ହାର୍ଭାର୍ଡ ମେଡିକାଲ୍ ସ୍କୁଲର ଦଳେ ଗବେଷକ ଅଲ୍ଝାଇମର୍ସ ରୋଗ ଚିକିତ୍ସାରେ ନୂତନ ଆଶା ସଂଚାର କରିଛନ୍ତି। ମସ୍ତିଷ୍କରେ ଲିଥିଅମ୍ ସ୍ତର ଏହି ଅବସ୍ଥା ସହିତ ଘନିଷ୍ଠ ଭାବରେ ଜଡ଼ିତ ଏବଂ ଲିଥିଅମ୍ ପରିପୂରକଗୁଡ଼ିକ ମୂଷା ଠାରେ ଅଲ୍ଝାଇମର୍ସଜନିତ ସ୍ମୃତି ହ୍ରାସକୁ ପୁନରୁଦ୍ଧାର କରିପାରୁଥିବା କଥା ଗବେଷକମାନେ ଜାଣିପାରିଛନ୍ତି। ଗବେଷକମାନେ ଅଲ୍ଝାଇମର୍ସରେ ପୀଡ଼ିତ, ପ୍ରାରମ୍ଭିକ ପର୍ଯ୍ୟାୟରେ ମୃଦୁ ଜ୍ଞାନାତ୍ମକ ଦୁର୍ବଳତା ଥିବା ବ୍ୟକ୍ତି ଏବଂ କୌଣସି ଜ୍ଞାନାତ୍ମକ ସମସ୍ୟା ନଥିବା ବ୍ୟକ୍ତିଙ୍କ ଠାରୁ ସଂଗୃହୀତ ମସ୍ତିଷ୍କ ଟିସୁ ଓ ରକ୍ତ ନମୁନାର ତୁଳନା କରିଥିଲେ। ଗବେଷକମାନେ ସ୍ମୃତି ହ୍ରାସର ପ୍ରାରମ୍ଭିକ ପର୍ଯ୍ୟାୟରେ ଲିଥିଅମ୍ ଧାତୁର ସ୍ତର ହ୍ରାସ ପାଉଥିବାର ମଧ୍ୟ ଲକ୍ଷ୍ୟ କରିଥିଲେ। ସେଥିରୁ ଲିଥିଅମ୍ ଅଭାବ ଅଲ୍ଝାଇମର୍ସ ରୋଗର କାରଣ ହୋଇପାରେ ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା।
ଗବେଷକମାନେ ମୂଷା ଉପରେ ପରୀକ୍ଷା ଚଳାଇ ସେମାନଙ୍କ ମସ୍ତିଷ୍କକୁ ଲିଥିଅମ୍ରୁ ବଞ୍ଚିତ କରିବା ଦ୍ୱାରା ମସ୍ତିଷ୍କରେ ଅଲ୍ଝାଇମର୍ସ ସହ ଜଡ଼ିତ ଏକ ପ୍ରୋଟିନର ପରିମାଣ ବୃଦ୍ଧି ପାଇଥିଲା। ଯେତେବେଳେ ଲିଥିଅମ୍ର ଅଳ୍ପ ମାତ୍ରା ଅଲ୍ଝାଇମର୍ସ ଲକ୍ଷଣ ଥିବା ମୂଷାଙ୍କୁ ଦିଆଗଲା, ସେମାନଙ୍କର ସ୍ମୃତି ଶକ୍ତି ପୁନରୁଦ୍ଧାର ହେଲା ଏବଂ ଜ୍ଞାନାତ୍ମକ ହ୍ରାସର ଅନ୍ୟାନ୍ୟ ଲକ୍ଷଣ ପ୍ରଭାବଶାଳୀ ଭାବରେ ବଦଳିଗଲା। ତେଣୁ ନିର୍ଦ୍ଦିଷ୍ଟ ମାତ୍ରାର ଲିଥିଅମ୍ ପ୍ରୟୋଗ କରି ନୈଦାନିକ ପରୀକ୍ଷଣ ପରେ ଅଲ୍ଝାଇମର୍ସ ପରି ଜଟିଳ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି। ତେବେ ଅଲ୍ଝାଇମର୍ସ ପୀଡ଼ିତଙ୍କ ଠାରେ ଲିଥିଅମ୍ ସ୍ତର କିପରି ହ୍ରାସ ପାଇବା ଆରମ୍ଭ କରେ, ତାହା ସ୍ପଷ୍ଟ ହୋଇନାହିଁ।