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରି।