ନୂଆଦିଲ୍ଲୀ: ଚଳିତ ବର୍ଷ ବସନ୍ତ ପଞ୍ଚମୀ ଓ ମା’ ସ୍ୱରସ୍ୱତୀଙ୍କ ପୂଜା ଦୁଇଦିନ ପଡ଼ିଛି। କିଛିସ୍ଥାନରେ ଏହାକୁ ଜାନୁଆରି ୨୯ରେ ପାଳନ କରିଥିବା ବେଳେ ଆଉ କିଛି ସ୍ଥାନରେ ଜାନୁଆରି ୩୦ରେ ପାଳନ କରାଯାଇଛି। ତେବେ ସ୍ୱରସ୍ୱତୀ ପୂଜା ଓ ବସନ୍ତ ପଞ୍ଚମୀ ଉତ୍ସବକୁ ଖୁବ୍ ଉତ୍ସାହର ସହ ପଶ୍ଚିମବଙ୍ଗରେ ପାଳନ କରାଯାଏ।
ଏହି ଦିନ ଲୋକମାନେ ବିଦ୍ୟା, କଳା ଓ ସଙ୍ଗୀତର ଦେବୀ ମା’ ସ୍ୱରସ୍ୱତୀଙ୍କ ପୂଜା କରି ନିଜର ମନସ୍କାମନା ଜଣାଇଥାଆନ୍ତି। ଏଥିପାଇଁ ଏହି ଦିନରେ ମା’ ସ୍ୱରସ୍ୱତୀଙ୍କ ପୂଜା ପାଇଁ ପୂଜାରୀ/ ପଣ୍ଡିତ/ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରାଯାଇଥାଏ। ତେବେ ଆଜି ମା’ ସ୍ୱରସ୍ୱତୀଙ୍କ ପୂଜା ପାଇଁ ପଶ୍ଚିମବଙ୍ଗରେ କିଭଳି ଜଣେ ମହିଳା ଓ ବ୍ରାହ୍ମଣ ମୁହାଁମୁହିଁ ହୋଇଛନ୍ତି ତାହାର ଏକ ଭିଡିଓ ଫେସ୍ବୁକ୍ରେ ଭାଇରାଲ ହୋଇଛି।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ମହିଳା ଜଣେ ବ୍ରାହ୍ମଣଙ୍କୁ ଘୋଷାଡ଼ି ଘୋଷାଡ଼ି ଘରକୁ ପୂଜା ପାଇଁ ଆଣୁଛନ୍ତି। କାରଣ ଏହି ବ୍ରାହ୍ମଣ ଜଣକ ଘରକୁ ପୂଜା କରିବାକୁ ଯିବେ ନାହିଁ ବୋଲି ମନା କରୁଛନ୍ତି। ବ୍ରାହ୍ମଣ ଜଣକ ମନା କରୁଥିବା ସତ୍ତ୍ୱେ ବି ମହିଳାଙ୍କ ସହିତ କିଛି ପିଲା ଜୋରଜବରଦସ୍ତ ତାଙ୍କୁ ଘରକୁ ଟାଣିଟାଣି ଘର ଭିତରକୁ ନେଇ ଆସୁଛନ୍ତି। ଏହାପରେ ପୂଜା କରାଇବା ପାଇଁ ଜିଦ ଧରି ବସୁଛନ୍ତି। ଶେଷରେ ମହିଳା ଓ ପିଲାଙ୍କ ଜିଦ୍ ଆଗରେ ହାର ମାନି ବ୍ରାହ୍ମଣ ତାଙ୍କ ସହିତ ମା’ ସ୍ୱରସ୍ୱତୀଙ୍କ ପୂଜା ପାଇଁ ଘରକୁ ଯାଉଛନ୍ତି।
ଏହି ଘଟଣା ଘଟିବା ସମୟରେ କିଛି ଲୋକ ଏହାକୁ ନିଜ ଫୋନ୍ କ୍ୟାମେରାରେ କୈଦ କରି ନେଇଥିଲେ। ପରେ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଗୋଟିଏରେ ବ୍ରାହ୍ମଣ ଘରକୁ ପୂଜା କରିବା ପାଇଁ ଯିବେ ନାହିଁ ବୋଲି ମନା କରୁଥିବା ବେଳେ ଅନ୍ୟଟିରେ ସେ ଘରେ ଖୁବ ଆରାମରେ ପୂଜା କରୁଥିବା ଦେଖିବାକୁ ମିଳୁଛି। ଭିଡିଓଟି ପୋଷ୍ଟ ହେବାର କିଛି ସମୟ ପରେ ଭାଇରାଲ ହୋଇଯାଇଛି।