ନୂଆଦିଲ୍ଲୀ: ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା କିଛି ଛୋଟ ପିଲା ଯେଉଁ ବୟସରେ ଖେଳିବା ବୁଲିବା ସ୍କୁଲ ଯାଇ ପାଠପଢ଼ିବା କଥା ସେହି ବୟସରେ ସେମାନେ ପରିବାରର ବୋଝ ନିଜ କାନ୍ଧକୁ ନେଇ ଥାଆନ୍ତି। ଏମିତି ଅନେକ ଘଟଣାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ସାମ୍ନାକୁ ଆସିଛି।
ଏହି କ୍ରମରେ ଗୁଜୁରାଟର ଅହମ୍ମଦାବାଦରୁ ଏମିତି ଏକ ଗରିବ ଛୋଟ ପିଲାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସେମାନଙ୍କ ମୁଖରୁ ଆପଣାଛାଏଁ ବାହାରି ପଡ଼ୁଛି, ‘ହେ ଭଗବାନ ଏ ଶିଶୁର ଦୁଃଖ ଦୂର କର।’
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଶିଶୁ ଟ୍ରାଫିକ ସିଗନାଲରେ ବସିଛି। ଆଉ ସେହି ରାସ୍ତା ନେଇ ଯେଉଁ ଗାଡ଼ି ଚାଳକମାନେ ଯାଉଛନ୍ତି ସେମାନଙ୍କୁ ଚାବି ରିଂ କିଣିବାକୁ କହୁଛି। ଏତିକି ବେଳେ ଦେଖିବାକୁ ମିଳୁଛି ବାଳକର ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏହି ଆଘାତକୁ ବଞ୍ଚାଇବାକୁ ସେ ପ୍ଲାଷ୍ଟିକ ଓ କପଡା ବାନ୍ଧି ରଖିଛି। ଟ୍ରାଫିକ ନିକଟସ୍ଥ ଫୁଟପାତରେ ବସି ଚାବି ରିଂ ବିକ୍ରି କରୁଥିବା ବେଳେ ଯିଏ ବି ଚାବି ରିଂ କିଣିବାକୁ ଚାହୁଁଛନ୍ତି ଶିଶୁ ଜଣକ ତାଙ୍କ ପାଖକୁ ଛୋଟେଇ ଛୋଟେଇ ଚାଲି ଯାଉଥିବା ଦେଖିବାକୁ ମିଳୁଛି।
View this post on Instagram
ତେବେ କିଛି ଅର୍ଥ ପାଇଁ ଶିଶୁ ଏଭଳି କଷ୍ଟ ଓ ଯନ୍ତ୍ରଣାରେ ଚାବି ରିଂ ବିକ୍ରି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବାପରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ ଶିଶୁକୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି।