ବେଜିଂ: ମା-ପିଲାର ସଂପର୍କ ସ୍ବତନ୍ତ୍ର। ଯଦି ପିଲାର କିଛି ହୋଇଯାଏ ତେବେ ମା’ ପାଗଳ ପ୍ରାୟ ହୋଇପଡ଼େ। ଆଉ ପିଲା ବି ମା’ ପ୍ରତି କିଛି ଅନ୍ୟାୟ/ଅବିଚାର ହେଲେ ସହି ପାରେନା। ସେ ଯେତେ ଛୋଟ ହେଉନା କାହିଁକି ପ୍ରତିକ୍ରିୟା ଦେଖାଏ। ମା’ ହାତ ଧରି ପିଲା ବାଟ ଚାଲିବା ଶିଖେ। ସେ ଝୁଣ୍ଟିପଡିଲେ କୋଳେଇ ନିଏ ମା’ । ଠିକ ସେମିତି ମା’କୁ ଆଘାତ ଲାଗିଲେ ପିଲା ଆଘାତକାରୀକୁ ମାରିଗୋଡାଏ। ତା’ର କଅଁଳ ହାତରେ ଶକ୍ତି ନ ଥିଲେ ବି ହାତ ଉଠାଏ। ଏଭଳି ଏକ ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ୍ ହୋଇଛି।
This little boy in China is his mummy's big hero - he vented his anger at a car that sent his mum flying pic.twitter.com/tCBNShmyHG
— SCMP News (@SCMPNews) December 11, 2019
ଏହି ଘଟଣାଟି ଘଟିଛି ଚାଇନାରେ । ସେଠାକାର ପ୍ରମୁଖ ଖବରକାଗଜ ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ଟୁଇଟର ହାଣ୍ଡେଲରେ ଏହି ଭିଡିଓ ପୋଷ୍ଟ ହୋଇଛି। ନିଜ କୁନି ପୁଅକୁ ଧରି ରାସ୍ତା ପାରି ହେଉଥିଲେ ମା । ଏତିକିବେଳେ ଏକ ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଖାଇ ଛିଟିକି ପଡ଼ି ରାସ୍ତାରେ ପଡିଗଲେ ମା’-ପୁଅ । ଭାଗ୍ୟବଶତଃ ଦୁଇଜଣଙ୍କ ଜୀବନ ବଂଚିଯାଇଥିଲା । କିନ୍ତୁ ମା’ଙ୍କ କଷ୍ଟ ଦେଖି ରାଗ ସମ୍ଭାଳିପାରିନଥିଲା କୁନି ପୁଅ । ରାଗରେ କାରକୁ ବାରମ୍ବାର ଗୋଇଠା ମାରି ଚାଲିଥିଲା । କେବଳ ସେତିକି ନୁହେଁ, ଗାଡ଼ି ଚାଳକଙ୍କୁ ଗାଳି ଦେବାକୁ ବି ମାଡ଼ି ଗଲା। ଏହା ପରେ ଡ୍ରାଇଭର ଜଣଙ୍କ ବାହାରକୁ ଆସିବା ସହ ଉକ୍ତ ମହିଳାଙ୍କୁ ନିଜ କାରରେ ଡାକ୍ତରଖାନାକୁ ନେଇଥିଲେ ।
ମା’ ପ୍ରତି କୁନି ପୁଅର ଏପରି ଭଲପାଇବା ସୋସିଆଲ୍ ମିଡିଆରେ ସମସ୍ତଙ୍କ ମନ ଜିଣିପାରିଛି ।