ସଂପ୍ରତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ଜନତା ପାର୍ଟିର କେରଳ ପ୍ରଦେଶ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସକ୍ରିୟ କର୍ମକର୍ତ୍ତା ସି. ସଦାନନ୍ଦନ୍ଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି। ସଂସଦର ମୌସୁମୀ ଅଧିବେଶନ ଅବ୍ୟବହିତ ପୂର୍ବରୁ ସେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ମନୋନୟନକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଛି। କେରଳର ଜଣେ ସଂଗ୍ରାମୀ ନେତା ଭାବେ ପରିଚିତ ସଦାନନ୍ଦନ୍ ବୃତ୍ତିରେ ଜଣେ ସ୍କୁଲ୍ ଶିକ୍ଷକ ହୋଇଥିବା ବେଳେ ଯୁବକାବସ୍ଥାରେ ରାଜନୈତିକ ହିଂସାର ଶିକାର ହୋଇ ଆଣ୍ଠୁ ତଳକୁ ଦୁଇଗୋଡ଼ ହରାଇଥିଲେ ମଧ୍ୟ ଦବି ନଯାଇ ନିଜ ଆଦର୍ଶରେ ଅଗ୍ରସର ହୋଇଥିଲେ। ସାଂସଦ ସି. ସଦାନନ୍ଦନ୍ ମାଷ୍ଟରଙ୍କୁ ଭେଟି ତାଙ୍କ ସଂଘର୍ଷ ଓ ରାଜନୈତିକ ଯାତ୍ରା ପ୍ରସଙ୍ଗରେ ଆଲୋଚନା କରିଛନ୍ତି
ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି
ତିନି ଦଶନ୍ଧି ପୂର୍ବେ ଏକ ରାଜନୈତିକ ହିଂସା ସମଗ୍ର କେରଳକୁ ଦୋହଲାଇ ଦେଇଥିଲା। ଉତ୍ତର କେରଳର କନ୍ନୁର ଜିଲ୍ଲାରେ ଜଣେ ସ୍କୁଲ୍ ଶିକ୍ଷକ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆର୍ଏସ୍ଏସ୍)ର ସଦସ୍ୟ ସି. ସଦାନନ୍ଦନ୍ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ସେଦିନର ଘଟଣା ମନେପକାଇ ସଦାନନ୍ଦନ୍ କହନ୍ତି, ‘‘୧୯୯୪ ମସିହା ଜାନୁଆରି ୨୫ ତାରିଖ ରାତି ପ୍ରାୟ ୮.୩୦ ହେବ। ମୁଁ ମଟ୍ଟାନୁର୍ ନିକଟସ୍ଥ ଉରୁଭାଚଳରେ ବସ୍ରୁ ଓହ୍ଲାଇ ଘରକୁ ଯାଉଥାଏ। ହଠାତ୍ ଦଳେ ଦୁର୍ବୃତ୍ତ ବୋମା ଫିଙ୍ଗି ଲୋକଙ୍କୁ ଭୟଭୀତ କରିବା ଆରମ୍ଭ କଲେ। ଲୋକେ ପ୍ରାଣ ବିକଳରେ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇଲେ ଏବଂ ଦୋକାନବଜାର ବନ୍ଦ ହୋଇଗଲା। ସେମାନେ ମୋ ପଛେ ପଛେ ଆସି ମୋତେ ଧରି ପକାଇଲେ। ମୋତେ ରାସ୍ତାରେ ଶୁଆଇଦେଲେ, ତା’ପରେ ମୋ ଦୁଇ ଗୋଡ଼କୁ ଆଣ୍ଠୁଠାରୁ ତଳକୁ କାଟି ଫିଙ୍ଗିଦେଲେ। ମୁଁ ଚିତ୍କାର କରୁଥାଏ। କେହି ସାହାଯ୍ୟ କରିବାକୁ ଆସୁ ନଥାନ୍ତି। ଶେଷରେ ପୁଲିସ ଆସି ମୋତେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା।’’ ଏହି ଘଟଣାରେ କିନ୍ତୁ ଡରି ଯାଇ ନଥିଲେ ସଦାନନ୍ଦନ୍। ସେ ସ୍ପଷ୍ଟ ହୋଇସାରିଥିଲେ ଯେ କେରଳର ଶାସକ ଦଳ ସିପିଆଇ(ଏମ୍)ର କର୍ମୀମାନେ ଏହି କାଣ୍ଡ ଭିଆଇଛନ୍ତି। ଶାସକ ମାର୍କସ୍ବାଦୀ କମ୍ୟୁନିଷ୍ଟ୍ ପାର୍ଟି ନିଶାଣକୁ ସେ ଆସିବା ପଛରେ ରହିଛି ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣାବଳି।
୧୯୬୪ ମସିହାରେ କେରଳର ପେରିଞ୍ଚେରୀ ଗ୍ରାମରେ ସି. ସଦାନନ୍ଦନ୍ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପରିବାର ଥିଲା କମ୍ୟୁନିଷ୍ଟ୍ ପାର୍ଟିର ଦୃଢ଼ ସମର୍ଥକ। ମାତ୍ର ସେ କମ୍ୟୁନିଷ୍ଟ୍ ଆଦର୍ଶରେ ଅନୁପ୍ରାଣିତ ହୋଇ ନଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ମନ ପରିବର୍ତ୍ତନ ହେଲା ଓ ସେ ୧୯୮୪ ମସିହାରେ ଆର୍ଏସ୍ଏସ୍ରେ ଯୋଗଦେଲେ। ସିପିଆଇ(ଏମ୍)ର ଗଡ଼ ଭାବେ ପରିଚିତ କନ୍ନୁର ଜିଲ୍ଲାର କମ୍ୟୁନିଷ୍ଟ୍ ସମର୍ଥକ ପରିବାରରୁ ଆସି ଜଣେ ପୁଣି ଆର୍ଏସ୍ଏସ୍ରେ ଯୋଗଦେବ? ଏକଥାକୁ ସ୍ଥାନୀୟ କମ୍ୟୁନିଷ୍ଟ୍ ନେତା ସହ୍ୟ କରିପାରିଲେ ନାହିଁ। ତେଣେ ସଦାନନ୍ଦନ୍ ସଂଘର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କାର୍ଯ୍ୟକ୍ରମରେ ସକ୍ରିୟହେଲେ। ଆର୍ଏସ୍ଏସ୍ର ଏର୍ଣ୍ଣାକୁଲମ୍ ଶାଖାର ବୌଦ୍ଧିକ ପ୍ରମୁଖ ଭାବରେ କାର୍ଯ୍ୟକଲେ। ସଂଘର ବୌଦ୍ଧିକ କାର୍ଯ୍ୟକ୍ରମ ପରିଚାଳନା ଏବଂ କ୍ୟାଡର୍ମାନଙ୍କୁ ଆଦର୍ଶଗତ ତାଲିମ ପ୍ରଦାନ ତାଙ୍କର ଦାୟିତ୍ବ ଥିଲା। ତାଙ୍କର ସଂଘରେ ଯୋଗଦେବା ନିଷ୍ପତ୍ତି ସ୍ଥାନୀୟ କମ୍ୟୁନିଷ୍ଟ୍ ନେତାଙ୍କୁ ଉତ୍ତେଜିତ କରିଥିଲା ଏବଂ ସେମାନେ ସଦାନନ୍ଦନ୍ଙ୍କ ଉପରେ ନଜର ରଖିଥିଲେ। ଏଣେ ସଂଘ କାର୍ଯ୍ୟରେ ସେ ସକ୍ରିୟ ହୋଇଉଠିବାରୁ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ସେତେବେଳେ ସେ ଆର୍ଏସ୍ଏସ୍ର କନ୍ନୁର ଜିଲ୍ଲା ସହ-କାର୍ଯ୍ୟବାହକ ଦାୟିତ୍ବ ସଂପାଦନ କରୁଥିଲେ। ପରବର୍ତ୍ତୀ ସମୟରେ ସଦାନନ୍ଦନ୍ କେରଳ ଜାତୀୟ ଶିକ୍ଷକ ସଂଘର ଉପାଧ୍ୟକ୍ଷ ଏବଂ ଏହାର ମୁଖପତ୍ର ‘ଦେଶୀୟ ଅଧ୍ୟାପକ ବାର୍ତ୍ତା’ର ସମ୍ପାଦକ ଭାବେ କାର୍ଯ୍ୟ କରିଥଲେ। ଏହାପରେ ସେ ଭାରତୀୟ ଜନତା ପାର୍ଟି ମାଧ୍ୟମରେ ସକ୍ରିୟ ରାଜନୀତିକୁ ଆସିଥିଲେ। କେରଳ ରାଜ୍ୟ ବିଜେପିର ଉପାଧ୍ୟକ୍ଷ ରହିବା ସହ ୨୦୧୧ ଓ ୨୦୧୬ରେ କୁଥୁପରମ୍ବାରୁ ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।
କେରଳରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ ଆଶାରେ ନୂଆ ରଣନୀତି ଆପଣାଉଛି। ସ୍ଥାନୀୟ ରାଜନୈତକ ସମୀକ୍ଷକ ମତ ଦେଉଛନ୍ତି ଯେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଭଲ ଫଳାଫଳ କରିବା ଉଦ୍ଦେଶ୍ୟରେ ସଦାନନ୍ଦନ୍ଙ୍କୁ ରାଜ୍ୟସଭା ପଠାଇଛି। ଅନ୍ୟପକ୍ଷରେ ସଦାନନ୍ଦନ୍ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହେବା ପଛରେ ହିନ୍ଦୁ ଓ ଖ୍ରୀଷ୍ଟିଆନ୍ ଭୋଟ୍ର ଏକତ୍ରୀକରଣ ଏବଂ ଶିକ୍ଷକ ଓ ଯୁବ ଭୋଟରଙ୍କୁ ପ୍ରଭାବିତ କରିବା ଭଳି ସୁଦୂରପ୍ରସାରୀ ଯୋଜନା ରହିଛି। କେରଳରେ ବିଜେପି ଏକ ସଫଳ ବିକଳ୍ପ ଭାବରେ ଉଭା ହେବା ଲାଗି ଉଦ୍ୟମ ଆରମ୍ଭ କରିଛି। ଅନ୍ୟପକ୍ଷରେ ରାଜ୍ୟସଭାକୁ ମନୋନୀତ ହେବା ନେଇ ସଦାନନ୍ଦନ୍ ମତ ଦିଅନ୍ତି, ‘‘ଘୋଷଣାର ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଫାନ୍ କରି କହିଥିଲେ ଯେ ମୋତେ ଗୋଟିଏ ମିସନ୍ ଦିଆଯିବ। ଏହି ମିସନ୍ଟି କ’ଣ ସେକଥା ସେ ସ୍ପଷ୍ଟ କରି ନ ଥିଲେ। ତେବେ ସଂଘ ଦ୍ବାରା ଦିଆଯାଇଥିବା କାର୍ଯ୍ୟ ଏବଂ ମୋଦୀଙ୍କ ‘ବିକଶିତ କେରଳ’ ଭିଜନ୍କୁ ସଫଳ କରିବାକୁ ମୋତେ ଦାୟିତ୍ୱ ଦିଆଯାଇଛି।’’ ରାଜ୍ୟସଭାର ମନୋନୀତ ଆସନ ପାଇଁ ସମାଜର ବିଭିନ୍ନ ବର୍ଗର ସଫଳ ବ୍ୟକ୍ତିଙ୍କୁ ଚୟନ କରାଯାଇଥିବା ବେଳେ ସଦାନନ୍ଦନ୍ ଜଣେ ବ୍ୟତିକ୍ରମ। ଏହି ପ୍ରସଙ୍ଗରେ ସେ ମତ ଦିଅନ୍ତି, ‘‘ରାଜ୍ୟସଭାକୁ ମୋତେ ମନୋନୟନ କରାଯିବା ଆର୍ଏସ୍ଏସ୍ କର୍ମୀଙ୍କ ପାଇଁ ଏକ ସ୍ବୀକୃତି। ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ସଂଘ ଓ ବିଜେପି ପାଇଁ କାମ କରୁଥିବା ଲୋକଙ୍କୁ ଉତ୍ସାହିତ କରିବ।’’
ନିକଟରେ କେରଳ ହାଇକୋର୍ଟ ସଦାନନ୍ଦନ୍ ମାଷ୍ଟରଙ୍କ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କୁ ତଳକୋର୍ଟ ଦେଇଥିବା ଦଣ୍ଡ କାଏମ ରଖିଛନ୍ତି। ୮ଜଣ ସିପିଆଇ(ଏମ୍) କର୍ମୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦,୦୦୦ ଟଙ୍କା ଜରିମାନା କରାଯାଇଛି।
ଚେତା ଫେରିବା ପରେ ହିଁ ହସ୍ପିଟାଲ୍ ବିଛଣାରେ ମୁଁ ସେମାନଙ୍କୁ କ୍ଷମା କରିଦେଇଛି
ରାଜନୈତିକ ହିଂସାକୁ ନେଇ ଆପଣଙ୍କ ବାର୍ତ୍ତା କ’ଣ? ସେଦିନର ଅପରାଧୀଙ୍କୁ ଆପଣ କ୍ଷମା କରିଦେଇଛନ୍ତି? ଆପଣଙ୍କୁ ଦିଆଯାଇଥିବା ‘ଜୀବିତ ସହିଦ’ ଉପାଧିକୁ ଆପଣ କିପରି ଦେଖନ୍ତି?
ଆକ୍ରମଣ ପରଦିନ ମୋର ଚେତା ଫେରିବା ପରେ ହିଁ ହସ୍ପିଟାଲ୍ ବିଛଣାରେ ମୁଁ ସେମାନଙ୍କୁ କ୍ଷମା କରିଦେଇଛି। ରାଜନୀତିରେ ହିଂସାର ସ୍ଥାନ ନାହିଁ। ରାଜନୈତିକ ଅସହିଷ୍ଣୁତାକୁ ମୁଁ ଗ୍ରହଣ କରେନାହିଁ। ସିପିଆଇ (ଏମ୍)ର ଫାସୀବାଦ ଓ ଅସହିଷ୍ଣୁତା ଆକ୍ରମଣର କାରଣ ଥିଲା। ତେବେ, ମୁଁ ଏବଂ ମୋର ଦଳ ଏ ସଂପର୍କରେ ବିତର୍କ କରିବାକୁ ଆଗ୍ରହୀ ନୋହୁଁ। ଅତୀତ ଅତୀତ ହୋଇଯାଇଛି। ଆମେ ଶାନ୍ତି ଚାହୁ ଏବଂ ମୁଁ ଏପରି କିଛି କରିବାକୁ ଚାହୁନାହିଁ ଯାହା ଆମ ଅଞ୍ଚଳର ଶାନ୍ତିବ୍ୟାହତ କରିବ।
କନ୍ନୁର ପ୍ରାୟ ଏକ ଦଶନ୍ଧି ହେଲା ଶାନ୍ତିପୂର୍ଣ୍ଣ ରହିଛି। ଏଥିରେ ଆପଣଙ୍କର ଏବଂ ସଂଘର ଭୂମିକା କ’ଣ ରହିଛି?
୨୦୧୬ ମସିହାରେ ପିନାରାଇ ବିଜୟନ୍ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ କନ୍ନୁରରେ ଆର୍ଏସ୍ଏସ୍ ଏବଂ ବିଜେପି କର୍ମୀମାନଙ୍କୁ ଆକ୍ରମଣ ଓ ହତ୍ୟା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟିରେ ଜଣେ ଯୁବ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଏହି ଯୁବ କର୍ମୀଙ୍କ ପିତାଙ୍କୁ ମଧ୍ୟ ଅତୀତରେ ସିପିଆଇ (ଏମ୍) କର୍ମୀମାନେ ହତ୍ୟା କରିଥିଲେ। ସେହି ସମୟରେ ହିଁ ଆର୍ଏସ୍ଏସ୍ର ଜାତୀୟ ନେତୃତ୍ବ ସିପିଆଇ(ଏମ୍)ର ହିଂସାକୁ ମୁକାବିଲାମୂଳକ ମନୋଭାବ ବଦଳରେ ଗଣତାନ୍ତ୍ରିକ ଉପାୟରେ ପ୍ରତିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ବାମପନ୍ଥୀମାନଙ୍କର ହିଂସାତ୍ମକ ରାଜନୀତି ବିରୁଦ୍ଧରେ ଜନସମର୍ଥନ ହାସଲ କରିବା ପାଇଁ ଆମେ ଏକ ଜାତୀୟସ୍ତରୀୟ ଅଭିଯାନ ଚଳାଇଥିଲୁ। ସିପିଆଇ(ଏମ୍) ସାମାଜିକ ଚାପରେ ଆସି ପରବର୍ତ୍ତୀ କାଳରେ ରାଜନୈତିକ ହିଂସା ବିରୋଧରେ ମତ ରଖିଥିଲା। ଶାନ୍ତି ଆମ ଅଭିଯାନର ପରିଣାମ। କିନ୍ତୁ ଆପଣ ରାଜ୍ୟସଭାକୁ ମନୋନୀତ ହେବା କଥାକୁ ସିପିଆଇ (ଏମ୍) ହିଂସାତ୍ମକ ରାଜନୀତିକୁ ସ୍ବୀକୃତି ବୋଲି ଅଭିଯୋଗ କରୁଛି? ସେମାନଙ୍କର ଏପରି ପ୍ରତିକ୍ରିୟାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଏହା ସେମାନଙ୍କର କାର୍ଯ୍ୟଶୈଳୀ। ସିପିଆଇ(ଏମ୍)ର ଦୋଷୀସାବ୍ୟସ୍ତ ଅପରାଧୀଙ୍କୁ ସମ୍ମାନିତ କରିବାର ଇତିହାସ ରହିଛି। ସେମାନେ ହିଂସାତ୍ମକ ରାଜନୀତି କରନ୍ତି।
ବିଜେପି ଏ ପର୍ଯ୍ୟନ୍ତ କନ୍ନୁରରେ ନିଜର ଉପସ୍ଥିତି ଜାହିର କରିପାରି ନାହିଁ କାହିଁକି?
ହିଂସାତ୍ମକ ରାଜନୀତି ପର୍ଯ୍ୟାୟରେ ଆମେ ଆର୍ଏସ୍ଏସ୍ ଏବଂ ବିଜେପିର ବହୁ ନେତା ଓ କର୍ମୀଙ୍କୁ ହରାଇଛୁ। ମୋ ପରି ଆହୁରି ଅନେକ ଅକ୍ଷମ ହୋଇଯାଇଛନ୍ତି। ଏହା ଆମ ସକ୍ରିୟତାକୁ ବାଧା ଦେଇଥିଲା। ଯଦି ସେହି ନେତାମାନେ ଜୀବିତ ଥାଆନ୍ତେ, ତେବେ କନ୍ନୁରର ରାଜନୈତିକ ଦୃଶ୍ୟପଟ ଆଜି ଭିନ୍ନ ହୋଇଥାଆନ୍ତା। ସିପିଆଇ (ଏମ୍) ରାଜନୈତିକ ହିଂସା ମାଧ୍ୟମରେ ସଂଘକୁ ଦୁର୍ବଳ କରିବାକୁ ଚାହୁଥିଲା। ଏହା ସତ୍ତ୍ବେ ବର୍ଷ ପରେ ବର୍ଷ ଆମର ଉନ୍ନତି ଘଟିଛି। ସ୍ଥାନୀୟ ସ୍ବାୟତ୍ତଶାସନ ସଂସ୍ଥାଗୁଡ଼ିକରେ ଆମର ଉପସ୍ଥିତି ବୃଦ୍ଧି ପାଇଛି। ଗତବର୍ଷର ଲୋକସଭା ନିର୍ବାଚନରେ ଆମ ଭୋଟ ଭାଗ ୨୦୧୯ ତୁଳନାରେ ଦ୍ବିଗୁଣିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/27/qwr-2025-07-27-12-59-00.jpg)