ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ମସ୍ତିଷ୍କରୁ ପୋକ ବାହାରିଥିବା ଜଣାପଡ଼ିଛି। ଡାକ୍ତରମାନେ ମହିଳାଙ୍କ ମସ୍ତିଷ୍କର ସଫଳ ଅସ୍ତ୍ରୋପଚାର କରି ଉକ୍ତ ପୋକକୁ ଜିଅଁନ୍ତା ବାହାର କରିଛନ୍ତି। ମହିଳାଙ୍କ ମସ୍ତିଷ୍କରୁ ବାହାରିଥିବା ପୋକ ପରଜୀବୀ ଅଟେ। ଯାହାକି ବିଶେଷ ଭାବେ ଅଜଗର ସାପ ଶରୀରରେ ରହିଥାଏ। ପୀଡ଼ିତ ମହିଳାଙ୍କ ନାମକୁ ଗୋପନ ରଖାଯାଇଥିବା ବେଳେ ବୟସ ତାଙ୍କର ୬୪ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି।
ମହିଳାଙ୍କ ମସ୍ତିଷ୍କରୁ ୮ ସେଣ୍ଟିମିଟରର ପରଜୀବୀକୁ ବାହାର କରିଥିବା ଡାକ୍ତର କହିଛନ୍ତି, ଏହି ପରଜୀବୀ ସାଧାରଣତଃ ଅଜଗରଙ୍କ ଶରୀରରେ ରହିଥାଏ। ସନ୍ଦେହ କରାଯାଉଛି କି, ଅଜଗରର ମଳ ଲାଗିଥିବା କୌଣସି ଘାସ ଅବା ସାଗଜାତୀୟ ଖାଦ୍ୟକୁ ମହିଳା ଖାଇ ଦେଇଛନ୍ତି। ଯଦ୍ବାରା ପରଜୀବୀର ଅଣ୍ଡା ମହିଳାଙ୍କ ପେଟକୁ ଚାଲିଯାଇଛି। ଏହି ଅଣ୍ଡାରୁ ପରଜୀବୀ ସୃଷ୍ଟି ହୋଇ ମହିଳାଙ୍କ ମସ୍ତିଷ୍କକୁ ଚାଲି ଯାଇଛି। ଆଉ ମହିଳାଙ୍କ ମସ୍ତିଷ୍କରେ ଘା’ କରି ଦେଇଛି।
୨୦୨୧ ମସିହାରେ ମହିଳାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ସେ ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ସେ ଘରକୁ ଫେରି ଯାଇଥିଲେ। ୨୦୨୨ ମସିହାରେ ସମୟସମୟରେ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେବା ସହିତ ତାଙ୍କର ସ୍ମରଣଶକ୍ତି କମିବାକୁ ଲାଗିଥିଲା। ଆଉ କିଛି ମନ ରହିଲା ନାହିଁ।
ଏହାପରେ ପରିବାରଲୋକ ବୃଦ୍ଧାଙ୍କ ଚିକିତ୍ସା ପାଇଁ ୨୦୨୩ରେ ଡାକ୍ତରଙ୍କ ପାଖକୁ ଆଣିଥିଲେ। ଡାକ୍ତର ବୃଦ୍ଧାଙ୍କ ମୁଣ୍ଡର ସ୍କାନ କରିଥିଲେ। ଏହି ସ୍କାନ ରିପୋର୍ଟରୁ ଜଣାପଡ଼ିଥିଲା କି ମହିଳାଙ୍କ ମସ୍ତିଷ୍କ ଭିତରେ ଏକ ଘା’ ହୋଇ ଯାଇଛି। ଏହି ଘା’ର ଅସ୍ତ୍ରୋପଚାର ସମୟରେ ଡାକ୍ତର ମସ୍ତିଷ୍କ ଭିତରେ ଏକ ପୋକ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତର ତୁରନ୍ତ ତାହାକୁ ବାହାର କରି ଚିକିତ୍ସା ଆରମ୍ଭ କରିଥିଲେ। ଏହି ଅସ୍ତ୍ରୋପଚାର ପରେ ବୃଦ୍ଧା ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।